ଦାତାଙ୍କ ଘରେ ମାଁଙ୍କୁ ସାମୟିକ ଅବସ୍ଥାନ ପୂର୍ବକ ତେର ଭକ୍ତା ଧୂଳିଆ ଦଣ୍ଡ ସାରି ଜଳାଶୟକୁ ପାଣି ଦଣ୍ଡ ନିମନ୍ତେ ଯାଇଥାନ୍ତି । ପ୍ରଥମେ ଘାଟକୁ ପରିଷ୍କାର ପରିଚ୍ଛନ୍ନ କରିବା ସହିତ ପ୍ରଥମେ ଦୁଇଟି ଦଣ୍ଡ (ପାଟ ଦଣ୍ଡ ଓ ପରି ଦଣ୍ଡ) ଓ ହରଗୌରୀଙ୍କୁ ସ୍ନାନ କରାଇ, ଘାଟ ପାଖରେ ରଖନ୍ତି ଏବଂ ତାପରେ ପାଟ ଦଣ୍ଡୁଆ ଓ ପରି ଦଣ୍ଡୁଆ ଉଭୟ ସ୍ନାନ କରି ବାଲୁକା ଆଣି ବାଲୁକା ଲିଙ୍ଗ ସ୍ଥାପନ କରନ୍ତି । ଠିକ୍ ସେହି କ୍ରମେ ଅନ୍ୟ ତେର ଭକ୍ତ ମଧ୍ୟ ସ୍ନାନ ପୂର୍ବକ ପାଣିତଳୁ ବାଲୁକା ଆଣି ଉକ୍ତ ବାଲୁକା ଲିଙ୍ଗରେ ଦେଇଥାନ୍ତି । ଧୂପ, ଦୀପ, ନୈବେଦ୍ୟ ସହ ଦଣ୍ଡ ଓ ହରଗୌରୀଙ୍କୁ ସଜାଯାଇ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ହୁଏ । ପାଣି ଦଣ୍ଡ ହେଉଛି ତେରଭକ୍ତାଙ୍କ ପାଇଁ ସ୍ୱତନ୍ତ୍ର ପୂଜାବିଧି । ଏଠାରେ ବିଶେଷ ଭାବରେ ତେରଭକ୍ତାଙ୍କ ମନୋକାମନା ପୂର୍ଣ୍ଣ ସକାଶେ ପୂଜାର୍ଚ୍ଚନା କରାଯାଇଥାଏ । ଏହି ସମୟ ପର୍ଯ୍ୟନ୍ତ ଏହି ତେର ଭକ୍ତା ର୍ନିଜଳା ଉପବାସରେ ଥାଆନ୍ତି । ପ୍ରଚଣ୍ଡ ରୌଦ୍ରତାପରେ ଧୂଳିରେ ଗଡ଼ିବା ପରେ ପାଣି ଦଣ୍ଡ ପାଇଁ ଆସି, ସ୍ନାନ ସାରି ମାଁଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନାରେ ଉପସ୍ଥିତ ରହିଥାନ୍ତି । ପୂଜାର୍ଚ୍ଚନା ଶେଷ ହୁଏ, ସେଠାରେ ଦଣ୍ଡରେ ଅଗ୍ନି ସଂଯୋଗ କରାଯାଇ, ଦଣ୍ଡକୁ ଧରି ଓଦାବସ୍ତ୍ରରେ ଭକ୍ତମାନେ ଦାତାଙ୍କ ଘରକୁ ଆସିଥାନ୍ତି । ଘରେ ଅଳ୍ପ ସମୟପାଇଁ ଝୁଣା ଖେଳ ହେଇଥାଏ । ଦାତାଙ୍କ ଘରେ ପଞ୍ଚାମୃତ ଦେଇ, ଦଣ୍ଡକୁ ଲିଭେଇ ଦିଆଯାଏ । ସେଠାରୁ ଭକ୍ତମାନେ ପୁଣିଥରେ ବାଦ୍ୟ, ଶଙ୍ଖ, ଭେରୀ, ତୁରୀ, ଘଣ୍ଟର ତାଳେ ତାଳେ ଉଦ୍ଧିଷ୍ଠ ଥିବା ସାମୟିକ ବିଶ୍ରାମ କେନ୍ଦ୍ରକୁ ଯାଇ ପଣାପାଣି ସେବନ କରନ୍ତି ।
ଉପସ୍ଥାପନା:
ହେମନ୍ତ ସାହୁ
ସ୍ବତନ୍ତ୍ର ପ୍ରତିନିଧି କଳାହାଣ୍ଡି OdiaBarta.in