ଦାଦନ ସମସ୍ୟାରେ ଜର୍ଜରିତ କଳାହାଣ୍ଡି ମାଟି: ଅକାଳରେ ଚାଲିଗଲା ପୁଣି ଜଣେ ଦାଦନ ଶ୍ରମିକଙ୍କ ଜୀବନ

ଅର୍ଥାଭାବ ଯୋଗୁଁ ଗାଁକୁ ଫେରିପାରୁନି ମୃତଦେହ

ଥୁଆମୂଳ ରାମପୁର, (ଦୁର୍ଗା କିର୍ତ୍ତି): କଳାହାଣ୍ଡି ଜିଲ୍ଲାରେ ଦାଦନ ସମସ୍ୟା ଉତ୍କଟ ଋପ ଧାରଣ କରିଥିବାବେଳେ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକରେ ଏହା ସବୁ ସୀମା ପାର କରିଯାଇଛି। ଅନେକ ସମୟରେ ବାହାର ରାଜ୍ୟରେ ନିର୍ଯ୍ୟାତିତ ହେଉଥିବା ଶ୍ରମିକମାନଙ୍କ ମଧ୍ୟରୁ ଅନେକ ଅକାଳରେ ମୃତ୍ୟୁବରଣ କରୁଥିବା ଦେଖିବାକୁ ମିଳିଛି। ସେହିପରି ଭାବରେ ତାମିଲନାଡୁରେ ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ସମାପଲା ଗାଁର ଜଣେ ଦାଦନ ଶ୍ରମିକଙ୍କ ବିନାରସିଂ ମାଝୀ(୩୧) ମୃତ୍ୟୁ ମୁଖରେ ପଡିଛନ୍ତି। ଅର୍ଥାଭାବ ଯୋଗୁଁ ତାଙ୍କ ମୃତଦେହ ଗାଁକୁ ଆସିପାରୁ ନାହିଁ। ବିନାରସିଂ ୨୦୧୯ରେ ଦାଦନ ଖଟିବାକୁ ତାମିଲନାଡୁକୁ ଯାଇଥିଲେ। କିଛିଦିନ ହେଲା ସେ ଅସୁସ୍ଥ ଥିଲେ। ସାଥୀମାନେ ତାଙ୍କୁ କୋଏମ୍ବାଟୁର ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳେ ତାଙ୍କ ମୃତ୍ୟୁ ହୋଇଛି। ଏହି ଖବର ଜାଣିବା ପରେ ପରିବାର ଲୋକେ ଭାଙ୍ଗିପଡ଼ିଛନ୍ତି। ବିନାରସିଂ ବିବାହିତ ଏବଂ ତାଙ୍କର ଗୋଟିଏ ପୁଅ ଓ ଧର୍ମପତ୍ନୀ ଅଛନ୍ତି। ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ରୋଜଗାରିଆ ସ୍ବାମୀଙ୍କୁ ହରାଇ ତାଙ୍କ ସ୍ତ୍ରୀ ଏବେ ବେସାହାରା ହୋଇପଡ଼ିଛନ୍ତି। ତୁରନ୍ତ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି। ଅନ୍ୟପକ୍ଷରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୃତଦେହ ଫେରାଇ ଆଣିବାକୁ ସେଠିକାର ପ୍ରଶାସନ ସହ ଯୋଗାଯୋଗ କରିଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.