ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ଗୀତା ମୃତ ଶ୍ରବଣ ପଠନ କାର୍ଯ୍ୟକ୍ରମ
ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ଗୀତାମୃତ ପଠନ ଓ ଶ୍ରବଣ କାର୍ଯ୍ୟକ୍ରମ ମଇ ୧୨ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦାସଙ୍କର ସଭାପତିତ୍ୱରେ, ପରିବାରର ବରିଷ୍ଠ ଉପଦେଷ୍ଟା ବୈଜ୍ଞାନିକ ଅରୁଣ କୁମାର ମହାପାତ୍ରଙ୍କର ପୌରହିତ୍ୟରେ ଆଭାସୀ ମାଧ୍ୟମରେ ଏହା ଆୟୋଜିତ ହୋଇଥିଲା । ସମ୍ପାଦିକା ପ୍ରଣତି ମହାପାତ୍ର ସମସ୍ତଙ୍କୁ ସୁସ୍ଵାଗତ ସହ ପ୍ରବଚକଙ୍କର ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ବିଶିଷ୍ଟ ପ୍ରବଚକ, ଆଲୋଚକ , ଅଧ୍ୟାପକ ପଣ୍ଡିତଜୀ ପ୍ରଶାନ୍ତ କୁମାର ଶତପଥୀଙ୍କ ଦୀକ୍ଷାନ୍ତ ଆଲୋଚନା ତଥା ବକ୍ତବ୍ୟରେ ସମସ୍ତେ ମନ୍ତ୍ରମୁଗ୍ଧ ହୋଇ ଶ୍ରୀମଦ୍ ଭଗବଦ୍ ଗୀତାର ତୃତୀୟ ଅଧ୍ୟାୟ, କର୍ମଯୋଗର ଏକତ୍ରିଂଶ ତମ ଶ୍ଲୋକରୁ ତେୟାଳିଶିତମ ଶ୍ଲୋକ ପର୍ଯ୍ୟନ୍ତ ତେରଟି ଶ୍ଲୋକର ବ୍ୟାଖ୍ୟା ଶ୍ରବଣ କରି ପ୍ରୀତ ହୋଇଥିଲେ ।
୭୦୦ଶ୍ଲୋକ ବିଶିଷ୍ଟ ଭଗବାନ ଶ୍ରୀକୃଷ୍ଣଙ୍କ ସ୍ବମୁଖ ନିସୃତ ଗୀତା ମାତା ମାନସ ସରୋବର ଭାବରେ ଅଭିହିତ । ଶ୍ରୀମଦ୍ ଭଗବତ ଗୀତା କୌଣସି ସମ୍ପ୍ରଦାୟ ମଧ୍ୟରେ ଆବଦ୍ଧ ନୁହେଁ । ଯେଉଁମାନେ ଶ୍ରଦ୍ଧାବାନ୍ ଓ ଅସୂୟା ଶୂନ୍ୟ ହୋଇ ଶ୍ରୀକୃଷ୍ଣଙ୍କ ମତକୁ ସର୍ବଦା ଅନୁସରଣ କରନ୍ତି, ସେମାନେ କର୍ମବନ୍ଧନରୁ ମୁକ୍ତ ହୋଇ ଯାଆନ୍ତି । କର୍ମଯୋଗୀ ନିକଟରେ ପଳାୟନ ପନ୍ଥୀ ଭାବର ସୂଚନା ନାହିଁ । ଶାସ୍ତ୍ର ତଥ୍ୟ, ଭଗବତ୍ ପ୍ରେରିତ ତଥ୍ୟ ଗ୍ରହଣକ୍ଷମ ବ୍ୟକ୍ତି ହିଁ ଶ୍ରଦ୍ଧାଶୀଳ । ଭଗବତ୍ ତତ୍ତ୍ୱ ଦୋଷାରୋପ କରୁଥିବା ବ୍ୟକ୍ତି ଜ୍ଞାନହୀନ, ଭ୍ରାନ୍ତ, ଅଜ୍ଞାନ ଅନ୍ଧକାର ଓ ମାୟାର ବନ୍ଧନରେ ନଷ୍ଟ ହୁଅନ୍ତି । ଶାସ୍ତ୍ରାନୁମୋଦିତ କର୍ମ ହିଁ ଶ୍ରେଷ୍ଠ କର୍ମ । ପ୍ରକୃତିର ତ୍ରିଗୁଣରୁ ମୁକ୍ତ ହୋଇ କର୍ମ କରିବା କର୍ମ ହିଁ ନିଷ୍କାମ ପଣିଆ । ସ୍ବୟଂ ବ୍ୟାସଦେବ ଅନୁଷ୍ଟୁପ ଛନ୍ଦରେ ଗୀତା ଗାୟନ କରିବା ଉଚିତ ବୋଲି ବର୍ଣ୍ଣନା କରିଛନ୍ତି । ଗୀତାର ସାତଶହ ଶ୍ଲୋକକୁ ପ୍ରାଞ୍ଜଳ ଭାବରେ ଓଡ଼ିଆ ଓ ଇଂରାଜୀ ଭାଷାରେ ମୁଖସ୍ଥ କରିଥିବା ବାଗ୍ମୀ ପ୍ରବଚକ ପଣ୍ଡିତ ଶତପଥୀ ମହାଭାଗ ଅତି ସୁନ୍ଦର ଭାବରେ ତେରଟି ଶ୍ଲୋକ ବ୍ୟାଖ୍ୟା କରିଥିଲେ ।
ପ୍ରଫୁଲ୍ଲ କୁମାର ଦାସ, ଡ଼ଃ ପ୍ରିୟମ୍ବଦା ସାମଲ , ଗୀତାଞ୍ଜଳି ପୃଷ୍ଟି , ବିଶ୍ବେଶ୍ବର ମାଝୀ, ବିଜୟଲକ୍ଷ୍ମୀ ମହାନ୍ତି, ସଂଯୁକ୍ତା ରାଉତ ପ୍ରମୁଖ ତେରଟି ଶ୍ଲୋକ ପାଠ କରିବା ସହ ଅନ୍ଵୟ ମଧ୍ୟ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ସାରସ୍ଵତ ଗୀତାମୃତ ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
ବୈଜ୍ଞାନିକ ଅରୁଣ କୁମାର ମହାପାତ୍ର ଅତିଥି ମହାଭାଗଙ୍କୁ ପୁନର୍ବାର ଉକ୍ତ କାର୍ଯ୍ୟକ୍ରମରେ ପରବର୍ତ୍ତୀ ସମୟରେ ଯୋଡି ହେବାକୁ ନିମନ୍ତ୍ରଣ ରଖିଥିଲେ । ପ୍ରବଚକ ତଥା ଜଗତସିଂହପୁର ଜିଲ୍ଲାର ଅଧ୍ୟାପକ ପଣ୍ଡିତ ମହୋଦୟ ଭାବବିହ୍ଵଳ ହୋଇ ଗୀତାମୃତ କାର୍ଯ୍ୟକ୍ରମ ଏକ ସର୍ବଶ୍ରେଷ୍ଠ କାର୍ଯ୍ୟକ୍ରମ ବୋଲି ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କୁ ସାଧୁବାଦ ଜଣାଇଥିଲେ । ଶେଷରେ ସଭାପତିଙ୍କ ଅନୁମୋଦନ କ୍ରମେ ପରିବାରର ବଡ଼ଭାଇ ବିଶ୍ବେଶ୍ବର ମାଝୀ ଧନ୍ୟବାଦ ଓ ଶାନ୍ତିପାଠ ସହ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ ।
।