ନର୍ଲାରେ ତିନିଜଣ ଅଙ୍ଗନୱାଡି କର୍ମୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ତିନିଗୋଟି ଅଙ୍ଗନୱାଡି ନିଯୁକ୍ତି ପାଇଁ ଅନଲାଇନ ମାଧ୍ୟମରେ ବିଜ୍ଞପ୍ତି ପ୍ରକାଶ ପାଇଛି । ମୁସ୍କୁଟି ଗ୍ରାମ ପଞ୍ଚାୟତର କାରୁନପଦର, ରୁପ୍ରାରୋଡ ଗ୍ରାମ ପଞ୍ଚାୟତର ବରଗାଁ କ ଓ ନିଶାଣପୁର ଗ୍ରାମ ପଞ୍ଚାୟତର ନିଶାଣପୁର ଓ ନୂଆପଡା ଅଙ୍ଗନୱାଡି କେନ୍ଦ୍ରର ଅଙ୍ଗନୱାଡି କର୍ମୀଙ୍କ ଅବସର ହେତୁ ଉକ୍ତ କେନ୍ଦ୍ର ଗୁଡିକ ଖାଲି ହୋଇ ପଡିଛି । ଏଣୁ ଉପରୋକ୍ତ କେନ୍ଦ୍ର ଗୁଡିକରେ ଅଙ୍ଗନୱାଡି କର୍ମୀ ନିଯୁକ୍ତି ପାଇଁ ଗତ ଗୁରୁବାର ବିଜ୍ଞପ୍ତି ପ୍ରକାଶ କରିଛି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ । ନର୍ଲା ବ୍ଲକ୍ ଅଧିନରେ ୧୪୫ ଗୋଟି ଅଙ୍ଗନୱାଡି କେନ୍ଦ୍ର ଚାଲୁଥିଲା । ଆବଶ୍ୟକତା ଅନୁଯାୟୀ ଗତବର୍ଷ ପୁଣି ୧୦ ଗୋଟି ନୂଆ ଅଙ୍ଗନୱାଡି କେନ୍ଦ୍ର ଗୁଡିକ ନିର୍ମାଣ କରାଯାଇଥିଲା । ଗତ ଜାନୁୟାରୀ ମାସରେ ଉକ୍ତ ୧୦ ଗୋଟି ନୂଆ ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ଯୋଗ୍ୟତାନୁଯାୟୀ ଅଙ୍ଗନୱାଡି କର୍ମୀ ମାନଙ୍କୁ ନିଯୁକ୍ତି ଦିଆଯାଇଛି। ନର୍ଲା ବ୍ଲକ୍ ଅଧିନସ୍ଥ ପାଙ୍ଗା, କେରବାଣ୍ଡି, କୁଚେଇଯୋର, ଥାପେନ୍, ଗୁଡାଙ୍ଗଗୋଛା, ଥୁଆପଦର, ଟୁଟିଙ୍ଗ, ଖାସବାହାଲି, ଛତାମହୁଲ, ସମରକଟା ଏହି ୧୦ ଗୋଟି ନୂଆ କେନ୍ଦ୍ର ଗୁଡିକରେ ନୂତନ ଭାବରେ ଅଙ୍ଗନୱାଡି କର୍ମୀ ମାନଙ୍କୁ ନିଯୁକ୍ତି ଦେଇଛି ବିଭାଗ। ଆସନ୍ତା ୨୧/୭ ପର୍ଯ୍ୟନ୍ତ ସ୍ଥାନୀୟ ପ୍ରାର୍ଥୀନୀମାନେ ଅନଲାଇନ ରେ ଫର୍ମ ପକାଇ ପାରିବେ। ଏହାପରେ ଭେରିଫିକେସନ ହୋଇ ଇଣ୍ଟରଭ୍ୟୁ କରାଯାଇ ଯୋଗ୍ୟତା ଅନୁଯାୟୀ ଅଗ୍ରାଧିକାର ଭିତ୍ତିରେ ପ୍ରାର୍ଥୀନୀ ମାନଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ବୋଲି ନର୍ଲା ସିଡିପିଓ ଶ୍ରୀମତୀ ନିବାସିନୀ ବିଶ୍ୱାଳ ସୂଚନା ପ୍ରଦାନ କରିଛନ୍ତି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ଗତ ଜାନୁୟାରୀ ମାସରେ ନୂତନ ଭାବରେ ନିଯୁକ୍ତି ଦିଆଯାଇଥିବା କେନ୍ଦ୍ର ଗୁଡିକରେ ନିଯୁକ୍ତି ବେଲେ ଅନେକ ବିବାଦ ଦେଖା ଦେଇଥିଲା। ଆଉ ଏଥିପାଇଁ ଫଳାଫଳ ପ୍ରକାଶ କରିବା ପାଇଁ ବିଭାଗ ଦୁଇ ଥର ଦିନାଙ୍କ ପରିବର୍ତ୍ତନ ମଧ୍ୟ କରିଥିଲା। ତଥ୍ୟ ନେବାରୁ ଜଣାପଡିଥିଲା ଯେ ଅନଲାଇନ କରୁଥିବା ଗାଁ ଗାଉଁଳି ଅନଲାଇନ (ସହଜ ଜନସେବା) କେନ୍ଦ୍ର ଗୁଡିକ ଅନଲାଇନ ସମୟରେ ପ୍ରାର୍ଥୀନୀ ମାନଙ୍କ ଅନେକ ଡକ୍ୟୁମେଣ୍ଟ ଅପଲେଡ କରିନଥିଲେ। ଏବଂ ଅନେକ ଭୁଲ ତଥ୍ୟ ଦେଇଥିବାରୁ ଅନେକ ଯୋଗ୍ୟ ପ୍ରାର୍ଥୀନୀଙ୍କ ଫର୍ମ ଅଗ୍ରାହ୍ୟ ମଧ୍ୟ ହୋଇଯାଇଥିବା ଜଣାପଡିଥିଲା। ଏଣୁ ଅନଲାଇନ କରିବା ସମୟରେ ପ୍ରାର୍ଥୀନୀ ମାନେ ଆବଶ୍ୟକୀୟ ସମସ୍ତ ଡକ୍ୟୁମେଣ୍ଟ ଅପଲୋଡ କରିବା ପାଇଁ ବିଭାଗ ତରଫରୁ ପ୍ରାର୍ଥୀନୀ ମାନଙ୍କୁ ସତର୍କ କରିଦିଆଯାଇଛି ବୋଲି ସିଡିପିଓ ଶ୍ରମତୀ ବିଶ୍ୱାଳ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.