ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ସାକ୍ଷରତା ମିଶନ ପକ୍ଷରୁ ୧୫ ରୁ ଉର୍ଦ୍ଧ ବୟସ୍କ ଅଣ ସାକ୍ଷାର ମାନଙ୍କୁ ସାକ୍ଷର କରିବା ଲକ୍ଷ୍ୟରେ ୨୦୧୧ ରୁ ୨୦୧୮ ମସିହା ପର୍ଯ୍ୟନ୍ତ ସାକ୍ଷର ଭାରତ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେଇଥିଲା। ଏଥିରେ ୨୭୩ ଟି ଗ୍ରାମପଞ୍ଚାୟତ ରୁ ୫୪୭ ଜଣ ପ୍ରେରକ ନିୟୋଜିତ ହୋଇ ମାସିକ ୨୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପାଉଥିଲେ। ପ୍ରେରକ ମାନେ ପୌଢ ଶିକ୍ଷା ମାଧ୍ୟମରେ ଅଣସାକ୍ଷର ମାନଙ୍କୁ ସାକ୍ଷର କରିବା ସଙ୍ଗେ ସଙ୍ଗେ ପଞ୍ଚାୟତର ପିଡ଼ିଏସ, ଭତା, ବଣ୍ଟନ, ସ୍ୱଚ୍ଛଭାରତ ମିଶନ ହିତାଧିକାରୀ ସର୍ଭେ, ବିପିଏଲ, ଏପିଏଲ ସର୍ଭେ ରେ ପଞ୍ଚାୟତ କର୍ମଚାରୀଙ୍କୁ ସହଯୋଗ କରୁଥିଲେ। ୨୦୧୮ ରୁ ଏହି କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଥିବାରୁ ବର୍ତମାନ ପ୍ରେରକ ମାନେ ନିରାଶ ହୋଇ ହାତ ବାନ୍ଧି ବସିଛନ୍ତି। ଅଧିକାଂଶ ପ୍ରେରକ ବୟସ ସୀମାକୁ ଅତିକ୍ରମ କରିସାରିଥିବା ବେଳେ ବର୍ତମାନ ଦାରିଦ୍ରର କଷାଘାତରେ ଜର୍ଜରିତ ହୋଇ ଅତି ଦୟନୀୟ ଜୀବନଯାପନ କରୁଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରେରକ ସଂଘ ପକ୍ଷରୁ ଜିଲ୍ଲା ଉପସଭାପତି ଗରୁଡଧ୍ଵଜ ବେନୁପାଣିଙ୍କ ସଭାପତିତ୍ବରେ ଭବାନୀପାଟଣା ଏସଏନ କନଫରେନ୍ସ ହଲ ଠାରେ ଏକ ଜରୁରୀ ବୈଠକ ବସି ଆଗାମୀ ଭବିଷ୍ୟତରେ ସରକାରଙ୍କ ନୂତନ କାର୍ଯ୍ୟକ୍ରମ “ସମଗ୍ର ଶିକ୍ଷା” ରେ ପ୍ରେରକ ମାନଙ୍କୁ ସାମିଲ କରି ପୁନଃ ନିଯୁକ୍ତି ପ୍ରଦାନ ପାଇଁ ଆଲୋଚନା ହୋଇ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦେବାପାଇଁ ସ୍ଥିର କରାଯାଇଥିଲା। ଏହି ଅବସରରେ ସର୍ବ ସମ୍ମତି କ୍ରମେ ଜିଲ୍ଲା ସ୍ତରୀୟ ନୂତନ ପୂର୍ଣ୍ଣାଙ୍ଗ କମିଟି ଗଠନ ହୋଇଯାଇଛି। ସଂଘର ନୂତନ ସଭାପତି ଭାବେ ଅକୁର ମହାଳିକ, ସମ୍ପାଦକ ଭାବେ ଜଗତରାମ ସାହୁ, ଉପସଭାପତି ଭାବେ ଗରୁଡଧ୍ଵଜ ବେନୁପାଣି, ସହସମ୍ପାଦକ ଛବି ବିହାରୀ ଓ କୋଷାଧ୍ୟକ୍ଷ ଭାବେ ଗାୟତ୍ରୀ ଠାକୁରଙ୍କୁ ମନୋନୀତ କରାଯାଇଛି। ପ୍ରେରକ ସଂଜୀବ ସାହୁ ଓ ହିରଣ୍ୟ ବେହେରା ନୂତନ କମିଟି ଚୟନରେ ସକ୍ରିୟ ଅଂଶଗ୍ରହଣ କରି ସଭା ପରିଚାଳନା କରିଥିଲେ। ଏହି ବୈଠକରେ ବିଭିନ୍ନ ବ୍ଲକରୁ ଶତାଧିକ ପ୍ରେରକ ଉପସ୍ଥିତ ରହି ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ।





