ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): କୋରାପୁଟ ଜିଲ୍ଲାର ଜୟପୁର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଜୁନିୟର ରେଡ଼କ୍ରସ ଶାଖା ତରଫରୁ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସିମାଞ୍ଚଳ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ଯଜ୍ଞେଶ୍ବର ପଣ୍ଡା, ଜିଲ୍ଲା ଜୁନିୟର ରେଡ଼କ୍ରସ ସାଧନକର୍ମୀ ଶୁଭସ୍ମିତା ସାହୁ, ଶିକ୍ଷକ ଦିଲୀପ କୁମାର ପଣ୍ଡା, ନରେଶ କୁମାର ଷଡଙ୍ଗୀ, ପ୍ରଭାକର ମହାରଣା ଉପସ୍ଥିତ ରହି ଛାତ୍ର ଛାତ୍ରୀମାନଙ୍କୁ ବିଶ୍ୱ ରେଡ଼କ୍ରସ ଦିବସ ପାଳନର ତାତ୍ପର୍ଯ୍ୟ, ହେନେରୀ ଡୁନାଣ୍ଟଙ୍କ ଜୀବନୀ, ରେଡ଼କ୍ରସର ଲକ୍ଷ୍ୟ ଓ ଉଦେଶ୍ୟ, ରେଡ଼କ୍ରସର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ରେଡ଼କ୍ରସ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।