ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡିଆଇଇଟି) କଳାହାଣ୍ଡି ତରଫରୁ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍ଏଲ୍ଏନ୍) ସମ୍ପର୍କିତ ଦ୍ଵିଦିବସୀୟ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। ଡିଆଇଇଟିର ଅଧ୍ୟକ୍ଷା ଡ. ସ୍ନେହପ୍ରଭା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡିଆଇଇଟି ପୁରୀର ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ବଳଭଦ୍ର ପୂଜାପଣ୍ଡା ଏବଂ ଡିଆଇଇଟି ସୋନପୁରର ଅଧ୍ୟକ୍ଷ ଡ. ପ୍ରସନ୍ନ କୁମାର ସାହୁ ଅତିଥି ଭାବରେ ଯୋଗ ଦେଇଥିଲେ।
ଶିକ୍ଷକ ପ୍ରଶିକ୍ଷକ ଈଶ୍ୱର ଚନ୍ଦ୍ର ବେହେରା ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ। ରାମଚନ୍ଦ୍ର ବାଗ ଆଲୋଚନାଚକ୍ରର ରୂପରେଖ ବର୍ଣ୍ଣନା କରିଥିଲେ। ମୌଳିକ ସଂଖ୍ୟାଜ୍ଞାନ ଓ ସାକ୍ଷରତାର ଅଭିବୃଦ୍ଧି ନିମନ୍ତେ ସମସ୍ତଙ୍କୁ ଉସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଛି। ଏହି ଅବସରରେ ଡିଆଇଇଟି କଳାହାଣ୍ଡିର ନବନିର୍ମିତ କନଫରେନ୍ସ ହଲକୁ ଡିଇଓ ଶ୍ରୀ ଚୋପଦାର ଓ ଅନୁଷ୍ଠାନର ଅଧ୍ୟକ୍ଷା ଡ. ମହାପାତ୍ର ଉଦଘାଟନ କରିଥିଲେ। ଉକ୍ତ ଆଲୋଚନା କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକର ଶିକ୍ଷକଶିକ୍ଷୟିତ୍ରୀମାନେ ଅଂଶଗ୍ରହଣ କରିଥିଲେ।
ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମକୁ କଳାହାଣ୍ଡି ଜିଲ୍ଲାରେ କିପରି ସଫଳ ରୂପାୟନ କରାଯିବ ସେ ସମ୍ପର୍କରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ନରୋତ୍ତମ ଭୋଇ, ଭାରତୀ ଜାନୀ, ରାମଚନ୍ଦ୍ର ବାଗ, ଶିକ୍ଷକ ପ୍ରଶିକ୍ଷକ ଈଶ୍ୱର ଚନ୍ଦ୍ର ବେହେରା, ଅରୁଣ କୁମାର ଭୋଇ, ରାଜେଶ କୁମାର ଭୋଇ, ଅଚ୍ୟୁତାନନ୍ଦ ମଲ୍ଲିକ, ନିହାରିକା ଦେବୀ, ସୁନିତା ଦୁର୍ଗା, ସୁଦୀପ ବୈଠାରୁ ପ୍ରମୁଖ ଯୋଗଦେଇ କଳାହାଣ୍ଡି ଜିଲ୍ଲାରେ ଗୁଣାତ୍ମକ ଶିକ୍ଷାର ବିକାଶ ଉପରେ ଆଲୋଚନା କରିଥିଲେ।