● ନର୍ଲା ଶିକ୍ଷା ବିଭାଗ ପକ୍ଷରୁ ଭବ୍ୟ ସ୍ୱାଗତ
କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ଗୋଷ୍ଠୀ ଶିକ୍ଷାଧିକାରୀ (ବିଇଓ) ଭାବରେ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି ଓଡ଼ିଶା ଶିକ୍ଷା ସେବା ଅଧିକାରୀ ତପିମଣି ଜାନୀ। ଜୁନାଗଡ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଭାବରେ ରହିଆସିଥିବା ଶ୍ରୀଯୁକ୍ତ ଜାନୀ ଗୋଷ୍ଠୀ ଶିକ୍ଷାଧିକାରୀ ଭାବରେ ନିଯୁକ୍ତି ପାଇଛନ୍ତି ନର୍ଲାରେ। ଗତ ମାସରେ ନର୍ଲା ବିଇଓ ଶ୍ରୀମତୀ ନିରୂପମା ଦୋରା ଏଡିଇଓ ଭାବରେ ପଦୋନ୍ନତି ପାଇ ଅନ୍ୟତ୍ର ଚାଲିଗଲେ। କିଛିଦିନ ପାଇଁ ବିଜୟ କୁମାର ସେନାପତି ନର୍ଲା ବିଇଓ ଦାଇତ୍ୱରେ ରହିଥିଲେ। ଅସ୍ଥାୟୀ ବିଇଓଙ୍କୁ ନେଇ ଚାଲିଥିଲା ନର୍ଲା ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ। ହେଲେ ଆଜି ଏହାର ଅବସାନ ଘଟିଛି। ସମସ୍ତଙ୍କ କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପକାଇ ଆଜି (ବୁଧବାର) ଦିନ ୧.୩୦ ସମୟରେ ନର୍ଲା ଗୋଷ୍ଠୀ ଶିକ୍ଷାଧିକାରୀ ଭାବରେ ନିଜ କାର୍ଯ୍ୟରେ ଯୋଗଦାନ କରିଛନ୍ତି ଶ୍ରୀ ଜାନୀ।
ନର୍ଲା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଏବିଇଓ ଜୟସେନ ନିଆଲ, ସେକ୍ସନ ଅଫିସର ପରମାନନ୍ଦ ମାଝୀ, ସିନିୟର କ୍ଲର୍କ ଜୟଚନ୍ଦ୍ର ହାତୀ, ଜୁନିୟର କ୍ଲର୍କ ଜିତେନ୍ଦ୍ର ମହାନ୍ତି, ଆକାଉଣ୍ଟେଣ୍ଟ ପ୍ରଶାନ୍ତ ମହଲା, ମହେନ୍ଦ୍ର ବାରିକ ପ୍ରମୁଖ ଅଫିସ ତରଫରୁ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିବା ବେଳେ ନର୍ଲା ବ୍ଲକ୍ ହାଇସ୍କୁଲ ଗୁଡିକ ତରଫରୁ ରୁପ୍ରା ହାଇସ୍କୁଲର ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ ବେହେରା, ଶାନ୍ତପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ସାରଙ୍ଗଧର ଠାକୁର, ନର୍ଲା ହାଇସ୍କୁଲ ଷ୍ଟାଫ୍ ସୁବାସ ଚନ୍ଦ୍ର ପଧାନ, ଘୋଡାବନ୍ଧ ହାଇସ୍କୁଲର ପ୍ରଧାନ ଶିକ୍ଷକ କ୍ଷୀତିଶ କୁମାର ସାହୁ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଉପଦେଷ୍ଟା ଅନାଦି ଗିରି,
ନର୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସଭାନେତ୍ରୀ ଦୀପାଞ୍ଜଳୀ ପାଢୀ, ସରିଆଁ ସିଆରସିସି ସୁଧୀର କୁମାର ଧଙ୍ଗଡାମାଝୀ, ପଲମ ସିଆରସିସି ଜ୍ଞାନେନ୍ଦ୍ର କୁମାର ଗହୀର, ଘୋଡାବନ୍ଧ ସିଆରସିସି ହେମନ୍ତ ମାଝୀ ପ୍ରମୁଖ ନୂତନ ବିଇଓ ଭାବରେ ଯୋଗଦାନ କରିଥିବା ଶ୍ରୀ ଜାନୀଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ସ୍ୱାଗତ କରିଥିଲେ। ଇତ୍ୟବସରରେ ଜିଲ୍ଲା ଶିକ୍ଷକ ସଂଘର ଉପଦେଷ୍ଟା ଅନାଦି ଗିରି ସ୍ୱାଗତ ସଂଗୀତ ଗାନ କରିଥିଲେ।
ଏହି ଅବସରରେ ନୂତନ ବିଇଓ ଶ୍ରୀଯୁକ୍ତ ଜାନୀ କହିଛନ୍ତି ଯେ, ‘ନର୍ଲା ଶିକ୍ଷା ବିଭାଗରେ ରହିଥିବା ବିଭିନ୍ନ ସମସ୍ୟାକୁ ମୁଁ ଆନ୍ତରିକତାର ସହ ସମାଧାନ କରିବା ପାଇଁ ଚେଷ୍ଟା କରିବି। ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ଷେତ୍ରରେ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ଏହାର ଆସୁ ସମାଧାନ ନିମନ୍ତେ ଶତ ପ୍ରତିଶତ ଚେଷ୍ଟିତ ରହିବି। ମୋତେ ନର୍ଲାର ଷ୍ଟାଫ୍ ମାନଙ୍କର ଉତ୍ତମ ବ୍ୟବହାର, ସହଯୋଗୀତା ମନୋବୃତ୍ତି ବେଶ ପ୍ରଭାବିତ କରିଛି। ମୋର ସମସ୍ତ ଷ୍ଟାଫ୍ ଙ୍କୁ ନେଇ ନର୍ଲା ଶିକ୍ଷା କ୍ଷେତ୍ରରେ ରହିଥିବା ସମସ୍ତ ପ୍ରକାର ସମସ୍ୟା ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ଆଲୋଚନା କରି ସମାଧାନ ପାଇଁ ଚେଷ୍ଟା କରିବି ଓ ନର୍ଲାରେ ଶିକ୍ଷା କ୍ଷେତ୍ରରେ କିଭଳି ଉନ୍ନତି ଆସିବ ସେଥିପାଇଁ ମୁଁ କଠିନ ପରିଶ୍ରମ କରିବା ପାଇଁ ମଧ୍ୟ ପଛାଇବି ନାହିଁ।’