ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲାର ମୁଖ୍ୟ ଦ୍ବାର କୁହାଯାଉଥିବା କେସିଙ୍ଗା ସହରରେ ଦିନକୁ ଦିନ ଅନୁପ୍ରବେଶକାରୀ ମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଚେତନ ନାଗରିକ ମାନଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ଗମନାଗମନର ସୁବିଧାକୁ ଦେଖିଲେ କେସିଙ୍ଗାରେ ଜିଲ୍ଲାର ମୁଖ୍ୟ ରେଳ ଷ୍ଟେସନ ରହିଥିବା ବେଳେ ସଡ଼କ ପଥର ଉତ୍ତମ ସଂଯୋଗ ରହିଛି। ଯାହା ଫଳରେ ବିଭିନ୍ନ ବ୍ୟବସାୟ ଆଳରେ ପଶ୍ଚିମବଙ୍ଗ, ବିହାର, ଝାରଖଣ୍ଡ, ଛତିଶଗଡ଼ ପ୍ରଭୃତି ରାଜ୍ୟ ସମେତ ବାଂଲାଦେଶୀମାନେ କେସିଙ୍ଗାକୁ ଆସି ବିଭିନ୍ନ ଓ୍ବାର୍ଡରେ ବର୍ଷ ବର୍ଷ ଧରି ରହୁଛନ୍ତି। ଏଠାରେ ରହିବାର କିଛି ଦିନ ଭିତରେ ସେମାନେ ସ୍ଥାନୀୟ ନାଗରିକ ହୋଇ ରହିବା ପାଇଁ ଚେଷ୍ଟା କରି ନିଜର ପରିଚୟ ପତ୍ର ତିଆରି କରୁଥିବା ଅଭିଯୋଗ ହେଉଛି। ହେଲେ ସ୍ଥାନୀୟ ପ୍ରଶାସନ ଏବଂ ପୁଲିସ ପାଖରେ ସବୁ ଖବର ରହୁଥିଲେ ମଧ୍ୟ ଜାଣି ନଜାଣିଲା ପରି ରହୁଥିବା ଚର୍ଚ୍ଚା ହେଉଛି। ତେବେ କେସିଙ୍ଗାରେ ବର୍ଷ ବର୍ଷ ଧରି ରହି ଆସୁଥିବା ବାହାର ଲୋକଙ୍କ ଚାଲିଚଳଣ ତଥା ତାଙ୍କର ବ୍ୟବସାୟକୁ ଅନୁଧ୍ୟାନ କଲେ ତାହା ଉପରେ ସନ୍ଦେହ ସୃଷ୍ଟି କରୁଛି। ଯାହାକି ସେମାନେ ବାଂଲାଦେଶୀ ଓ ରୋହିଙ୍ଗ୍ୟାଙ୍କ ଭଳି ବସବାସ କରୁଥିବା ଅଭିଯୋଗ ହେବା ସହିତ କେସିଙ୍ଗା ସହରରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଜଣାପଡିଛି। ବାହାର ରାଜ୍ୟରୁ ଆସୁଥିବା ଅନୁପ୍ରବେଶକାରୀଙ୍କ ପରିଚୟପତ୍ରକୁ ସ୍ଥାନୀୟ ପ୍ରଶାସନ ସଠିକ ରୂପେ ଯାଞ୍ଚ କରିବା ପାଇଁ ପୂର୍ବରୁ ଦାବି ହୋଇଆସୁଥିଲେ ମଧ୍ୟ ତାହାକୁ ଅଣଦେଖା କରାଯାଇଥିବା ବେଳେ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ନଜର ଦେଉନଥିବାରୁ କେସିଙ୍ଗାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ମଧ୍ୟ ଖରାପ୍ ଆଡ଼କୁ ଗତି କରୁଛି ବୋଲି ବିଭିନ୍ନ ମହଲରୁ ମତପ୍ରକାଶ ପାଇଛି। କେସିଙ୍ଗାରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ଭବିଷ୍ୟତରେ ସ୍ଥାନୀୟ ଲୋକଙ୍କ ଅଧିକାରକୁ ମଧ୍ୟ ଛଡ଼ାଇବାକୁ ପଛେଇବେ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। କେସିଙ୍ଗା ଅଞ୍ଚଳରେ ଯେଉଁ ମାତ୍ରାରେ ଅନୁପ୍ରବେଶକାରୀ ମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ତାହା ଚିନ୍ତାର ବିଷୟ ପାଲଟିଛି। ତେଣୁ କାଳ ବିଳମ୍ବ ନକରି ଖୁବ୍ ଶୀଘ୍ର ଠୋସ୍ ଯୋଜନା ତିଆରି କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ସାଧାରଣରେ ଦାବି ହେଉଛି। ଏଠାରେ ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଏନ୍ଏସିରେ ୧୨ ଗୋଟି ଓ୍ବାର୍ଡ ରହିଛି। ଗତ ୨୦୧୧ ମସିହାର ଜନସଂଖ୍ୟା ସର୍ଭେ ରିପୋର୍ଟ ଅନୁସାରେ ୧୯୨୩୯ ଲୋକ କେସିଙ୍ଗା ସହରରେ ରହିଥିବା ଜଣାପଡିଛି। ଯାହାକି ପୁରୁଷ ସଂଖ୍ୟା ୯୮୪୪ ରହିଥିବା ବେଳେ ମହିଳା ସଂଖ୍ୟା ୯୩୯୫। ଏଥିରେ ସମ୍ପ୍ରଦାୟ ହିସାବକୁ ନେଲେ ୧୮୦୯୪ ଜଣ ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ରହୁଛନ୍ତି ଯାହାକି ୯୪.୦୫ ପ୍ରତିଶତ ରହିଥିବା ଜଣାପଡିଛି। ସେହିପରି ମୁସଲିମ ସମ୍ପ୍ରଦାୟର ୧.୧୫ ପ୍ରତିଶତ ହିସାବରେ ୨୨୧ଜଣ, ଖ୍ରୀଷ୍ଟିଆନ ସମ୍ପ୍ରଦାୟର ୦.୯୪ ପ୍ରତିଶତ ହିସାବରେ ୧୮୧ ଜଣ, ଶିଖ୍ ସମ୍ପ୍ରଦାୟର ୦.୨୧ ପ୍ରତିଶତ ହିସାବରେ ୪୧ ଜଣ ଏବଂ ଜୈନ୍ ସମ୍ପ୍ରଦାୟର ୩.୪୧ ପ୍ରତିଶତ ହିସାବରେ ୬୫୭ ଜଣ ରହିଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି। ତେବେ ବେସରକାରୀ ହିସାବରେ କହିବାକୁ ଗଲେ ବିଭିନ୍ନ ସମ୍ପ୍ରଦାୟକୁ ମିଶାଇ କେସିଙ୍ଗା ଏନ୍ଏସି ଅଞ୍ଚଳରେ ରହୁଥିବା ସର୍ବମୋଟ ଜନସଂଖ୍ୟା ପ୍ରାୟ ୨୫ ହଜାରରୁ ଅଧିକ ହେବ। ଯାହାକି ଅନ୍ୟ ସମ୍ପ୍ରଦାୟ ତୁଳନାରେ ମୁସଲିମ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଜନସଂଖ୍ୟା ବ୍ୟାପକ ଭାବରେ କେସିଙ୍ଗାରେ ବୃଦ୍ଧି ପାଉଥିବା ନେଇ ଆଲୋଚନା ହେଉଛି। ଏଠାରେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ କେସିଙ୍ଗା ଏନ୍ଏସି ଅଞ୍ଚଳର ବିଭିନ୍ନ ଓ୍ବାର୍ଡରେ ରହୁଥିବା ଅନୁପ୍ରବେଶକାରୀ ମାନେ ରାଜନୈତିକ ଦଳର ଛତ୍ରଛାୟାରେ ରହି ନାଗରିକତା ସମ୍ପର୍କିତ କାଗଜପତ୍ର ମଧ୍ୟ କରାଇନେଉଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି। ତେବେ ଏଭଳି ହେବା ଦ୍ୱାରା ଚୋରି ସଂଖ୍ୟା ବୃଦ୍ଧି ପାଉଛି ଓ ଭବିଷ୍ୟତରେ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଏଡାଇ ଦିଆଯାଇନପାରେ ବୋଲି ବୁଦ୍ଧିଜୀବୀ ମାନଙ୍କ ଠାରୁ ମତ ପ୍ରକାଶ ପାଇଛି।