୧୫ ରୁ ୧୮ବର୍ଷ ବୟସ୍କ ପିଲାଙ୍କ ଟିକାକରଣ ଆରମ୍ଭ

କୋକସରା, (ହିରଣ୍ୟ ବେହେରା): ସାରା ଦେଶରେ ସୋମବାର ଠାରୁ ୧୫ ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପ୍ରଥମ ପର୍ଯ୍ୟାୟରେ କୋଭିଡ ଟୀକାକରଣ କରାଯାଇଛି । ଓମିକ୍ରନ ସଂକ୍ରମଣ ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅଣ୍ଟା ଭିଡିଥିବାବେଳେ ଏହି ଟିକାଦାନ ଫଳରେ କିଶୋରଙ୍କ ମଧ୍ୟରେ ସଂକ୍ରମଣର ଆଶଙ୍କାକୁ ଏଡାଇବାକୁ ପ୍ରୟାସ ଆରମ୍ଭ ହୋଇଛି । ଏହି କ୍ରମରେ କୋକସରା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା କୋକସରା, ଲଡୁଗାଁ ଓ ଆମପାଣି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଟିକାଦାନ ଆରମ୍ଭ ହୋଇଛି ।

ଅନ୍‌ଲାଇନ ଓ ଅଫ୍‌ଳାଇନ ରେଜିଷ୍ଟ୍ରେସନ କରି ୧୫ ରୁ ୧୮ ବର୍ଷର ପିଲାମାନେ ଟିକା ନେବାପାଇଁ ସକାଳୁ ସକାଳୁ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ମୁହଁରେ ମାସ୍କ ଓ ସାମାଜିକ ଦୁରତା ରଖି ଧାଡ଼ିବାନ୍ଧି ଟିକା ଗ୍ରହଣ କରିଛନ୍ତି । ଏବଂ ଟିକା ନେବା ପାଇଁ ମଧ୍ୟ ସେମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ମଧ୍ୟ ଟିକା ନେବାକୁ ଆସିଥିବା ପିଲାଙ୍କ ପାଇଁ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି । ୩ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରଥମ ଦିନରେ ୨୧୨ଜଣ ଙ୍କୁ ଟିକା ଦିଆଯାଇଥିବା କୋକସରା ଜନସ୍ୱାସ୍ଥ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା ସୁଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.