ପଶ୍ଚିମ ଓଡିଶା ଯୁବାମଞ୍ଚର ନୂଆଖାଇ ଭେଟଘାଟ ତଥା ବାର୍ଷିକ ଉତ୍ସବ ‘ଉଥାନ- ୨୦୨୧’

● ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସମେତ ସମ୍ବର୍ଦ୍ଧିତ ହେଲେ ପଶ୍ଚିମ ଓଡ଼ିଶାର ୪୫ଟି ସ୍ବେଚ୍ଛାସେବୀ ଅନୁଷ୍ଠାନ

ବଲାଙ୍ଗୀର/କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତି ସାରା ବିଶ୍ବରେ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିଥାଏ। ଏହି ମାଟିର ନୂଆଖାଇ ପର୍ବ ଏପରି ଏକ ପାର୍ବଣ ଯାହା ସମସ୍ତଙ୍କୁ ଏକତାର ରଜ୍ଜୁରେ ବାନ୍ଧିଥାଏ। ଏହି ଏକତାର ପର୍ବ ଅଞ୍ଚଳର କଳା, ସାହିତ୍ୟ, ସଂସ୍କୃତିକୁ ପରିପୃଷ୍ଟ କରିଛି। ଏଥିପାଇଁ ପଶ୍ଚିମ ଓଡିଶାର ସ୍ୱତନ୍ତ୍ର ପରିଚୟ ରହିଛି। ଅଂଚଳର ବିକାଶ ପାଇଁ କଳା ସଂସ୍କୃତିର ବିକାଶ ନିହାତି ଦରକାର। ଆମ କଳା ସଂସ୍କୃତିର ସ୍ୱତନ୍ତ୍ରତା ଆମକୁ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ଦେଇଛି ବୋଲି ବଲାଙ୍ଗୀର ସ୍ୱୟଂ ହୋଟେଲ ଠାରେ ପଶ୍ଚିମ ଓଡିଶା ଯୁବାମଞ୍ଚ ତରଫରୁ ଆୟୋଜିତ ନୂଆଖାଇ ଭେଟଘାଟ (ଉଥାନ- ୨୦୨୧) କାର୍ଯ୍ୟକ୍ରମରେ ଅଥିତିଗଣ ମତବ୍ୟକ୍ତ କରିଛନ୍ତି ।

ପଶ୍ଚିମ ଓଡିଶା ଯୁବାମଞ୍ଚ ସଭାପତି ଅଜିତ କୁମାର ପତିଙ୍କ ସଭାପତିତ୍ୱ ଓ ସଂଯୋଜନାରେ ଦିନବେଳା ଅନୁଷ୍ଠାନର ବାର୍ଷିକ ଉତ୍ସବ “ଉଥାନ- ୨୦୨୧”ରେ ମୁଖ୍ୟ ଅଥିତି ଭାବେ ବଲାଙ୍ଗୀରର ପୂର୍ବତନ ସାଂସଦ ବାଳଗୋପାଳ ମିଶ୍ର, ସମ୍ମାନିତ ଅଥିତି ଭାବରେ ଲୋଇସିଂହା ବିଧାୟକ ଡ଼ଃ. ମୁକେଶ ମହାଳିଙ୍ଗ, ବରଗଡ ର କୋଶଲବାଦୀ ନେତା ଦେବଦତ୍ତ ମିଶ୍ର, ସଂସ୍କୃତି ଗବେଷକ ଗୁରୁ ଶ୍ରୀ ଡ଼ଃ. ଘାସିରାମ ମିଶ୍ର, ଶାଶ୍ୱତ ମିଶ୍ର, ଲୋୟର ସୁକତେଲର ପିଡ଼ିଆରଆର ମହେନ୍ଦ୍ର ମହାପାତ୍ର, ପୋୖରାନିର୍ବାହୀ ଅଧିକାରୀ ବିପିନ ଦୀପ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ୧୦ ଟି ଜିଲ୍ଲାର କାର୍ଯ୍ୟକର୍ତ୍ତା ଯୋଗଦେଇଥିବା ବେଳେ ୪୫ଟି ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେଥି ମଧ୍ୟରୁ କଳାହାଣ୍ଡି ଜିଲ୍ଲାର ‘ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି’କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ, ବିଗତ ତିନି ବର୍ଷ ଧରି ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ନିରନ୍ତର ଭାବେ ଜିଲ୍ଲାର ରକ୍ତ ଅଭାବ ପୁରଣ କରି ଆସୁଛି। ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରର ଆୟୋଜନ ସହ ଜନ ସଚେତନତା ସୃଷ୍ଟି କରି ଏହି ଅନୁଷ୍ଠାନ ଜିଲ୍ଲାର ଜନସାଧାରଣଙ୍କ ପ୍ରିୟପାତ୍ର ହୋଇ ପାରିଛି। ତେବେ ଏହି ସମାରୋହରେ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡିର କର୍ମକର୍ତ୍ତା ହେମସାଗର ସାହୁ, ମିଲନ କୁମାର ଭୋଇ, ରାଜେଶ ଗୌଡ଼, ସୌଭାଗ୍ୟ ସାହୁ, ସମୀର ସାହୁ, ଅସିତ କୁମାର ସାହୁ, ନବୀନ ନାଏକ, ମହେଶ୍ୱର ସୁନାନୀ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.