କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ରେ ଜିଲ୍ଲା ପରିଷଦ ଗଠନ ପାଇଁ ଏଥରକ ଶାସକ ବିଜେଡି ଦଳ ପ୍ରାଣ ପଣେ ଚେଷ୍ଟା କରିବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଥିବା ବେଳେ ଦଳ ଅଦୟାବଧି କଳାହାଣ୍ଡିରେ ଘୋଷଣା କରିପାରିନି ଦଳୀୟ ପ୍ରାର୍ଥୀ ତାଲିକା । ଅନ୍ୟପକ୍ଷେ ବିଜେଡିର ମୁଖ୍ୟ ପ୍ରତିଦ୍ୱନ୍ତି ତଥା ଗତ ଥର କଲାହାଣ୍ଡିର ୩୬ ଗୋଟି ଜିଲ୍ଲା ପରିଷଦ ଜୋନରୁ ୩୪ ଗୋଟି ସିଟ ଦଖଲ କରି ଏକ ତରଫା ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଆସନ ହାତେଇଥିବା ବିଜେପି ଦଳ ଗତ କାଲି କଳାହାଣ୍ଡିର ୩୬ ଗୋଟି ଆସନ ପାଇଁ ପ୬ାର୍ଥୀ ତାଲିକା ପ୍ରକାଶ କରିଛି । ବିଭିନ୍ନ ଜିଲ୍ଲା ପରିଷଦ ଜୋନ୍ ପାଇଁ ବଛାବଛା ଉତ୍ତମ ପ୍ରାର୍ଥୀ ଚୟନ କରି ବିଜେପି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କୁହାଯାଉଥିବା ବେଳେ ଆସନ୍ତା କାଲି ପ୍ରାର୍ଥୀ ପତ୍ର ଦାଖଲର ଅନ୍ତିମ ଦିବସ ହୋଇଥିବା ବେଳେ ଶାସକ ବିଜେଡି ଦଳ ଅଦ୍ୟାବଧି ପ୍ରାର୍ଥୀ ତାଲିକା ପ୍ରକାଶ କରିନଥିବାରୁ ଦଳୀୟ ଟିକେଟ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଘନେଇବାରେ ଲାଗିଥିବା ଦେଖିବାକୁ ମିଳୁଛି । ଅନ୍ୟପକ୍ଷେ ଆଶାୟୀ ପ୍ରାର୍ଥୀ ମାନେ ନାମ ତାଲିକା ପ୍ରକାଶ ପାଇ ନଥିବାରୁ ଦ୍ୱନ୍ଦରେ ରହୁଛନ୍ତି । ପ୍ରାର୍ଥୀପତ୍ର ପକାଇବା ପାଇଁ ଅନେକ ପ୍ରକାରର କାଗଜ ପତ୍ର ପ୍ରସ୍ତୁତ କରିବାକୁ ରହିଥିବା ବେଳେ ଅନ୍ତିମ କ୍ଷଣରେ ପ୍ରାର୍ଥୀ ତାଲିକା ପ୍ରକାଶନ କଲେ ଦଳୀୟ ଟିକେଟ ପାଇଥିବା ପ୍ରାର୍ଥୀ ମାନେ ଆସନ୍ତା କାଲି କେତେବେଳେ କାଗଜ ପତ୍ର କରିବେ ଏବଂ ଦୂର ଦୂରାନ୍ତ ଜୋନ ର ପ୍ରାର୍ଥୀ ମାନେ କେତେବେଳେ ଭବାନୀପାଟଣା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ କେତେବେଳେ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଅନ୍ୟପକ୍ଷେ ନର୍ଲାର ତିନି ଗୋଟି ଜୋନ ମଧ୍ୟରୁ ୨୬ ନମ୍ବର ଜୋନ ନର୍ଲା-୧ (ରୁପ୍ରା ଜୋନ) ପାଇଁ ସଞ୍ଜୁ ସାହୁ, ୨୭ ନମ୍ବର ଜୋନ ନର୍ଲା-୨ ( ସରିଆଁ ଜୋନ ଅନୁସୂଚୀତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଥିବା ଆସନ) ପାଇଁ ସୁଶ୍ରୀ ରୀନା ଭୋଇ ଓ ୨୮ ନମ୍ବର ଜୋନ ନର୍ଲା-୩ (ନର୍ଲା ଅନୁସୂଚୀତ ଜାତୀ ମହିଳାଙ୍କ ପାଇଁ ସଂରକ୍ଷିତ ଆସନ) ଶ୍ରୀମତୀ ପ୍ରଣତି ମହାନନ୍ଦଙ୍କୁ ବିଜେପି ତରଫରୁ ପ୍ରାର୍ଥୀ କରିଥିବା ଜଣାପଡିଛି । ନର୍ଲାର ତିନିଗୋଟି ଜୋନ ପାଇଁ ବିଜେଡି ଟିକେଟ ପାଇଁ ମଧ୍ୟ ୨ ରୁ ୩ ଜଣ ଲେଖାଏଁ ଆଶାୟୀ ପ୍ରାର୍ଥୀ ଦୌଡ ରେ ରହିଥିବା ଦେଖିବାକୁ ମିଳୁଛି । ବିଜେପି ତରଫରୁ ଦଳୀୟ ପ୍ରାର୍ଥୀ ଭାବରେ ନାମ ପ୍ରକାଶ ପାଇଥିବା ନର୍ଲା ଜିଲ୍ଲା ପରିଷଦ ପ୍ରାର୍ଥୀ ମାନେ ତିନିଜଣ ଆସନ୍ତା କାଲି ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣାପଡିଥିବା ବେଳେ ବିଜେଡି ଦଳ ତରଫରୁ ବିଧିବଦ୍ଧ ଭାବରେ ନାମ ତାଲିକା ପ୍ରକାଶ ପାଇନଥିଲେ ମଧ୍ୟ କେତେକ ହେଭିୱେଟ ପ୍ରାର୍ଥୀ ଆଜି ଭବାନୀପାଟଣା ଉପଜିଲ୍ଲାପାଳଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି ।





