ଅସୁରଗଡରେ କନ୍ଧ ସମାଜ ବାର୍ଷିକ ଉତ୍ସବ ଓ ଏକତା ଦିବସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କନ୍ଧ ସମାଜ ଏକତା ଦିବସ ଭାବେ ସୁପରିଚିତ ମଇ ୨୦ରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଅସୁରଗଡ ବେସ୍କା ପ୍ରଗଣାରେ ଆୟୋଜିତ ହୋଇଆସୁଛି କନ୍ଧ ସମାଜର ବାର୍ଷିକ ଉତ୍ସବ । ଏହି କ୍ରମରେ ଆଜି ଶହ ଶହ ସଂଖ୍ୟାରେ କନ୍ଧ ସମାଜର ଲୋକେ ଅସୁରଗଡରେ ସମବେତ ହୋଇଥିଲେ । ପ୍ରଥମେ ନର୍ଲା ସ୍ଥିତ ବୁଢାରଜା ପୀଠରେ ପୂଜାର୍ଚ୍ଚନା କରିବା ପରେ ଅସୁରଗଡ ପୀଠରେ ପୂଜା ନିତି ସଂପନ୍ନ ହୋଇଥିଲା । ଏହାପରେ ବୀର କମଳ ମଇଦାନ ଅସୁରଗଡର ସୃତି ପୀଠରେ ପୂଜା କରାଯାଇଥିଲା । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଆଦିବାସୀ ମାନେ ପାରଂପାରିକ ବାଦ୍ୟ ନୃତ୍ୟ ସହ ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ହୋଇ କନ୍ଧ ସଂସ୍କୃତିର ବିଭିନ୍ନ ବିଭବ ପ୍ରଦର୍ଶିତ କରିଥିଲେ । ଆଦିବାସୀ କନ୍ଧଙ୍କ ବୀର ନାଦରେ ପ୍ରକମ୍ପିତ ହୋଇ ଉଠିଥିଲା ଗଗନ ପବନ । ମଧ୍ୟାହ୍ନରେ ଆରମ୍ଭ ହୋଇଥିଲା କନ୍ଧ ସମାଜର ବାର୍ଷିକ ଉତ୍ସବ । ଏଥିରେ ମୁଖ୍ୟ ଅତିଥି ଭାବେ ଉତ୍କଳ କନ୍ଧ ସମାଜ ସଭାପତି ଚିନ୍ତାମଣି ଭୋଇ, ନର୍ଲା ବ୍ଲକ ସଭାପତି ଅନ୍ତରାମ ମାଝୀ, କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ, ସାଧାରଣ ସମ୍ପାଦକ ଲକ୍ଷ୍ମଣ ଭୋଇ, ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ବୀର କମଲ ମଇଦାନ ଅସୁରଗଡର ପୂର୍ବତନ ସଭାପତି ଦୂର୍ଯ୍ୟୋଧନ ମାଝୀ, କେସିଙ୍ଗା ବ୍ଲକ ସଂପାଦକ ବିକ୍ରମ ମାଝୀ, ଶିକା ପ୍ରଗଣା ସଭାପତି ପ୍ରଦୀପ ମାଝୀ, କନ୍ଧ ସମାଜ ଗବେଷକ ଅଜିତ ଭୋଇ, କେସିଙ୍ଗା ବ୍ଲକର ଯୁବ ସଂଗଠକ ଡୋଲାମଣି ଭୋଇ, ଯୁବ କବି ଘନଶ୍ୟାମ ଭୋଇଙ୍କ ସହ ବିଭିନ୍ନ ବ୍ଲକ ସଭାପତି ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଞ୍ଚାସିନ ରହି ବୀର କମଳ ମାଝୀଙ୍କ ସ୍ମୃତି ଚାରଣ ସହ କନ୍ଧ ସମାଜର ଶିକ୍ଷା, ସଂସ୍କୃତି, ପରଂପରା, ସାମାଜିକ ଓ ଅର୍ଥନୈତିକ ଆଦି ବିକାଶ ମୂଳକ ଦିଗ ଉପରେ ଆଲୋକପାତ କରିଥିଲେ । ଶିକ୍ଷାବିତ କ୍ଷିତୀଶ ମାଝୀ ମଞ୍ଚ ପରିଚାଳନା କରିଥିବାବେଳେ ବୀର କମଳ ମଇଦାନର ସଭାପତି ଅମର ସିଂ ମାଝୀ, ସାଧାରଣ ସଂପାଦକ ଦେବରାଜ ମାଝୀଙ୍କ ସମେତ ୨୬ଟି ପଞ୍ଚାୟତର ସଭାପତି, କାର୍ଯ୍ୟକର୍ତ୍ତା ଓ ସମାଜର ବିଶିଷ୍ଟ ବ୍ୟକ୍ତିମାନେ ସହଯୋଗ କରିଥିଲେ । ଏଠାରେ ପ୍ରକାଶଯୋଗ୍ୟ ଯେ, ୧୮୮୨ ମସିହା ମଇ ୨୦ ଆଜିର ଦିନରେ ଇଂରେଜ ସରକାରଙ୍କ ଦ୍ବାରା ଫାସି ଦଣ୍ଡରେ ଦଣ୍ଡିତ ହୋଇଥିଲେ ଅସୁରଗଡ କନ୍ଧ ମେଳିର ନେତୃତ୍ବ ନେଇଥିବା ବୀର କମଳ ମାଝୀ । ଏହା ସହ ୧୯ ଜଣ କନ୍ଧ ଓ ଜଣେ ଗଉଡ (ରେଖପୁର ଗୌନ୍ତିଆ ଜଗତ ଭୋଇ)ଙ୍କୁ କଳାପାଣି ଦଣ୍ଡାଦେଶ ଦେଇଥିଲେ ଇଂରେଜମାନେ । ଜାତି ସ୍ବାଭିମାନ ରକ୍ଷା କରିବାକୁ ପ୍ରାଣବଳୀ ଦେଇଥିଲେ ଏହି ବୀର ପୁରୁଷମାନେ । ଏମାନଙ୍କ ବଳିଦାନ ଦିବସକୁ ବିଗତ ୨୫ ବର୍ଷ ହେଲା ପାଳନ କରିଆସୁଛି କନ୍ଧ ସମାଜ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.