ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟ ଛାତ୍ର କଂଗ୍ରେସ ଡାକରାରେ ଆଜି ସାରା ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦରଦାମ ବୃଦ୍ଧିକୁ ନେଇ ଆନ୍ଦୋଳନ ଚାଲିଥିବା ବେଳେ କଳାହାଣ୍ଡି ଜିଲ୍ଲା ଛାତ୍ର କଂଗ୍ରେସ ଉପସଭାପତି ଦେବାଶିଷ କୁମାରଙ୍କ ନେତୃତ୍ୱରେ ନର୍ଲା ପେଟ୍ରୋଲ ପମ୍ପରେ ନର୍ଲା ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ ଓ ନର୍ଲା କଂଗ୍ରେସ୍ କମିଟିର କର୍ମକର୍ତ୍ତା ମାନେ ଆନ୍ଦୋଳନ ଓ ଗଣ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା । ଆଜି ସକାଳ ୧୦ ଘଣ୍ଟା ସମୟରେ ନର୍ଲା କଂଗ୍ରେସ କମିଟିର ସଭାପତି ସମୀର ଚାନ୍ଦ, ଯୁବ କଂଗ୍ରେସ୍ ସଭାପତି ଦୀପୁ ପାତ୍ର, ନର୍ଲା ଛାତ୍ର କଂଗ୍ରେସ ସଭାପତି ଭକ୍ତ ଦୁର୍ଗା, ମୁକେଶ ବିଭାର, ଜଗା ସୁନା, ରମେଶ, ରାଜା ସମେତ ୩୦ରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ସମବେତ ହୋଇ ନର୍ଲା ପେଟ୍ରୋଲ ପମ୍ପରେ ଆନ୍ଦୋଳନ କରିବା ସହ ଧାରଣା ଦେଇଥିଲେ । କଂଗ୍ରେସ କର୍ମକର୍ତ୍ତା ମାନେ କେନ୍ଦ୍ର ସରକାରଙ୍କ ପେଟ୍ରୋଲ, ଡିଜେଲ ଦର ବୃଦ୍ଧିକୁ ପ୍ରତିବାଦ କରି କରୋନା ସଂକ୍ରମିତ ବିଜେପି ସରକାର । ମୋଦୀ, ସାହା ଗାଦୀ ଛାଡ ବୋଲି ଅନେକ ନାରାବାଜି କରିବା ସହ କେନ୍ଦ୍ର ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ । ଦୁଇ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ପେଟ୍ରୋଲ ପମ୍ପକୁ ବନ୍ଦ କରିଦେଇଥିଲେ କଂଗ୍ରେସ୍ କର୍ମୀ । ପେଟ୍ରୋଲ, ଡିଜେଲ ଭରିବା ପାଇଁ ଆସିଥିବା ବାଇକ ଓ ମୋଟର ଚାଳକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିବା ଦେଖିବାକୁ ମିଳିଥିଲା ।
(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)