ମାନବ ଚାଲାଣ ବିରୋଧୀ ସେଲ୍ ର ଶୁଭାରମ୍ଭ

ମାନବ ଚାଲାଣ ମାମଲାର ମୁକାବିଲା ନିମନ୍ତେ ଦକ୍ଷତା ବୃଦ୍ଧି ଏବଂ ମାନବ ଚାଲାଣ- ବିରୋଧୀ ୟୁନିଟ୍ ଗୁଡିକରେ ପ୍ରଶିକ୍ଷଣ ପାଇଁ ସେଲ୍ ଆରମ୍ଭ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଜାତୀୟ ମହିଳା ଆୟୋଗ (ଏନ୍‌ସିଡବ୍ଲ୍ୟୁ) ମାନବ ଚାଲାଣ ମାମଲା ଗୁଡିକର ପ୍ରଭାବୀ ସମାଧାନ, ମହିଳାଙ୍କ ମଧ୍ୟରେ ସଚେତନତା ବୃଦ୍ଧି, ଚାଲାଣ-ବିରୋଧୀ ୟୁନିଟ୍‌ର ପ୍ରଶିକ୍ଷଣ ଓ ସାମର୍ଥ୍ୟ ନିର୍ମାଣ ଏବଂ ଆଇନ୍ ପ୍ରଣୟନ ଏଜେନ୍ସି ଗୁଡିକର ପ୍ରତିକ୍ରିୟାଶୀଳତା ବୃଦ୍ଧି କରିବା ନିମନ୍ତେ ଆଜି ଏକ ମାନବ ଚାଲାଣ ବିରୋଧୀ ସେଲର ଶୁଭାରମ୍ଭ କରିଛି । ସେଲର ସ୍ଥାପନା ଆଇନ୍ ପ୍ରଣୟନକାରୀ ଅଧିକାରୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଏବଂ ସେମାନଙ୍କର ସାମର୍ଥ୍ୟ ନିର୍ମାଣକୁ ସୁଗମ କରିବା ଉଦ୍ଦେଶ୍ୟରେ କରାଯାଇଛି । ଏହି ସେଲ ଆଂଚଳିକ, ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ପୋଲିସ୍ ଅଧିକାରୀମାନଙ୍କୁ ଏବଂ ଦଣ୍ଡ ବିଧାନକାରୀମାନଙ୍କୁ ମାନବ ଚାଲାଣର ବିଲୋପ କରିବା ନିମନ୍ତେ ଲିଙ୍ଗଭିତିକ ସମ୍ବେଦନଶୀଳତାର ପ୍ରଶିକ୍ଷଣ ଦେବ ଏବଂ କର୍ମଶାଳା ଆୟୋଜନ କରିବ । ଆୟୋଗ ଦ୍ୱାରା ଗ୍ରହଣ କରାଯାଇଥିବା ମାନବ ଚାଲାଣ ସମ୍ପର୍କିତ ଅଭିଯୋଗ ଗୁଡ଼ିକର ସମାଧାନ ଏହା ମାଧ୍ୟମରେ କରାଯିବ । ଆୟୋଗ ଏହା ଜାଣିବାକୁ ପାଇଛି ଯେ, ଚାଲାଣକୁ ବନ୍ଦ କରିବା ପାଇଁ ଯେଉଁ କିଛି ପ୍ରମୁଖ ସମସ୍ୟା ଗୁଡିକର ସାମନା କରିବାକୁ ପଡୁଛି, ସେଥିରେ ପୀଡିତା ମାନଙ୍କ ନିମନ୍ତେ ଥଇଥାନର ଅଭାବ ଏବଂ ଅବୈଧ ବ୍ୟାପାରରୁ ବର୍ତି ଯାଉଥିବା ଲୋକମାନେ ଏବଂ ସେମାନଙ୍କ ପରିବାର ପ୍ରତି ଅଣସମ୍ବେଦନଶୀଳ ମନୋଭାବ ସାମିଲ୍ ଅଟେ । ଏଥପାଇଁ, ସେଲ ତଦାରଖ ବ୍ୟବସ୍ଥାରେ ସଂସ୍କାର ଆଣିବ ଏବଂ ମାନବ ଚାଲାଣକୁ ବନ୍ଦ କରିବା ଏବଂ ପୀଡିତା ମାନଙ୍କର ପୁନଃଥଇଥାନ ନିମନ୍ତେ ପଦକ୍ଷେପ ନେଉଥିବା ସରକାରୀ ଏଜେନ୍ସି ଗୁଡିକୁ ପ୍ରୋତ୍ସାହିତ କରିବ । ଏହି ସେଲ ଚାଲାଣରୁ ବର୍ତି ଯାଇଥିବା ଲୋକମାନଙ୍କୁ ଆବଶ୍ୟକତା – ଆଧାରିତ ପ୍ରଶିକ୍ଷଣ ପ୍ରଦାନ କରିବ ଏବଂ ପୀଡିତା ମାନଙ୍କୁ ପୁନଃପୀଡନରୁ ରକ୍ଷା କରିବା ନିମନ୍ତେ ସାମର୍ଥ୍ୟ ନିର୍ମାଣ କାର୍ଯ୍ୟକ୍ରମ ଆୟୋଜନ କରି ସେମାନଙ୍କର ଜୀବନକୁ ପୁଣି ଥରେ ଗଢ଼ି ତୋଳିବାରେ ସହାୟତା ପ୍ରଦାନ କରିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.