ପହଞ୍ଚିଲେ ପ୍ରଶାସନିକ ଅଧିକାରୀ, ମାନବିକତା ଦେଖାଇଲେ ସରପଞ୍ଚ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ବିପଦ ମାନଙ୍କ ଭିତରେ ‘ଘର ପୋଡ଼ି’ ସବୁଠାରୁ ବଡ଼ ବିପଦ । ଏହା ମଣିଷର ମାନସିକ ସନ୍ତୁଳନକୁ ଦୋହଳାଇ ଦେଇଥାଏ । ତେଣୁ ଏପରି ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଲୋକଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ଜରୁରୀ । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମଦନପୁରର ସାଗରପାଳି ଛକରେ ନିଆଁ ଲାଗି ଦୁଇ ଗୋଟି ଘର ସମ୍ପୂର୍ଣ୍ଣ ପୋଡି ଛାରଖର ହୋଇଯାଇଛି । ସୂଚନା ଅନୁସାରେ ଅର୍ଜୁନ ଭୋଇ ଓ ବିବାହିତ ଦୁଇ ଝିଅ ସରସ୍ବତୀ ଭୋଇ ଓ ବାସନ୍ତୀ ଭୋଇ ନିଜ ପାଖ ଜମିରେ ଧାନ କାଟୁଥିବା ସମୟରେ ହଠାତ ନିଜ ଘରୁ ନିଆଁ ବାହାରୁ ଥିବା ଦେଖିଥିଲେ । ସେମାନେ ଦୌଡ଼ି ଆସି ଦେଖିଲା ବେଳକୁ ପ୍ରଖର ଅଗ୍ନିରେ ଘର ପୋଡ଼ି ଛାରଖାର ହୋଇଯାଉଛି । ଏହାସହ ଘର ପାଖ ଗଛରେ ନିଆଁ ଲାଗି ବିପଦ ସୃଷ୍ଟି କରୁଛି । ଘର ଭିତରେ ଥିବା ନଗଦ ୭୦ହଜାର ଟଙ୍କା, ୪୦ କୁଇଣ୍ଟାଲ ଧାନ, ୧୦ ବସ୍ତା ଚାଉଳ, ମୂଲ୍ୟବାନ ଆସବାବପତ୍ର, ମୋଟର, ଚାଷ ପାଇଁ ରଖିଥିବା ୫୦ କେଜି ପିଆଜ ଓ ଆଳୁ ୫୦ କେଜି ଏବଂ ଅନ୍ୟାନ୍ୟ ସାମଗ୍ରୀ ସହ ଦୁଇ ଗୋଟି ଘର ପୋଡି ଭସ୍ମୀଭୂତ ହୋଇ ଯାଇଥିଲା । ପୂର୍ବତନ ସରପଞ୍ଚ ଜୟରାମ ମହାନନ୍ଦ ମ.ରାମପୁର ଅଗ୍ନିଶମ ବିଭାଗକୁ ଜଣେଇବା ପରେ ଓଆଇସି ମହେଶ୍ୱର ଲାକ୍ରାଙ୍କ ନେତୃତ୍ବରେ କର୍ମଚାରୀମାନେ ଆସି ଗଛରେ ଲାଗି ଥିବା ନିଆଁକୁ ଆୟତ୍ତ କରିଥିଲେ ।
ସାମ୍ବାଦିକ ପଦିପ କୁମାର ସାହୁ ଏ ବିଷୟରେ ପ୍ରଶାସନ ଓ ଥାନାକୁ ଜଣେଇବା ପରେ ତହସିଲଦାର ସୁଶ୍ରୀ ସୂଚାରିତା ମୁର୍ଗୀ, ରାଜସ୍ବ ନିରୀକ୍ଷକ ନୀତିଶ ଦୋରା, ଥାନା ଅଧିକାରୀ ସଚିନ୍ଦ୍ର ପଧାନ, ହାବିଲଦାର ଜଗଦୀଶ ସାହୁ, ମଦନପୁର ସରପଞ୍ଚ କେତକୀ ଦଣ୍ଡିଆ, ନାଏବ ସରପଞ୍ଚ ବିରାଟ ମୁଣ୍ଡଛିନା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରକୁ ସାନ୍ତ୍ୱନା ଦେବା ସହ ତଦାରଖ କରି ଦୁଇ ପରିବାରକୁ ତହସିଲଦାର ଦୁଇ ଖଣ୍ଡ ତାରପଲିନ ପ୍ରଦାନ କରିଥିଲେ । ଏହାସହ ନିୟମ ଅନୁସାରେ ସରକାରୀ ସହାୟତା ଦିଆ ଯିବ ବୋଲି ପ୍ରତିଶୃତି ଦେଇଥିବା ଜଣାପଡିଛି । ଅନ୍ୟପକ୍ଷରେ ସରପଞ୍ଚ ଶ୍ରୀମତୀ ଦଣ୍ଡିଆ ୧କ୍ୟୁଣ୍ଟାଲ ଚାଉଳ, ରାସନ ସାମଗ୍ରୀ, ସମସ୍ତଙ୍କ ପାଇଁ ବସ୍ତ୍ର ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେଇଛନ୍ତି । ଏହି ଦୁଇ ପରିବାର ବେଘର ହୋଇଯାଇଥିବାରୁ ସେମାନଙ୍କୁ କଲ୍ୟାଣ ମଣ୍ଡପ ରେ ରହିବା ପାଇଁ ବ୍ୟବସ୍ଥା କରିଦେଇଛନ୍ତି । କ୍ଷତିଗ୍ରସ୍ତ ୨ ପରିବାରକୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବାକୁ ପ୍ରୟାସ କରାଯିବ ବୋଲି କହିଛନ୍ତି ସରପଞ୍ଚ କେତକୀ ଦାଣ୍ଡିଆ । ପ୍ରଶାସନ ଓ ସରପଞ୍ଚଙ୍କ ତତ୍କାଳ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି । ତେବେ ଅତିଶିଘ୍ର ଏହି ଦୁଇ ପରିବାରକୁ ସରକାରୀ ନୀୟମାନୁଯାଇ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି ।