ଦଣ୍ଡ ଆସିଲେ ମନେପଡ଼ନ୍ତି ସ୍ୱର୍ଗତ ଜଳନ୍ଧର ଦଣ୍ଡସେନା

କାମନା ଦଣ୍ଡ: ମହା କଭ୍‌ରେଜ୍ (୩)

ଚଢେୟା ନୃତ୍ୟର ସେ ଥିଲେ ଅପ୍ରତିଦ୍ୱନ୍ଦୀ କଳାକାର । କାମନା ଦଣ୍ଡ ନାଚ କହିଲେ, ଏହି ନାଚର ନାୟକ ଚଢେୟା କଥା ଆଗ ମନେ ପଡ଼େ । ଆଉ ଯୋଉଠି ବି କାମନା ଦଣ୍ଡ ବିଷୟରେ ଆଲୋଚନା, କଥାବାର୍ତ୍ତା ଚାଲିଥାଏ, ପୁରୁଣା ଦିନକୁ ଯୋଉମାନେ ମନେପକଉଥାନ୍ତି ଜଳ ଚଢେୟା (ସ୍ୱର୍ଗତ ଜଳନ୍ଧର ଦଣ୍ଡସେନାଙ୍କ ଚଢେୟା ନୃତ୍ୟ) କଥା ନିଶ୍ଚିତ ସ୍ମରଣ କରନ୍ତି । ତତକାଳୀନ ଦଣ୍ଡଗୁରୁ ତଥା ଜଣେ ସ୍ମରଣୀୟ ମାତୃପୂଜକ, କୁହାଯାଏ ଯିଏ ମାଁ କାଳୀଙ୍କ ପରମସେବକ ସ୍ୱର୍ଗତ ବିପ୍ର ଦଣ୍ଡସେନାଙ୍କ ବଡ଼ ପୁଅ ସ୍ୱର୍ଗତ ଜଳନ୍ଧର । ଜଳନ୍ଧର ଚଢେୟା ନୃତ୍ୟରେ ଏତେ ନିପୁଣ ଥିଲେ ଯେ, ଭରପୂର ଦର୍ଶକ ତାଙ୍କରି ନୃତ୍ୟ ଦେଖିବାକୁ ଶେଷ ପର୍ଯ୍ୟନ୍ତ ଜାଗା ଛାଡ଼ୁନଥିଲେ । ସୁନ୍ଦର ନୃତ୍ୟ ସହିତ ଚମତ୍କାର ଗୀତ ପରିବେଷଣ ସବୁରି ହୃଦୟରେ ଆଜି ବି ଜାଗାଟିଏ ତିଆରି କରିଛି । ତାଙ୍କରି ନୃତ୍ୟର ଚମତ୍କାରିତା ସଂପର୍କରେ ଗୋଟିଏ ଛୋଟ ଉଦାହରଣ ଦିଆଯାଇପାରେ । ଚଢେୟା ବାଡ଼ିକୁ ଦୁଇହାତରେ ଧରି ସେ ଚଢେୟା ନୃତ୍ୟ କରିବା ସମୟରେ ବାମହାତରେ ଅସୁବିଧା କାରଣରୁ ଟିକେ ହାତକୁ ବଙ୍କେଇକି ଚଢେୟା ବାଡ଼ି ଧରୁଥିଲେ, ପରବର୍ତ୍ତୀ ସମୟରେ ଅନ୍ୟ ଚଢେୟା କଳାକାରମାନେ ସେଇ ଶୈଳୀରେ ଚଢେୟା ବାଡ଼ି ଧରି ନୃତ୍ୟ କରେ ଭାବି, ଅନୁକରଣ କରିଆସୁଥିଲେ । ପରବର୍ତ୍ତୀ ସମୟରେ ଚଢେୟା କଳାକାରରୁ ଆମ୍ବଗାଁ କାମନା ଦଣ୍ଡରେ ଗୁରୁ ଦାୟିତ୍ୱ ନିର୍ବାହ କରିବାର ସୌଭାଗ୍ୟ ମଧ୍ୟ ଅର୍ଜନ କରିଥିଲେ ସ୍ୱର୍ଗତ ଜଳନ୍ଧର । ଆମ ଗହଣରୁ ଦୂରକୁ ଯାଇଥିବା ଏହି ଅନନ୍ୟ କଳାକାର କିନ୍ତୁ ନିଜ କଳା ନିପୁଣତା ପାଇଁ ଆଜି ବି ଅନେକ ଦଣ୍ଡ ତଥା କଳାପ୍ରେମୀଙ୍କ ହୃଦୟରେ ଛାପ ଛାଡ଼ିଯାଇଛନ୍ତି ।

ଉପସ୍ଥାପନା:

ହେମନ୍ତ ସାହୁ

ସ୍ବତନ୍ତ୍ର ପ୍ରତିନିଧି କଳାହାଣ୍ଡି OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.