ହାତିବନ୍ଧା ଉଚ୍ଚ ବିଦ୍ୟାଳୟରେ A1 ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ହାତିବନ୍ଧା ଉଚ୍ଚ ବିଦ୍ୟାଳୟର ଦୁଇ ଛାତ୍ରୀ ମାଟ୍ରିକ ପରୀକ୍ଷାରେ A1 ସ୍ତରରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ତାଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି। ଉକ୍ତ ଛାତ୍ରୀ ଦ୍ବୟ ହାତିବନ୍ଧା ନିବାସୀ ରଘୁବିର ମେହେର ଓ ପୁଷ୍ପାଞ୍ଜଳୀ ମେହେରଙ୍କ ଝିଅ କରିସ୍ମା ମେହେର ଏବଂ ରବୀନ୍ଦ୍ର କୁନ୍ଦୁ ଓ ବିନତି କୁନ୍ଦୁଙ୍କ ଝିଅ ରିତୁପାର୍ଣ୍ଣ କୁନ୍ଦୁ ବୋଲି ଜଣାପଡିଛି। କରିସ୍ମା ମେହେର ୫୪୨ ନମ୍ବର ରଖି ଥିବା ବେଳେ ରିତୁପର୍ଣ୍ଣା କୁନ୍ଦୁ ୫୪୫ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ନୂଆପଡା ଜିଲ୍ଲାରେ ତିନିଜଣ ଛାତ୍ରଛାତ୍ରୀ A1 ସ୍ତରରେ ଥିବାବେଳେ ସିନାପାଲି ଅନ୍ତର୍ଗତ ହାତିବନ୍ଧା ଉଚ୍ଚ ବିଦ୍ୟାଳୟରୁ ଦୁଇଜଣ ସ୍ଥାନ ପାଇଥିବା ନେଇ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଆଜି ଫଳାଫଳ ପ୍ରକାଶନ ପରେ ସଂପୃକ୍ତ ବିଦ୍ୟାଳୟ ରେ ଖୁସିର ମାହୋଲ ଦେଖାଯାଇଥିଲା। ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୁବନେଶ୍ୱର ମେହେରଙ୍କ ସଭାପତିତ୍ୱରେ ବିଦ୍ୟାଳୟ ତରଫରୁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇ କୃତି ଛାତ୍ରୀ ମାନଙ୍କୁ ଫୁଲ ତୋଡ଼ା ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉକ୍ତ ସମ୍ବର୍ଦ୍ଧନା ସଭାରେ ବରିଷ୍ଠ ଶିକ୍ଷକ ପ୍ରମୋଦ କୁମାର ପଣ୍ଡା, ଶିକ୍ଷକ କମଳ ପ୍ରସାଦ ମିଶ୍ର, ଶିକ୍ଷୟିତ୍ରୀ ହିମାଦ୍ରୀ ମେହେରଙ୍କ ସମେତ ଛାତ୍ରୀ ମାନଙ୍କ ମାତାପିତା ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ। ଏହି ଅବସରରେ ଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରି ଜୀବନରେ ଆହୁରି ଉଚ୍ଚଶିକ୍ଷା ଗ୍ରହଣ କରି ରାଜ୍ୟ ତଥା କେନ୍ଦ୍ର ସ୍ତରରେ ସୁନାମ ଅର୍ଜନ କରିବା ପାଇଁ ଉତ୍ସାହ ପ୍ରଦାନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.