ଶିକ୍ଷକ ନିଯୁକ୍ତି ଦାବୀରେ ବିଦ୍ୟାଳୟରେ ତାଲା ମାରି ଧାରଣା

ଗୋଷ୍ଠୀ ସହ ଶିକ୍ଷା ଅଧିକାରୀଙ୍କ ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଅନେକ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ରହିଛି । ଏଥିପାଇଁ ଅନେକ ସମୟରେ ବିଦ୍ୟାଳୟରେ ତାଲା ମାରି ଆନ୍ଦୋଳନ ହେଉଥିବା ବେଳେ ଆଜି ସାନଚେରଗାଁ ବସ୍ତିପଡା ନୂତନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବୀରେ ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକ ବିଦ୍ୟାଳୟରେ ତାଲା ମାରି ଧାରଣାରେ ବସିଥିବା ବେଳେ ଗୋଷ୍ଠୀ ସହ ଶିକ୍ଷା ଅଧିକାରୀଙ୍କ ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି । ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିର ଅଭିଯୋଗରୁ ଜଣାଯାଏ ଯେ, ସାନଚେରଗାଁ ବସ୍ତିପଡା ନୂତନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ୯୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । କିନ୍ତୁ ବର୍ତ୍ତମାନ ଏହି ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷକ ଅଛନ୍ତି । ଗତ କିଛି ମାସ ତଳେ ଏଠାରେ ଥିବା ପ୍ରଧାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ହୋଇଥିବା ବେଳେ ଗତ ମର୍ଚ୍ଚ ମାସ ୧୦ ତାରିଖରୁ ଅନ୍ୟ ଜଣେ ଶିକ୍ଷୟତ୍ରୀ ପାରିବାରିକ ସମସ୍ୟା ଯୋଗୁଁ ବିଦ୍ୟାଳୟକୁ ଆସୁ ନାହାନ୍ତି । ଏଣୁ ବର୍ତ୍ତମାନ ବିଦ୍ୟାଳୟରେ ଜଣେ ମାତ୍ର ଜଣେ ଶିକ୍ଷକ ଥିବାରୁ ଏତେ ସଂଖ୍ୟକ ଛାତ୍ରଛାତ୍ରିଙ୍କୁ କେବଳ ଜଗିବା ହିଁ ସାର ହେଉଛି । ଏଣୁ ଏହି ବିଦ୍ୟାଳୟରେ ଜଣେ ପ୍ରଧାନ ଶିକ୍ଷକ ନିଯୁକ୍ତି ସହିତ ଜଣେ ସହ ଶିକ୍ଷକ ନିଯୁକ୍ତି କରିବା ପାଇଁ ବିଗତ ଦିନରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଶିକ୍ଷକ ନିଯୁକ୍ତି ହୋଇ ନଥିବାରୁ ଆଜି ସକାଳ ସମୟରୁ ବିଦ୍ୟାଳୟରେ ତାଲା ମାରି ଧାରଣାରେ ବସିଥିଲେ ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ ଓ ଛାତ୍ରଛାତ୍ରୀ । ଏହି ଖବର ସୁଣି ଗୋଷ୍ଠୀ ସହ ଶିକ୍ଷା ଅଧିକାରୀ ଲବଣି ନାଏକ ବିଦ୍ୟାଳୟ ପରିସରକୁ ଆସି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହିତ ବର୍ତ୍ତମାନ ଜଣେ ଶିକ୍ଷକ ନିଯୁକ୍ତି କରାଯାଉଛି ଓ ଆଗାମୀ ଏକ ମାସ ମଧ୍ୟରେ ଜଣେ ପ୍ରଧାନଶିକ୍ଷକଙ୍କୁ ନିଯୁକ୍ତି କରାଯିବ ବୋଲି ପ୍ରତିଶୃତି ଦେବାରୁ ଧାରଣ ପ୍ରତ୍ୟାହୃତ ହୋଇଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ ମାନେ ବିଦ୍ୟାଳୟର ତାଲା ଖୋଲିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.