ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଚଳିତ ତ୍ରିସ୍ତରୀୟ ନିର୍ବାଚନକୁ ଆଖି ଆଗରେ ରଖି ଏହାକୁ ନିରପେକ୍ଷ ଓ ଶାନ୍ତି ପୂର୍ଣ୍ଣ ଭାବେ ଆୟୋଜନ କରିବା ପାଇଁ ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଧେଶରେ ରାୟଗଡା ଓ ଗୁଣପୁର ଠାରେ ଦୁଇଟି ସ୍ଥାନରେ ଅବକାରୀ ନିୟନ୍ତ୍ରଣ କକ୍ଷ ଖୋଲାଯାଇ ବ୍ୟାପକ ଧରପଗଡ଼ କରାଯାଇଛି । ଗତ ଜାନୁଆରୀ ୨୭ତାରିଖରୁ ଗତକାଲି ଫେବୃଆରୀ ୧୨ତାରିଖ ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୦୭ଟି କେସ୍ ରୁଜୁ କରିବା ସହିତ ଏଥିରେ ୬୩ଜଣ ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ବିଭାଗ । ରାୟଗଡ଼ ଅବକାରୀ ଅଧିକ୍ଷକ ଶ୍ରୀମତି ନିନା ବେଉରାଙ୍କ ତତ୍ୱାବଧାନରେ ରାୟଗଡ଼ା ସଦର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସୂର୍ଯ୍ୟନାରାୟଣ ରଥଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଦଳ ଓ ଗୁଣପୁର, ମୁନିଗୁଡାର ଅବକାରୀ ଦଳ ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ାଉ କରି ବ୍ୟାପକ ଚୋରାମଦ, ପୋଚ ଓ ରନ୍ଧା ସାମଗ୍ରୀ ଜବତ କରିଛନ୍ତି । ଏହି ଚଢ଼ାଉ ବେଳେ ୩୨.୦୪୦ଲିଟର ପୋଚ, ୩୮୬୭ ଲିଟର ଦେଶୀ ମହୁଲ ମଦ ୫୭୩ଲିଟର ତାଡି, ୧୪୦. ୮ ଲିଟର ଅପମିଶ୍ରିତ ବିଦେଶୀ ମଦ,୪୪.୨୨ଲିଟର ବିଦେଶୀ ମଦ,୧୭୬ ଲିଟର ବିଅର ଏବଂ ୨୪.୭୦ କେଜି ଗଂଜେଇ ଜବତ କରିଛନ୍ତି । ଏହା ସହିତ ବ୍ୟବହୃତ ୩ ଗୋଟି ଯାନ ଜବତ କରିଥିଲେ । ଉକ୍ତ ଧରପଗଡ଼ରେ ଜିଲ୍ଲାର ସମସ୍ତ ଅବକାରୀ ଅଧିକାରୀ ଓ ଅନ୍ୟାନ୍ୟ ଅବକାରୀ କର୍ମଚାରୀମାନେ ସାମିଲ ହୋଇଥିଲେ ଓ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଧରପଗଡ଼ ଚାଲୁରହିବ ବୋଲି ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀମତି ନୈନା ବେଉରା ପ୍ରକାଶ କରିଛନ୍ତି ।