ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ରୁପ୍ରା ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ଡଲି ବେହେରା ଆଜି ଏକ ଭବ୍ୟ ପରିବେଶ ମଧ୍ୟରେ ବିଧିବଦ୍ଧ ଭାବେ ନିଜର କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ରୁପ୍ରା ପିଇଓ ଥବିର ରଣା ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବାସହ ଆବଶ୍ୟକୀୟ ଫାଇଲରେ ଦସ୍ତଖତ କରାଇଥିଲେ । ପଞ୍ଚାୟତର ସମସ୍ତ ପ୍ରକାର ଉନ୍ନୟନ କାର୍ଯ୍ୟ କିପରି ସମସ୍ତଙ୍କ ସହଯୋଗରେ ହୋଇପାରିବ ସେଥିପାଇଁ ସମସ୍ତଙ୍କ ଆଶିର୍ବାଦ ଓ ସହଯୋଗ କାମନା କରିଛନ୍ତି ଡଲି ବେହେରା । ସରପଞ୍ଚ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀମତୀ ବେହେରା ନିଜ ପ୍ରତିକ୍ରୀୟାରେ କହିଛନ୍ତି, ପଞ୍ଚାୟତର ମୌଳିକ ସମସ୍ୟା ପୁରଣ ଦିଗରେ ଧ୍ୟାନ ଦେବେ । ରାସ୍ତା ଘାଟ, ବିଜୁଳି, ଶିକ୍ଷା ଓ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଗୁରୁତ୍ୱ ଦେବାସହ ଶ୍ରମିକ ମାନେ କିପରି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ ପାଇପାରିବେ ସେଥିପ୍ରତି ମଧ୍ୟ ଧ୍ୟାନଦେବେ । ଏହାସହ ବାର୍ଦ୍ଧକ୍ୟ ଭତ୍ତା ଓ ଆବାସ ଯୋଜନାରେ କିପରି ହିତାଧିକାରୀ ଉପକୃତ ହେବେ ସେଥିପ୍ରତି ଗୁରୁତ୍ୱ ଦେବି ବୋଲି ସେ କହିଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ, ୨୧ ବର୍ଷ ବୟସ୍କା ଡଲି ବେହେରା ସର୍ବ କନିଷ୍ଠା ସରପଞ୍ଚ ଭାବରେ ରୁପ୍ରା ଗ୍ରାମ ପଞ୍ଚାୟତର ଗୁରୁତ୍ୱପୁର୍ଣ୍ଣ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତ ମାର୍ଚ୍ଚ ୧୧ ତାରିଖରେ ନାଏବ ସରପଞ୍ଚ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ନାଏବ ସରପଞ୍ଚ ଭାବରେ ଚନ୍ଦ୍ରମଣି ଗୌଡ ବିଜୟ ଘୋଷିତ ହୋଇଥିଲେ । ଉକ୍ତ ଦିନ ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ଡଲି ବେହେରା ପ୍ରଥମ କରି ରୁପ୍ରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବା ସହ ନାଏବ ସରପଞ୍ଚ ନିର୍ବାଚନରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ ମଧ୍ୟ ଦାୟିତ୍ୱ ଗ୍ରହଣ କରିନଥିଲେ । ଆଜି ସରପଞ୍ଚ ଭାବରେ ଦାଇତ୍ୱ ଗ୍ରହଣ କରିବା ପାଇଁ ତାଙ୍କ ସ୍ୱାମୀ ସୁଶାନ୍ତ ସେନାପତି ଓ ଛୋଟ ପୁଅ ଅର୍ପିତ ସହ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ । ପିଇଓ ଥବିର ରଣା ଓ ପୂର୍ବ ସରପଞ୍ଚ ବିଷୟା ମାଝୀଙ୍କ ସମେତ କର୍ମଚାରୀ ନବ ନିର୍ବାଚିତ ସରପଞ୍ଚ ଶ୍ରୀମତି ବେହେରାଙ୍କୁ ସ୍ୱାଗତ ଜଣାଇଥିଲେ । ଏକ ଭବ୍ୟ ପରିବେଶ ମଧ୍ୟରେ ଗ୍ରାମ ପଞ୍ଚାୟତର ପୂର୍ବ ସରପଞ୍ଚ ତଥା ଗ୍ରାମ୍ୟ ଉନ୍ନୟନ କମିଟି ସଭାପତି ଶ୍ୟାମ ସୁନ୍ଦର ସେନାପତି, ବରିଷ୍ଠ ନାଗରିକ ଗୋପାଳ କୃଷ୍ଣ ବେହେରା, ନବ ନିର୍ବାଚିତ ନାଏବ ସରପଞ୍ଚ ଚନ୍ଦ୍ରମଣି ଗୌଡ ଓ ଜନସାଧାରଣଙ୍କ ଉପସ୍ଥିତିରେ ଦାଇତ୍ୱ ଭାର ଗ୍ରହଣ କରିଥିଲେ ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ଡଲି ବେହେରା ।