କଳାହାଣ୍ଡି ଜିଲ୍ଲାର ପ୍ରଥମ ଗ୍ରାମୀଣ ପାର୍କ: ବମକ ପଞ୍ଚାୟତର କାରୁଣ୍ଡଶ୍ରୀକ୍ଷେତ୍ର

କଳାହାଣ୍ଡି, (ହେମନ୍ତ ସାହୁ): ସାରା ଓଡ଼ିଶାରେ କାରୁଣ୍ଡ ଶ୍ରୀକ୍ଷେତ୍ର ଭାବରେ ପରିଚିତ ଥିବା ବମକ ପଂଚାୟତର ଏହି ସ୍ଥାନରେ ଯୋଡ଼ି ହେଇଛି ଆଉ ଏକ ସଫଳତାର ଫର୍ଦ୍ଦ। ବମକ ପଂଚାୟତର କାରୁଣ୍ଡଶ୍ରୀକ୍ଷେତ୍ର ମାଉସୀ ମାଁ ମନ୍ଦିର ନିକଟରେ କଳାହାଣ୍ଡିର ପ୍ରଥମ ଗ୍ରାମୀଣ ପାର୍କ ତିଆରି କାମ ଏବେ ପ୍ରାୟ ଶେଷ ପର୍ଯ୍ୟାୟରେ। ମ.ରାମପୁର ବ୍ଲକ୍ ବମକ ପଂଚାୟତ ତରଫରୁ ଏହିଭଳି ଏକ ପ୍ରଶଂସନୀୟ ତଥା ଉଦାହରଣ ସୃଷ୍ଟିକାରୀ ପାର୍କ ନିଶ୍ଚିତ ଭାବରେ ଅନ୍ୟମାନଙ୍କ ପାଇଁ ଆଦର୍ଶ ନିଶ୍ଚିତ। ବମକ ସରପଂଚ ପ୍ରତିମା ସାହୁଙ୍କୁ ଏହି ଅବସରରେ ସାଧୁବାଦ ଜଣାଇଛନ୍ତି ଜିଲ୍ଳାପାଳ ଏବଂ କେବିକେ ସଚିବ।


ଏହି ପାର୍କକୁ କଳାହାଣ୍ଡି ଜିଲ୍ଲାପାଳ ଡ଼ା ଗାଭାଲି ପରାଗ ହର୍ଷଦ ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିବା ସହିତ ଜିଲ୍ଲାର ସମସ୍ତ ବ୍ଳକ ତରଫରୁ ଏହାକୁ ପରିଦର୍ଶର୍ନ କରାଯିବ ଏବଂ ଏହା କଳାହାଣ୍ଡିର ପ୍ରଥମ ଗ୍ରାମୀଣ ପାର୍କ ଭାବରେ ବେଶ ପ୍ରଶଂସନୀୟ ବୋଲି କହିଥିଲେ। ଜିଲ୍ଲାପାଳଙ୍କ ସହିତ ଏହି ପରିଦର୍ଶନ ସମୟରେ ମ.ରାମପୁର ପଂଚାୟତ ସମିତି ଅଧ୍ୟକ୍ଷ ଜୀବେଶ କୁମାର ପଣ୍ଡା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଭ୍ୟ ତଥା ଜିଲ୍ଲା ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ସରପଂଚ ପ୍ରତିମା ସାହୁ, ସମିତି ସଭ୍ୟ ଭବାନୀ ଶଙ୍କର ସାହୁ, ସମାଜସେବୀ ରୋମଞ୍ଚଳ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।


ଠିକ୍ ସେହିପରି ଆଜି କେବିକେ ଯୁଗ୍ମ ପ୍ରଶାସକ ଡ଼ଃ ନୃପରାଜ ସାହୁ ଏହି ଗ୍ରାମୀଣ ପାର୍କ ପରିଦର୍ଶନ କରିଛନ୍ତି। ତାଙ୍କ ସହିତ ମ.ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗ, ଅତିରିକ୍ତ ତହସିଲଦାର ଜୟନ୍ତ କୁମାର ମେହେର, ଯନ୍ତ୍ରୀ କୀର୍ତ୍ତି ରଂଜନ ବେହେରା, ସହକାରୀ ଯନ୍ତ୍ରୀ ନିହାର ରଂଜନ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ। ତେବେ ଏହି ପାର୍କ ପାଇଁ ଅନ୍ୟସମସ୍ତ ବିଭାଗକୁ ମଧ୍ୟ ପରିଦର୍ଶନ କରାଇ ଏହାରି ସଫଳତା ନିମନ୍ତେ କାର୍ଯ୍ୟ କରାଯିବ ବୋଲି ଅଧିକାରୀମାନେ ମତବ୍ୟକ୍ତ କରିଛନ୍ତି।


ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରକୃତିର ଶୋଭାରେ ଏକ ନିଜସ୍ୱ ଚମକ ରହିଥିବାବେଳେ କାରୁଣ୍ଡଶ୍ରୀକ୍ଷେତ୍ରର ଏହି ଗ୍ରାମୀଣ ପାର୍କ ଆଗାମୀ ଦିନରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବ ଏବଂ ଏଠାରେ ବୋଟିଂ ଠାରୁ ଆରମ୍ଭ କରି ଶିଶୁମାନଙ୍କ ଖେଳିବା ପାଇଁ ସମସ୍ତ ବ୍ୟବସ୍ଥା ରହିବା ସହିତ ଆଲୋକୀକରଣ, ନିକଟସ୍ଥ ପାହାଡ଼କୁ ସବୁଜ ବନାନୀ ପରି ଅନେକ ପଦକ୍ଷେପ ନିଆଯିବ ବୋଲି ସରପଂଚ ଶ୍ରୀମତୀ ସାହୁ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.