ଓଡ଼ିଆ ବାର୍ତ୍ତା/ ଚନ୍ଦାହାଣ୍ଡି (କାମିନୀ ରଞ୍ଜନ ପାଣ୍ଡେ): ବିବାହ ଶୋଭାଯାତ୍ରାରେ ସାମିଲ ହେବାକୁ ଯାଉଥିବା ବାଜାବାଲାମାନଙ୍କର ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୯ ଜଣ ଆହତ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଏହି ଦୁର୍ଘଟଣା ଘଟିଛି। ସୂଚନା ପ୍ରକାରେ ଆଜି ସକାଳୁ ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଲହଣ୍ଡାସିଲ ଗ୍ରାମର ଲଳିତଙ୍କ ବାହାଘର ପାଇଁ ବରଯାତ୍ରୀ ଗାଡିଗୁଡିକ ବାହାରିଥିଲା। ତେବେ ଝରିଗାଁ-ଚନ୍ଦାହାଣ୍ଡି ଦେଇ ଏହି ବରଯାତ୍ରୀ ଗାଡି ଗୁଡିକ ଛତିଶଗଡ଼ର ଉର୍ମାଲ ଗ୍ରାମକୁ ଯାଉଥିଲେ। ବରଯାତ୍ରୀ ଶୋଭାଯାତ୍ରାରେ ବାଜା ବଜାଇବା ପାଇଁ ଡାହିମାଲ ଓ ଇଛାପୁର ଗ୍ରାମର ୧୬ ଜଣ ବାଜାବାଲାମାନେ ଏକ ପିକ୍ଅପ୍ (ଓଡ଼ି ୧୦ଏ ୮୭୩୯) ଯାଉଥିଲେ। ତେବେ ହଠାତ ଏହି ଗାଡି ଭାରସାମ୍ୟ ହରାଇ ଚନ୍ଦାହାଣ୍ଡି ଘାଟିରେ ଓଲଟି ପଡିଥିଲା। ଫଳରେ ଗାଡ଼ିରେ ବସିଥିବା ବାଜାବାଲାମାନେ ଛିଟିକି ହୋଇ ତଳେ ପଡ଼ି ଯାଇଥିଲେ। ଦୁର୍ଘଟଣା ପରେ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଆମ୍ବୁଲାନ୍ସ ପହଞ୍ଚିବା ପରେ ଗୁରୁତରମାନଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଦୁର୍ଘଟଣାରେ ଇଛାପୁର ଗ୍ରାମର ଚିତ୍ର ହରିଜନ (୨୭), ଜୟମାନ ହରିଜନ (୧୯) ଏବଂ ଡାହିମାଲ ଗ୍ରାମର ସୀମାଞ୍ଚଳ ବାଗ (୨୨), ଦୈତାରୀ ହରିଜନ(୧୮), ବଲ କୁମାର ହରିଜନ(୧୯), ଚିରଞ୍ଜିବୀ ସୁନାନୀ (୧୮), ରମେଶ ଜରିଜନ (୧୬), ଉମେଶ ହରିଜନ( ୧୭) ଏବଂ କୈଳାଶ ସୁନାନୀ (୧୯)ଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମିକ ଚିକିତ୍ସା କରାଯାଇଥିଲା। ତେବେ ଇଛାପୁର ଗ୍ରାମର ଚିତ୍ର ହରିଜନଙ୍କ ବାମ ଗୋଡ଼ର ପାଦରେ ଗଭୀର ଆଘାତ ହୋଇଥିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବାର ସୂଚନା ମିଳିଛି।