ବଲାଙ୍ଗିର ଏକ୍ସନ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ

• ପଶ୍ଚିମ ଏବଂ ଦକ୍ଷିଣ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିକୁ କଟକ ହାଇକୋର୍ଟ ବାର ଏସୋସିଏସନର ବିରୋଧକୁ ବଲାଙ୍ଗିର ଏକ୍ସନ କମିଟିର ତୀବ୍ର ନିନ୍ଦା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର: ବଲାଙ୍ଗିର ଏକ୍ସନ କମିଟିର ଆବାହକ ଗୋପାଲଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ କାଳୀନ ବୈଠକ କମିଟି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଗତ ମେ ୧୮ତାରିଖରେ ଅନୁଷ୍ଠିତ କଟକ ହାଇକୋର୍ଟ ବାର ଏସୋସିଏସନର କାର୍ଯ୍ୟକାରିଣୀ ବୈଠକରେ, ପଶ୍ଚିମ ତଥା ଦକ୍ଷିଣ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିକୁ ବିରୋଧ ଏବଂ ଏକ କମିଟି ଗଠନ କରି ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ଉଦ୍ୟମକୁ ଆଜି ବଲାଙ୍ଗିର ଏକ୍ସନ କମିଟିର ବୈଠକରେ ତୀବ୍ର ନିନ୍ଦା କରାଯିବା ସହ ଏପରି ପଦକ୍ଷେପ ନିଆଁ ସାଙ୍ଗରେ ଖେଳିବା ସହ ସମାନ ବୋଲି ଚେତାବନୀ ଦିଆଯାଇଛି ।

ଜସବନ୍ତ ସିଂ କମିଶନ (୧୯୮୨) ସ୍ପଷ୍ଟ ଭାବରେ କହିଛନ୍ତି ଯେ ଦୂର ଦୁରାନ୍ତରୁ ଆସୁଥିବା ଜନସାଧାରଣଙ୍କ ସୁବିଧା ତଥା କମ ଖର୍ଚ୍ଚରେ ଆଇନ ସେବା ଯୋଗେଇବା ପାଇଁ ପଶ୍ଚିମ ତଥା ଦକ୍ଷିଣ ଓଡିଶାରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବା ନିହାତି ଜରୁରୀ । ଏତତ ବ୍ୟତୀତ ବଲାଙ୍ଗିରରେ ସ୍ୱାଧୀନତା ପୂର୍ବରୁ ହାଇକୋର୍ଟ ଥିଲା, ଯାହାର ପୁନଃ ପ୍ରତିଷ୍ଠା ଦାବିରେ ବଲାଙ୍ଗିର ବାର ଏସୋସିଏସନ, ବଲାଙ୍ଗିର ଏକ୍ସନ କମିଟି ତଥା ଅନ୍ୟାନ୍ୟ ସଙ୍ଗଠନ ଏବଂ ବଲାଙ୍ଗିରର ଜନସାଧାରଣ ବହୁ ବର୍ଷ ଧରି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ପାଖରେ ଦାବୀ ଉପସ୍ଥାପନ କରିଆସୁଛନ୍ତି । କିନ୍ତୁ କଟକ ହାଇକୋର୍ଟର କିଛି ନ୍ୟାସ୍ତସ୍ୱାର୍ଥ ଆଇନଜୀବୀ ନିଜର ପତିଆରା ତଥା ଆର୍ଥିକ ସ୍ୱାର୍ଥକୁ ଆଖି ଆଗରେ ରଖି ଏବଂ ଦୁର ଦୁରାନ୍ତରୁ ଆସୁଥିବା ଜନତାଙ୍କୁ ଶୋଷଣ କରିବା ଲକ୍ଷ୍ୟରେ, ହାଇକୋର୍ଟର ସ୍ଥାୟୀ ବେଞ୍ଚ ପଶ୍ଚିମ ତଥା ଦକ୍ଷିଣ ଓଡ଼ିଶାରେ ହେବାକୁ ବିରୋଧ କରି ଆସୁଛନ୍ତି ବୋଲି କହିଛି ବଲାଙ୍ଗୀର ଏକ୍ସନ କମିଟି । ତେଣୁ ଏଭଳି ଛଳନାତ୍ମକ ତଥା ବିଦ୍ୱେଷ ସୃଷ୍ଟିକାରୀ ପଦକ୍ଷେପ ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କୁ ଉତେଜିତ କରିବା ସଙ୍ଗେ ସଙ୍ଗେ ନିଆଁରେ ଘିଅ ଢାଳିବା ସହ ସମାନ ବୋଲି କମିଟି ଚେତାବନୀ ଦେଇଛି ।

ନିକଟରେ କେନ୍ଦ୍ର ଆଇନ ମନ୍ତ୍ରୀ ମାନନୀୟ କିରଣ ରିଯିଜୁଙ୍କ ଏନେଇ ଦେଇଥିବା ପତ୍ରକୁ ନେଇ ଓଡିଶା ସରକାର କୌଣସି ଠୋସ ପଦକ୍ଷେପ ନନେବା ଏବଂ ଜାଣିଶୁଣି ଏହି ପ୍ରକ୍ରିୟାକୁ ବିଳମ୍ବିତ କରିବା, ପଶ୍ଚିମ ଓଡିଶା ବାସୀଙ୍କ ମଧ୍ୟରେ ଆକ୍ରୋଶ ସୃଷ୍ଟି କରିବା ସହ କୋଶଲ ରାଜ୍ଯ ଆନ୍ଦୋଳନକୁ ତୀବ୍ର କରିବାରେ ଇନ୍ଧନ ଯୋଗଉଛି ବୋଲି ବଲାଙ୍ଗିର ଏକ୍ସନ କମିଟି କହିଛି । ତେବେ ଏହି ବୈଠକରେ ସ୍ଥିରିକୃତ ହୋଇଛି ଯେ, ଆସନ୍ତା ୨୩ ମଇ ସୋମବାର ଦିବା ୯ ଘଣ୍ଟା ସମୟରେ ବଲାଙ୍ଗିର କଚେରୀ ଛକ ସମ୍ମୁଖରେ ଏକ୍ସନ କମିଟି ତଥା ବଲାଙ୍ଗିରର ସମସ୍ତ ଅଗ୍ରଣୀ ସଙ୍ଗଠନ ଏକତ୍ରିତ ହୋଇ କଟକ ବାର ଏସୋସିଏସନର ଏହି ପଦକ୍ଷେପର ଦୃଢ଼ ନିନ୍ଦା କରିବା ସହ, ହାଇକୋର୍ଟର ସ୍ଥାୟୀ ବେଞ୍ଚ ପଶ୍ଚିମ ତଥା ଦକ୍ଷିଣ ଓଡ଼ିଶାରେ ତୁରନ୍ତ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ଆଇନ ମନ୍ତ୍ରୀ, ଓଡିଶା ମୁଖ୍ୟମନ୍ତ୍ରୀ ତଥା ଓଡିଶା ହାଇ କୋର୍ଟର ମୁଖ୍ୟ ବିଚାରପତିଙ୍କ ଉଦେଶ୍ୟରେ ଦାବିପତ୍ର ବଲାଙ୍ଗିର ଜିଲ୍ଲାପାଳଙ୍କ ମାଧ୍ୟମରେ ପଠାଯିବ । ଏହି ବୈଠକରେ କମିଟିର ଉପ ସଭାପତି ମୁନା ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ଭବାନୀ ଶତପଥୀ, ଗିରିଶ ସିଂହଦେଓ, ଯୁବ ସଂଯୋଜକ ରିଲୁ ରଥ, ଯୁବ ସଭାପତି ବିନୋଦ କାଲସାଏ, ରବି ଖମାରି, ପ୍ରମୋଦ ସାହୁ, ଅନୁରାଗୀ ନାହାକ, ନରେଶ ଅଗ୍ରୱାଲ ଇନ୍ଦ୍ରମଣି ବରଡ ପ୍ରମୁଖ ନିଜ ନିଜ ମନ୍ତବ୍ୟ ରଖିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.