୧୯୭୨ ମସିହା ମାଟ୍ରିକ ବ୍ୟାଚର ସୁବର୍ଣ୍ଣ ଜୟନ୍ତୀ ସମାରୋହ

ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

“ଗୋପବନ୍ଧୁ ଦାସ ଥିଲେ ଜଣେ ଦରଦୀ ମଣିଷ” : ଶ୍ରୀ ରଥ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ସିଦ୍ଧେଶ୍ଵରପୁର ସ୍ଥିତ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ପ୍ରଣେତା ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ନାମରେ ନାମିତ ଗୋପାଳ ସ୍ମୃତି ବିଦ୍ୟାପୀଠର ୧୯୭୨ ମସିହା ମାଟ୍ରିକ ବ୍ୟାଚର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। ଏହି ଅବସରରେ ସ୍କୁଲ ପରିସରରେ “ମୋ ସ୍କୁଲ ଅଭିଯାନ” ରେ ଏକ ପାର୍କ ନିର୍ମାଣ କରାଯାଇ ଉକ୍ତ ପାର୍କରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଏକ ପ୍ରତିମୂର୍ତ୍ତି ଲୋକସେବକ ମଣ୍ଡଳ ଓଡ଼ିଶା ଶାଖା ଅଧକ୍ଷ ନିରଞ୍ଜନ ରଥଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି। ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ କମିଟିର ସଭାପତି ରଘୁନାଥ ପୃଷ୍ଟିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଶ୍ରୀ ରଥ ଛାତ୍ରଛାତ୍ରୀ ମାନଙ୍କୁ ଅନେକ ଶିକ୍ଷଣୀୟ କଥା କହିବା ସହ ଗୋପବନ୍ଧୁ ପ୍ରକୃତରେ ଜଣେ ଦରଦୀ ମଣିଷ ଥିଲେ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବରେ ଆୟକର ବିଭାଗର ଅବସରପ୍ରାପ୍ତ ମୁଖ୍ୟ କମିଶନର ତ୍ରୈଲୋକ୍ୟ ନାଥ ଜେନା ଶିକ୍ଷା ଓ ସାକ୍ଷରତା ବିଷୟରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବରେ କଟକ ଶିକ୍ଷା ଜିଲ୍ଲା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ ଓ ବିଦ୍ୟାପୀଠର ପ୍ରଧାନ ଶିକ୍ଷୟତ୍ରୀ ଜୟଶ୍ରୀ ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ୭୨’ ମସିହା ବ୍ୟାଚ ପକ୍ଷରୁ ଏକ ସ୍ମରଣିକା “ସ୍ମୃତି ମଞ୍ଜୁଶା” ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ପୁରାତନ ଶିକ୍ଷକ ଆକୁଳ ନନ୍ଦ ମଲ୍ଲିକ ଓ ଧରଣୀଧର ବେହେରା, ପୁରାତନ କର୍ମଚାରୀ ଜଗନ୍ନାଥ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ସ୍ବେଚ୍ଛାସେବୀ ତପନ ଓଝା ଓ ସାମ୍ବାଦିକ ତାପସ ରାଉତରାୟଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ତତ୍ ସହିତ ସାଧାରଣ ଜ୍ଞାନ ଓ ବକୃତା ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରମାନଙ୍କୁ ପୁରସ୍କୃତ କରାଯାଇଥିଲା। ଆସନ୍ତା ୨୦୨୩ ମସିହାରେ ସ୍କୁଲର ୭୫ତମ ବାର୍ଷିକ ଉତ୍ସବ ପାଳନ ନିମନ୍ତେ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ କରିବା ପାଇଁ ସଭାପତି ଶ୍ରୀ ପୃଷ୍ଟି ସୂଚନା ଦେଇଥିଲେ। ପ୍ରାରମ୍ଭରେ କବି କାଳୀ ପ୍ରସାଦ ମହାପାତ୍ର ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ସମ୍ପାଦକ ରବୀନ୍ଦ୍ର କୁମାର ମିଶ୍ର ବିବରଣୀ ପାଠ କରିଥିଲେ। ଏଥିରେ ସଦର ବ୍ଲକ ପୂର୍ବତନ ଅଧକ୍ଷ ସାଧୁ ଚରଣ ଜେନା , ବାସୁଦେବ ପ୍ରଧାନ, ଅଚ୍ୟୁତାନନ୍ଦ ବୈଶାଖ, ସୁଲୋଚନା ବିଶ୍ୱାଳ, ବଳରାମ ସାହୁ, ନାରାୟଣ ଚନ୍ଦ୍ର ସିହ୍ନୁ, ବଂଶୀଧର ଲେଙ୍କା, କୈଳାସ ସାହୁ ପ୍ରମୁଖ ସହଯୋଗ କରିଥିବାବେଳେ ଶ୍ରୀକାନ୍ତ ଦତ୍ତ ଧନ୍ୟବାଦ୍ ପ୍ରଦାନ କରିଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.