ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଛାତ୍ର ଛାତ୍ରୀଙ୍କୁ ଆକର୍ଷିତ କରି ସ୍କୁଲ ମୁହାଁ କରେଇବା ପ୍ରୟାସରେ କୋକସରା ବ୍ଲକ ଆମପାଣି ପଞ୍ଚାୟତ ସାହାଜଖୋଲ ଜଙ୍ଗଲ ମଧ୍ୟରେ ରହିଥିବା ଆଦିବାସୀ ଗାଁ ବିରିମୁହାଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରୂପରେଖକୁ ଟ୍ରେନର ଆକାର ଦିଆଯାଇଛି । ଦୂରରୁ ଟ୍ରେନ ସଦୃଶ ଦେଖାଯାଉଛି ସ୍କୁଲ ଓ ସେହି ଟ୍ରେନ ଶ୍ରେଣୀ କୋଠରୀ ଭିତରେ ଚାଲିଛି ପ୍ରାଥମିକ ବିଦ୍ୟାଳୟ । ଏମିତି କିଛି ପରିକଳ୍ପନା କରିଛନ୍ତି ଦୁର୍ଗମ ଉପାନ୍ତ ଅଞ୍ଚଳରେ ସ୍କୁଲରେ ନିଯୁକ୍ତି ପାଇଥିବା ଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି । ବିରିମୁହାଣରେ ଥିବା ସ୍କୁଲ ରେ ଏବେ ବିରିମୁହାଣ, କାଦୋମାଲି, ଆନ୍ଧିଝରଣ, ସର୍ଗିପାନୀ ଗାଁର ୧୧୩ ଜଣ ଛାତ୍ର ଛାତ୍ରୀ ପଢୁଛନ୍ତି । ସାହାଜଖୋଲ ଜଙ୍ଗଲ ମଧ୍ୟରେ ରହିଥିବା ବିରିମୁହାଣ ଗାଁର ଏହି ଉପାନ୍ତ ବିଦ୍ୟାଳୟ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଶିକ୍ଷକ ମାନେ ମଧ୍ୟ ପିଲାଙ୍କୁ ଶିକ୍ଷା ପାଇଁ ପ୍ରୋତ୍ସାହିତ କରୁଥିବା ସହ ପିଲାଙ୍କ ପାଇଁ ପାନୀୟ ଜଳ ପାଇଁ ବିଶୁଦ୍ଧ ଏକ୍ବାଗାଡ଼ ଲଗାଇଛନ୍ତି । ସ୍କୁଲରେ ଶୈକ୍ଷିକ ବାତାବରଣ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି । ବିଗତ ୨ ବର୍ଷ କୋଭିଡ ପରେ ସ୍କୁଲର ନୂତନ କଳେବର ଦେଖି ଛାତ୍ର ଛାତ୍ରୀ, ଅଭିଭାବକ ସ୍ଥାନୀୟ ଗ୍ରାମବାସୀ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । ଛାତ୍ର ଛାତ୍ରୀ ମଧ୍ୟ ଉତ୍ସାହର ସହ ସ୍କୁଲ ଆସୁଥିବା କହିଛନ୍ତି ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଈଶ୍ୱରୀ ପ୍ରସାଦ ଅଗସ୍ତି । ତେବେ ସ୍କୁଲରେ ପାଚେରୀ ନ ଥିବା କାରଣରୁ ସ୍କୁଲର ପରିବେଶ ନଷ୍ଟ ହେଉଥିବା କହିଛନ୍ତି ପ୍ରଧାନ ଶିକ୍ଷକ । କୌଣସି ଅନୁଦାନରୁ ସ୍କୁଲ ପାଚେରୀ ନିର୍ମାଣ ହେଲେ ସ୍କୁଲ ସୁରକ୍ଷିତ ରହିବ ବୋଳି କହିଛନ୍ତି ସ୍କୁଲ ପରିଚଲାନା କମିଟିର ସଦସ୍ୟ ମାନେ । ଏଣୁ ବ୍ଲକ ଶିକ୍ଷା ବିଭାଗ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।