ବଇଦପଡାରେ ମା’ ଠାକୁରାଣୀଙ୍କ ମଣ୍ଡେଇ ଯାତ୍ରା

ଓଡ଼ିଆ ବାର୍ତ୍ତା/ ଚନ୍ଦାହାଣ୍ଡି (କାମିନୀ ରଞ୍ଜନ ପାଣ୍ଡେ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ବଇଦପଡା ସାପ୍ତାହିକ ହାଟପଦା ସ୍ଥିତ ମନ୍ଦିର ପରିସରରେ ମା’ ଠାକୁରାଣୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅଞ୍ଚଳର ସୁଖ, ଶାନ୍ତି, ସମୃଦ୍ଧି, ଉତ୍ତମ ଫସଲ ଓ ବିଭିନ୍ନ ରୋଗରୁ ମୁକ୍ତି ନିମନ୍ତେ ଏହି ଯାତ୍ରା ପାଳନ ହେଉଥିବା ସ୍ଥାନୀୟ ତ୍ରିନାଥ ଦାଶ କହିଛନ୍ତି । ଗତକାଲି ବଇଦପଡା, ପାଟଖଲିଆ, ରାଜକୋଟ ଓ ଆଖପାଖ ଗ୍ରାମର ସମସ୍ତ ଚାଷୀ ଏକତ୍ରିତ ହୋଇ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ । ଆଜି ପାନାବେଡା ଅଞ୍ଚଳର ସମସ୍ତ ଦେବାଦେବୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହି ମଣ୍ଡେଇ ଯାତ୍ରାରେ ଚନ୍ଦାହାଣ୍ଡି, ପାଟଖଲିଆ, ରାଜକୋଟ, ଧଅଁରାକୋଟ, ଧୁରୁଆପଡା, ଫଟିକି, ହଳଦୀ ସମେତ ଆଖପାଖ ଗ୍ରାମର ଦେବଦେବୀ ବଇଦପଡା ଗ୍ରାମକୁ ନିମନ୍ତ୍ରିତ ହୋଇଥିଲେ । ବିଭିନ୍ନ ଦେବାଦେବୀଙ୍କ ପ୍ରତୀକ ଯଥା ଲାଠି, ବିମାନ, ପାଲିଙ୍କି ଗ୍ରାମ ପରିକ୍ରମା କରିବା ପରେ ଠାକୁରାଣୀ ମନ୍ଦିରରେ ଏକତ୍ରିତ ହୋଇଥିଲେ । ବର୍ଷ ବର୍ଷ ଏହି ମଣ୍ଡେଇ ଯାତ୍ରାରେ ୬୦ରୁ ଊର୍ଦ୍ଧ୍ବ ଲାଠି ଶୋଭାଯାତ୍ରାରେ ବାହାରିଥିଲେ । ଲୁହା କଣ୍ଟାରେ ନିର୍ମିତ ଦୋଳିରେ ବସି ଦେବୀମାନେ ନିଜ ନିଜ ଶକ୍ତି ପ୍ରଦର୍ଶନ କରିଥିଲେ । ଏହା ଦେଖିବା ନିମନ୍ତେ ଶହ ଶହ ଲୋକ ଭିଡ ଜମିଥିଲେ । କୁନି କୁନି ପିଲାଙ୍କ ମନୋରଞ୍ଜନ ନିମନ୍ତେ ବିଭିନ୍ନ ପ୍ରକାର ଖେଳଣା ଦୋକାନ ଖୋଲିଥିଲା । ଠାକୁରାଣୀଙ୍କ ପୂଜକ ହରିସିଂ ପୂଜାରୀ ପୂଜାର୍ଚ୍ଚନା କରିଥିବା ବେଳେ ମଣିରାମ ମାଝୀ, ଉଗ୍ରେସନ ପୂଜାରୀ, ପଦଲାମ ପୂଜାରୀ, କାର୍ତ୍ତିକ ପୂଜାରୀ, ତ୍ରିନାଥ ଦାଶ, ମଧୁସୂଦନ ନାଗେଶ, ହର ପୂଜାରୀ,ଦିଲନ ପୂଜାରୀ, ପ୍ରଦୀପ ଦାଶ, ବାସୁ ଗୌଡ, ଟେକରାମ ମାଝୀ, ପର୍ଶୁ ମାଝୀ, ଯୁଗେ ପୋଡ, ଇଶରାମ ମାଝୀ, ରଇନୁ ମାଝୀ, ଖଗେଶ୍ବର ଡଙ୍ଗରୀ ପ୍ରମୁଖ ଶିରା ଓ ଦିଶାରୀ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.