ଅଟୋ ଚାଳକ ସଂଘର ବନ୍ଦ ନିଷ୍ପତି ପ୍ରସଙ୍ଗ: ଯାତ୍ରୀଙ୍କ ଅସୁବିଧାକୁ ନେଇ ଆଜି ଠାରୁ ସ୍ବଭାବିକ ହୋଇପାରେ ଅଟୋ ଚଳାଚଳ

ରାୟଗଡ: ଜିଲ୍ଳା ପ୍ରଶାସନର କୋଭିଡ-୧୯ ଗାଇଡଲାଇନ କଟକଣା ସହ ନାଇଟ କର୍ଫ୍ୟୁ ଏବଂ ଅଟୋରେ ୨ଜଣ ଯାତ୍ରୀଙ୍କୁ ନେଇ ଚଳାଚଳ କରିବା ନିଷ୍ପତିକୁ ପ୍ରତିବାଦ କରି ଅଟୋରେ ଅତି କମରେ ୪ଜଣ ଯାତ୍ରୀଙ୍କୁ ନେବା ପାଇଁ ମଝିଘରିଆଣୀ ଅଟୋ ଚାଳକ ସଂଘ ପକ୍ଷରୁ ପ୍ରଶାସନର ଅନୁମତି ପ୍ରଦାନ ଦାବିରେ ଗତ ୨୨ ତାରିଖରୁ ୪ଦିନ ଧରି ସହରରେ ସଂଘର ୭୦୦ଟି ଅଟୋ ଚଳାଚଳ ବନ୍ଦ ରହିଥିଲା। ତେବେ ଅଟୋ ଚଳାଚଳ ବନ୍ଦ ଯୋଗୁଁ ସହରବାସୀ ଏବଂ ଯାତ୍ରୀମାନେ ଭୋଗୁଥିବା ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନର କୋଭିଡ-୧୯ କଟକଣାକୁ ମାନି ଚଳିବାର ନିଷ୍ପତି ନେଇ ସଂଘ ପକ୍ଷରୁ ଆଜି ପଂଚମ ଦିନରେ ସୋମବାର ସକାଳ ସାଢେ ୭ଟାରୁ ସହରରେ ପୁଣି ଥରେ ଅଟୋ ଚଳାଚଳ ହୋଇପାରେ ବୋଲି ଜଣାପଡିଛି। ଏ ନେଇ ମଝିଘରିଆଣୀ ଅଟୋ ଚାଳକ ସଂଘ ସଭାପତି ସୀମାଦ୍ରୀ ପାଣିଗ୍ରାହୀଙ୍କୁ ପଚାରିବାରୁ ରାୟଗଡ ସହରବାସୀ ତଥା ଏହାର ଆଖାପାଖ ଅଂଚଳର ଗ୍ରାମବାସୀଙ୍କ ଠାରୁ ଆରମ୍ଭ କରି ବସଷ୍ଟାଣ୍ଡ, ରେଳବାଇ ଷ୍ଟେସନରୁ ଆସୁଥିବା ଅନେକ ଯାତ୍ରୀମାନେ ସହରରେ ଥିବା ବ୍ୟାଙ୍କ, ମୁଖ୍ୟ ବଜାର, ରେଳବାଇ ଷ୍ଟେସନ, ବସଷ୍ଟାଣ୍ଡ, ଡାକ୍ତରଖାନା ସମେତ ବିଭିନ୍ନ ସ୍ଥାନକୁ ଯାତାୟାତ କରିବା ପାଇଁ ଅଟୋ ଉପରେ ନିର୍ଭର କରିଥାନ୍ତି।


ଦିନରାତି ସମସ୍ତ ଯାତ୍ରୀଙ୍କୁ ସେବା ଯୋଗାଇ ଆସୁଥିବା ବେଳେ ମହାମାରୀ କରୋନାର ଦ୍ୱିତୀୟ ଲହରରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଅଟୋରେ ୨ଜଣ ଯାତ୍ରୀଙ୍କୁ ନେଇ ଚଳାଚଳ କରିବା ପାଇଁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଥିଲେ। ତେବେ ମାତ୍ର ୨ଜଣ ଯାତ୍ରୀଙ୍କ ଭଡାରେ ଋଣ ଟଙ୍କା ଭରଣ, ପରିବାର ପ୍ରତିପୋଷଣ, ଅଟୋରିକ୍ସାର ଯତ୍ନ ଆଦି ସମ୍ଭବ ହୋଇପାରିବ ନାହିଁ ତେଣୁ ଅତିକମରେ ୪ଜଣ ଯାତ୍ରୀଙ୍କୁ ନେବା ସହ କୋଭିଡ-୧୯ ଗାଇଡଲାଇନ ପାଳନ କରିବୁ ବୋଲି ସଂଘ ନିଷ୍ପତି ନେଇ ଅଟୋ ଚଳାଚଳ ବନ୍ଦ କରି ପ୍ରଶାସନ ପାଖେ ଦାବି ଜଣାଇଥିଲୁ ବୋଲି ପ୍ରକାଶ କରିଛନ୍ତି। ଅପରପକ୍ଷେ କୋଭିଡ ଟୀକାକରଣ ହେଉ ଅଥିବା ଅନ୍ୟାନ୍ୟ କାମ ପାଇଁ ସହରବାସୀଙ୍କ ଠାରୁ ଆରମ୍ଭ କରି ରାୟଗଡ ସହର ଉପକଣ୍ଠର ଗ୍ରାମବାସୀମାନେ ଅଟୋ ଉପରେ ନିର୍ଭର କରିଥାନ୍ତି। ବର୍ତମାନ ରାୟଗଡ ସହରରେ ପୁଣି ଥରେ ଅଟୋ ଚଳାଚଳ ଆରମ୍ଭ ହେଲେ ଅନେକ ଯାତ୍ରୀ ଉପକୃତ ହେବେ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଥିବା ବେଳେ ଅଟୋ ଚାଳକ ସଂଘର ନିଷ୍ପତିକୁ ସମସ୍ତେ ପ୍ରଶଂସା କରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.