ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ତଥା ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତକୁ ନେଇ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ କୌଣସି ସମାଧାନର ବାଟ ଏଯାଏ ବାହାରିପାରିନାହିଁ । ଏଭଳି ସ୍ଥିତିରେ ଆନ୍ଧ୍ର ସହ ରହିବାକୁ ଫାଟୁସିନେରି ସରପଞ୍ଚ କୁନେଟି କୁସଆମାଁଙ୍କ ସହ ଆନ୍ଧ୍ରର ଅନ୍ୟ ଦୁଇ ପଞ୍ଚାୟତ ସାରିକା ଓ କୁରୁକୁଟିର ସରପଞ୍ଚ ଆଇନଜୀବୀ ରେଗୁ ମହେଶ୍ବର ରାଓଙ୍କ ମାଧ୍ୟମରେ ଗତ ଫେବୃୟାରୀ ୧୫ ତାରିଖରେ ସୁପ୍ରିମକୋର୍ଟରେ ଏକ ମିସ୍କେସ୍କେସ୍ (ନଂ ଡବ୍ଲ୍ୟୁପି(ସି) ନଂ.୧୧୩/୨୦୨୨) ଦାଖଲ କରିଛନ୍ତି । ଉକ୍ତ ମାମଲାର ଶୁଣାଣି ଆସନ୍ତା ୨୧ ତାରିଖକୁ ଧାର୍ଯ୍ୟ ହୋଇଛି, ଯାହାକି ଓଡ଼ିଶା ପାଇଁ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି । କୋଟିଆ ପଞ୍ଚାୟତର ତିନି ଗ୍ରାମ ଗଞ୍ଜେଇ ପଦର, ଫଗୁଣସିନେରି ଓ ଫାଟୁସିନେରିରେ ଆନ୍ଧ୍ର ସରକାର ସରପଞ୍ଚ ନିର୍ବାଚିତ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଉପରୋକ୍ତ ସରପଞ୍ଚମାନେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ, ସେମାନଙ୍କ ସହ ୨୧ ଖଣ୍ଡ ଗ୍ରାମବାସୀ ଆନ୍ଧ୍ର ରାଜ୍ୟର ସମସ୍ତ ସରକାରୀ ଯୋଜନାରୁ ସୁବିଧା ପାଉଛନ୍ତି । ତେଣୁ ସେମାନଙ୍କୁ ଆନ୍ଧ୍ର ରାଜ୍ୟ ସହ ରହିବାକୁ ଅନୁମତି ମିଳୁ । ସୂଚନାଯୋଗ୍ୟ ସାରିକା ଓ କୁରୁକୁଟି ପଞ୍ଚାୟତର କେତେକ ଗ୍ରାମ ଓଡ଼ିଶାରେ ରହିଛି ।