ଲାଞ୍ଜିଗଡ଼: ବେଦାନ୍ତ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଓ ପାରିପାର୍ଶିକ ଅଞ୍ଚଳର ବିକାଶ ଦାବିରେ ଲାଞ୍ଜିଗଡ ବ୍ଲକ ଯୋଡାବନ୍ଧରେ ରେଳ ରୋକ କରିଛନ୍ତି ଅଞ୍ଚଳବାସୀ । ଦୀର୍ଘ ଦିନ ଧରି ବେଦାନ୍ତ କମ୍ପାନୀ ସ୍ଥାନୀୟ ଲୋକଙ୍କୁ ଭୁଆଁ ବୁଲାଉ ଥିବା ବେଳେ ପାରିପାର୍ଶିକ ଅଞ୍ଚଳର ବିକାଶ ଓ ସ୍ଥାୟୀ ନିଯୁକ୍ତି ପାଇଁ ଅଞ୍ଚଳବାସୀ ଅନେକ ଥର ବେଦାନ୍ତ କର୍ତ୍ତୃପକ୍ଷଙ୍କୁ ଦାବି କରି ଆସୁଛନ୍ତି ହେଲେ କମ୍ପାନୀ କର୍ତ୍ତୃପକ୍ଷ ନିରାବଦ୍ରଷ୍ଟା ସାଜିଛନ୍ତି ବୋଲି ଅଭିଯୋଗ କରିଛନ୍ତି ।
ଏହାକୁ ନେଇ ଅଞ୍ଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଦେଖାଦେଇଥିଲା । ଆଜି ଯୋଡ଼ାବନ୍ଧ ଓ ଆଖପାଖ ଗାଁର ଲୋକେ ଏକତ୍ରିତ ହୋଇ ବେଦାନ୍ତ କାରଖାନାକୁ ସଂଯୋଗ କରୁଥିବା ମାଲବାହୀ ଟ୍ରେନକୁ ଅଟକାଇ ଧାରଣାରେ ବସିଥିଲେ ।
ବେଦାନ୍ତ କର୍ତ୍ତୃପକ୍ଷ, ପ୍ରଶାସନ ଓ ଲାଞ୍ଜିଗଡ଼ ପୁଲିସ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସେମାନେ ନିଜ ଜିଦରେ ଅଟଳ ରହିଥିଲେ । ଯେତେଦିନ ପର୍ଯ୍ୟନ୍ତ ଦାବି ପୂରଣ ନ ହେବ ଧାରଣା ଜାରି ରହିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in