ଫିରିଙ୍ଗିଆରେ ଟ୍ରକ୍-ଅଟୋ ଧକ୍କା : ୭ ଆହତ, ୩ଗୁରୁତର

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କ୍ରମାଗତ ଭାବେ ଗତ ତିନି ଦିନ ଧରି ଫିରିଙ୍ଗିଆ ଅଞ୍ଚଳରେ ଦୁର୍ଘଟଣା ଘଟି ଚାଲିଥିବା ବେଳେ ଏଥିରେ ପ୍ରାୟ ତିନି ଜଣ ପ୍ରାଣ ହରାଇ ସାରିଲେଣି। ସେହିଭଳି ପୁଣି ଏକ ଟ୍ରକ ସହ ଅଟୋ ଦୁର୍ଘଟଣା ଘଟି ଅଟୋରେ ବସିଥିବା ୭ ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୩ଜଣ ଗୁରୁତର ଆହତଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।ସୁଚନା ଅନୁଯାୟୀ, କାସିନିପଦର ଅଞ୍ଚଳରୁ ଏକ ଅଟୋରେ ୩ଜଣ ଅଙ୍ଗନୱାଡି କର୍ମୀ, ଜଣେ ଗର୍ଭବତୀ ମହିଳାଙ୍କ ସମେତ ଡ୍ରାଇଭରକୁ ମିଶାଇ ପାଖାପାଖି ୭ଜଣ ଯାତ୍ରୀ ଫିରିଙ୍ଗିଆ ଆସୁଥିଲେ। ଅଙ୍ଗନୱାଡି କର୍ମୀମାନେ ଫିରିଙ୍ଗିଆ ମମତା ବୈଠକକୁ ଆସୁଥିଲେ। ତେବେ ଫିରିଙ୍ଗିଆ ପଟରୁ ଯାଉଥିବା ଏକ ଟ୍ରକ୍ ସହ ମାଝୀ ପଡ଼ା ଘାଟି ନିକଟରେ ଦୁର୍ଘଟଣା ଘଟିଛି। ଆହତ ମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସମାଜ ସେବୀ ସଞ୍ଜୟ କୁମାର ଦିଗାଲ ମେଡିକାଲ ପହଞ୍ଚି ଗୁରୁତର ଆହତଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇବାର ବ୍ୟବସ୍ଥା କରିଛନ୍ତି। ଗୁରୁତର ଆହତଙ୍କ ମଧ୍ୟରେ ଦୁଇ ଜଣ ଅଙ୍ଗନୱାଡି କର୍ମୀ ହୋଇ ଥିବାବେଳେ ଅନ୍ୟ ଜଣେ ଗର୍ଭବତୀ ମହିଳା ହୋଇଥିବା ଜଣାପଡିଛି। ଗୁରୁତରଙ୍କ ମଧ୍ୟରେ ଗର୍ଭବତୀ ମହିଳା ଦିପାଳି ଦିଗାଲ, ବରେବାଟା ଅଙ୍ଗନୱାଡି କର୍ମୀ ଲିନାଚାନ୍ଦ ମଲିକ, ଜିରିସି ଅଙ୍ଗନୱାଡ଼ି କର୍ମୀ ରିନା ମଲିକ ଗୁରୁତର ହେବାରୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ସଲପ ସାହି ଅଙ୍ଗନୱାଡି କର୍ମୀ ନମାନି ସାହାଣି ଓ ଅନ୍ୟ ଆହତ ମାନେ ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ବରିଷ୍ଠ ସବ୍ ଇନ୍ସପେକ୍ଟର ପ୍ରଦୀପ କୁମାର ରାଉଳ ପହଞ୍ଚି ଦୁର୍ଘଟଣା ଘଟି ଥିବା ଟ୍ରକ ଓ ଅଟୋକୁ ଏବଂ ଟ୍ରକ ଡ୍ରାଇଭର ଖୋର୍ଦ୍ଧା ଶ୍ରଧାପୁରର ରମାକାନ୍ତ ଜେନାକୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.