ଘର ଭାଙ୍ଗିବାକୁ ନିର୍ଦ୍ଦେଶ ଦେଲା ପ୍ରଶାସନ ହେଲେ ଭୁଲିଗଲା ଥଇଥାନ କିମ୍ବା ନୂତନ ଗୃହ ଦେବା କଥା
ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ହିତାଧୀକାରୀ ମାନଙ୍କୁ ଆବାସ ଯୋଜନାରେ ଗୃହ ମିଳିଥିବା କହି ଗୃହ ଭାଙ୍ଗିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା। ହେଲେ ଗୃହ ଭାଙ୍ଗିବାର ବର୍ଷେ ପରେ ମଧ୍ୟ ଗୃହର କାର୍ଯ୍ୟାଦେଶ ମିଲି ନଥିବା ବେଳେ ବର୍ତ୍ତମାନ ଅସହାୟ ଅବସ୍ଥାରେ ଏକ ପାଇଖାନା ରେ ପରିବାର ଲୋକେ ଆଶ୍ରୟ ନେଇଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ଗଣ୍ଡାବାହଲି ଗ୍ରାମରେ। ପ୍ରକାଶ ଯୋଗ୍ୟ ଯେ, ଗତ ୨୦୨୦- ୨୧ ମସିହାରେ ଗ୍ରାମର ଟିକେଲଲ ବନ୍ଦିଛୋର ନାମକ ବ୍ୟକ୍ତିଙ୍କ ନାମରେ ଘର ଆସିଥିବା କହି ପ୍ରଶାସନ ପୁରୁଣା ଘରକୁ ଭାଙ୍ଗିବାକୁ କହିଥିଲା। ସ୍ଥାନୀୟ ପ୍ରଶାସନ ତଥା ପିଇଓ କହିବା ପରେ ସଂପୃକ୍ତ ବ୍ୟକ୍ତି ଘରକୁ ଭାଙ୍ଗି ଦେଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାଦେଶ କିମ୍ବା ଗୃହ ଯୋଗାଇଦେବାକୁ ପ୍ରଶାସନ ଉଦ୍ୟମ କରି ନାହିଁ। ଫଳରେ ଅନ୍ୟ ଉପାୟ ନ ପାଇ ପରିବାର ଲୋକେ ପାଇଖାନାରେ ଆଶ୍ରୟ ନେଇଛନ୍ତି। ଏହିବ୍ୟକ୍ତି ଜଣକ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ଆଜିବି ଦାରିଦ୍ର୍ୟ ସୀମାରେଖା ତଳେ ରହି ଜୀବନ ନିର୍ବାହ କରୁଛନ୍ତି। ଜମିବାଡ଼ି କିଛି ନ ଥିବା ବେଳେ କେବଳ ୨ ଡିସିମିଲ ଜାଗା ରହିଛି। ଖାଉଟି କାର୍ଡରେ ଯାହା ଚାଉଳ ମିଲେ ସେଥିରେ ପରିବାର ଚାଲନ୍ତି। ଏତିକି ରେ ମଧ୍ୟ ତାଙ୍କର ପରିବାର ଚଳାଇବା ମୁସ୍କିଲ ହୋଇପଡ଼ିଥିବା ବେଳେ କୁଲି ମଜୁରୀ କରି ପରିବାର ପ୍ରତିପୋଷଣ କରନ୍ତି ବୋଲି କ୍ଷୋଭର ସହ ପ୍ରକାଶ କରିଛନ୍ତି। ଗୃହ ମିଳିବା ଆଶା ନେଇ ଦୋକାନରୁ ସିମେଣ୍ଟ, ଲୁହା ଛଡ଼, ବାଲି ସମେତ ଅନେକ ସମଗ୍ରୀ ଯୋଗାଡ କରି ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ହେଲେ ଟଙ୍କା ନ ମିଳିବାରୁ ଦୋକାନୀ ବାରମ୍ବାର ଘରକୁ ଅସୁଛି। ଏପରିକି ଘର ତିଆରି କରିବା ଆଶାରେ ଘରେ ପଡ଼ି ରହି ଅଲଗା କିଛି କାମ କରିହେଉ ନାହିଁ। ପ୍ରତିବର୍ଷ ଦାଦନ ଯାଇ କିଛି ପଇସା ରୋଜଗାର କରିଥାଉ ହେଲେ ଏ ବର୍ଷ କିଛି ହେଲା ନାହିଁ। ପରିବାର ପ୍ରତିପୋଷଣ କିପରି କରିବି ସେହିଁ ଚିନ୍ତାରେ ଭାଙ୍ଗି ପଡ଼ିଛି ବୋଲି ପ୍ରକାଶ କରିଛନ୍ତି। ଘରେ ପରିବାର ରେ ସ୍ତ୍ରୀ ସମେତ ୨ ପୁଅ ଓ ଜଣେ ଝିଅ ରହିଛନ୍ତି। ସେହିପରି ଗ୍ରାମର ବାବୁଲାଲ ବାଗଙ୍କ ମଧ୍ୟ ସମାନ ଅବସ୍ଥା। ଘର କୁ ଭାଙ୍ଗି ଏବେ ଅନ୍ୟ ଏକ ଘରେ ପରିବାର ସହ ଆଶ୍ରୟ ନେଇଛନ୍ତି। ତାଙ୍କର ସ୍ବାମୀ, ସ୍ତ୍ରୀ ସମେତ ବୃଦ୍ଧା ମା ଓ ପୁଅ ରହିଛନ୍ତି। ଘର ତିଆରି ସାମଗ୍ରୀ ଆଣିଥିବା ଟଙ୍କା ପରିଶୋଧ କରିବା ପାଇଁ ସୁଦୂର ବାଙ୍ଗାଲୋର ସହରକୁ ଗତ ୩ ଦିନ ତଳେ ଚାଲି ଯାଇଥିବା ପ୍ରକାଶ କରିଛନ୍ତି। ଏହି ଭଳି ସିନାପାଲି ବ୍ଲକର ଅନେକ ଗ୍ରାମରେ ମଧ୍ୟ ଏପରି ଅବସ୍ଥା ଦେଖିବାକୁ ମିଳିଛି। ରାଜ୍ୟ ଦଳିତ ଅଧିକାର ମଞ୍ଚର ରାଜ୍ଯ ସଭାପତି କମଳ ଚରଣ ତାଣ୍ଡି ମଧ୍ୟ ଗଣ୍ଡାବାହଲି ଗ୍ରାମକୁ ପହଞ୍ଚି ଏହି ପରିବାରକୁ ଯଥାଶୀଘ୍ର ଆବାସ ଯୋଜନାରେ ସାମିଲ କରିବା ପାଇଁ ଦାବୀ କରିଛନ୍ତି। ଏ ସମ୍ପର୍କରେ ପିଇଓ ସୁଶାନ୍ତ ବେହେରା ଙ୍କୁ ପଚାରିବାରୁ ବ୍ଲକ ପ୍ରଶାସନ ନିର୍ଦ୍ଦେଶ ପରେ କହିଥିଲି ପରବର୍ତ୍ତୀ ସମୟରେ ଏହି ଯୋଜନା ବନ୍ଦ ରହିଛି। ପୁଣି ଚାଲୁ ହେଲେ ତାଙ୍କୁ ଦିଆଯିବ ବୋଲି ପ୍ରକାଶ କରିଛନ୍ତି।