ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରୁ ଏକ ଦୁଃଖଦ ଖବର ହସ୍ତଗତ ହୋଇଛି। ବିନିକା ଥାନା ଶଙ୍କରା ଗାଁର ଟିକେଲାଲ ଗୁଦୁରିଆଙ୍କ ଘରେ ଗ୍ୟାସ୍ ଲିକ୍ ହୋଇ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଟିକେଲାଲଙ୍କ ୧୦ ବର୍ଷର ପୁଅ ବାବୁସାନ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନା ଆଧାରରେ, ଆଜି ସକାଳେ ଟିକେଲାଲ ଗ୍ୟାସ୍ ରେ ଚା’ ତିଆରି କରୁଥିଲେ। ଏହି ସମୟରେ ଗ୍ୟାସ୍ ସିଲିଣ୍ଡରରେ ହଠାତ୍ ନିଆଁ ଲାଗି ଯାଇଥିଲା। ବାବୁସାନ୍ ସେତେବେଳେ ଘରେ ଶୋଇଥିଲେ। ନିଆଁ ଏତେ ଜୋରରେ ବ୍ୟାପି ଯାଇଥିଲା ଯେ, ଟିକେଲାଲ ଓ ତାଙ୍କ ପତ୍ନୀ କୌଣସି ମତେ ଘର ବାହାରକୁ ଚାଲି ଆସି ବଞ୍ଚି ଯାଇଥିଲେ। ତେବେ ପୁଅ ବାବୁସାନକୁ ସେମାନେ ବଞ୍ଚାଇ ପାରିନଥିଲେ। ଚାହୁଁ ଚାହୁଁ ଘର ପୋଡ଼ି ପାଉଁଶ ହେବାସହ ବାବୁସାନ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।ଘଟଣା ସଂପର୍କରେ ଖବର ପାଇ ବିନିକା ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଥିଲା। ହେଲେ ସେତେବେଳକୁ ଆଉ କିଛି ବାକି ନଥିଲା। ବାବୁସାନଙ୍କୁ ପରିବାର ଲୋକେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପ୍ରଚାରିତ ହେବାପରେ ଆଖପାଖ ଅଞ୍ଚଳ ସମେତ ଶଙ୍କରା ଗାଁ ସ୍ତବ୍ଧ ହୋଇଯାଇଛି।





