‘ବେଦାନ୍ତ କମ୍ପାନୀର ସ୍ୱାର୍ଥ ପାଇଁ ସାଧାରଣ ଲୋକଙ୍କୁ ବିପଦ ମଧ୍ୟକୁ ଠେଲିଦିଆଯାଉଛି କି?’

ଅଞ୍ଚଳବାସୀଙ୍କ ଦାବି ପରେ ବି ଲାଞ୍ଜିଗଡ଼ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ନୋହିଲା

ଜନତା-ପ୍ରଶାସନ ମଧ୍ୟରେ ସରଗରମ ଆଲୋଚନା, ବଢୁଛି ଜନଅସନ୍ତୋଷ

କଳାହାଣ୍ଡି: ଲାଞ୍ଜିଗଡ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାବେଳେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ସମଗ୍ର ଲାଞ୍ଜିଗଡ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଥିବାବେଳେ ଲାଞ୍ଜିଗଡ ସହରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ସହିତ ଲାଞ୍ଜିଗଡଠାରେ ଏକ କୋଭିଡ ପରୀକ୍ଷା କେନ୍ଦ୍ର ସ୍ଥାପନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ତେବେ ଜନତାଙ୍କ କଥାକୁ ଗୁରୁତ୍ବ ଦିଆଯାଉନଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏକ ଶିଳ୍ପ ଅନୁଷ୍ଠାନର ସ୍ବାର୍ଥ ପାଇଁ ଜନତାଙ୍କୁ ବିପଦ ମୁହଁକୁ ଠେଳି ଦିଆଯାଉଛି ବୋଲି ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି। 

Omkar Vasthu
Omkar Vasthu

ଗୁରୁବାର ସନ୍ଧ୍ୟାରେ ଏନେଇ ଏକ ବୈଠକ ଆୟୋଜନ କରାଯାଇ ଏ ସଂପର୍କିତ ଦାବିପତ୍ର ଲାଞ୍ଜିଗଡ ଥାନାଧିକାରୀଙ୍କ ଜରିଆରେ ବ୍ଲକ ତଥା ଜିଲ୍ଲା ପ୍ରଶାସନକୁ ଦିଆଯାଇଥିଲା। ଏପରିକି ଲାଞ୍ଜିଗଡର ବୁଦ୍ଧିଜୀବୀ ଓ ନାଗରିକ ସଂଗଠନ ତଥା ବଣିକ ସଂଘର ମିଳିତ ପ୍ରୟାସରେ ଲାଞ୍ଜିଗଡରେ ତିନିଦିନ ଯାଏଁ ଦୋକାନବଜାର ବନ୍ଦ ରଖାଯାଇଛି। ତେବେ ଦାବିପତ୍ର ପ୍ରଦାନର ୨  ଦିନ ପରେ ବି ପ୍ରଶାସନ ଏ ସଂପର୍କରେ କୌଣସି ନିଷ୍ପତ୍ତିରେ ଉପନୀତ ହୋଇପାରିନାହିଁ। ଏହାକୁ ନେଇ ଲାଞ୍ଜିଗଡ ଅଞ୍ଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଉଥିବାବେଳେ ଆଜି ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ନୋଡାଲ ଅଫିସର, ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ତହସିଲଦାର ମୁନୀନ୍ଦ୍ର ହୋନ୍ନାଗା, ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା. ଭବାନୀଶଙ୍କର ଲେଙ୍କା, ଡା. ନରେନ୍ଦ୍ର ଦାସ ପ୍ରମୁଖ ଲାଞ୍ଜିଗଡ ଯିବା ସହିତ ପରିସ୍ଥିତି ସଂପର୍କରେ ନିରୀକ୍ଷଣ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

ପ୍ରଶାସନିକ ଅଧିକାରୀ ଓ ସ୍ୱାସ୍ଥ୍ୟବିଭାଗର ଅଧିକାରୀମାନଙ୍କୁ ଲୋକେ ଘେରିଯିବା ସହିତ ଲାଞ୍ଜିଗଡରେ ସଟଡାଉନ୍ କିମ୍ବା କଣ୍ଟେନମେଣ୍ଟ ଜୋନ ଘୋଷଣା ପାଇଁ ପ୍ରଶାସନ ପଛଘୁଞ୍ଚା ଦେଉଛି କାହିଁକି ବୋଲି ପ୍ରଶ୍ନ କରିଥିଲେ। ବେଦାନ୍ତ କମ୍ପାନୀର ସ୍ୱାର୍ଥ ପାଇଁ ସାଧାରଣ ଲୋକଙ୍କୁ ବିପଦ ମଧ୍ୟକୁ ଠେଲିଦିଆଯାଉଛି କି ବୋଲି ଲୋକେ ପ୍ରଶ୍ନ କରିବା ସହିତ କଂପାନୀ ଚାଲୁ ରଖାଯାଉ ତେବେ ସେଠାକାର କର୍ମଚାରୀମାନଙ୍କୁ ଲାଞ୍ଜିଗଡ ସହରକୁ ଯାତାୟତ ପାଇଁ ମନା କରାଯାଉ ବୋଲି ଲୋକେ ଦାବି କରିଥିଲେ। ସେହିପରି ଲାଞ୍ଜିଗଡଠାରେ ଏକ କୋଭିଡ ପରୀକ୍ଷା କେନ୍ଦ୍ର ସ୍ଥାପନ ପାଇଁ ସେମାନେ ଦାବି କରିଥିଲେ। ତେବେ କଣ୍ଟେନମେଣ୍ଟ ଜୋନ ଘୋଷଣା ଜିଲ୍ଲା ପ୍ରଶାସନର କ୍ଷମତା ହୋଇଥିବାରୁ ଏ ସଂପର୍କରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ପ୍ରଶାସନିକ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ଲାଞ୍ଜିଗଡକୁ ରାଜ୍ୟ ତଥା ବାହାର ରାଜ୍ୟର ହଜାର ହଜାର ଲୋକେ ଯାତାୟତ କରୁଥିବାରୁ ଲାଞ୍ଜିଗଡରେ କଡାକଡି ଯାଞ୍ଚ ସହିତ କୋଭିଡ କଟକଣାକୁ ମଧ୍ୟ କଠୋର ଭାବେ ଲାଗୁ କରିବା ପାଇଁ ଲାଞ୍ଜିଗଡ ଅଞ୍ଚଳବାସୀ ଦାବି କରିଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.