✍🏼ରଞ୍ଜିତ କୁମାର ସାହୁ
ତୃଷାର ପୀଡ଼ିତ ସତେ ଯେମିତି ସେ,
ଶ୍ରାବଣର ପଥ ରହଇ ଚାହିଁ ।
ପ୍ରସ୍ତ ପ୍ରସ୍ତ ମେଘର ବିଛଣା ପାରି,
ସ୍ଵପ୍ନ ବିଦାରେ, ନିଶି ଦିନ ତହିଁ ।
ନଭ ନୀଳିମାର କାୟା ବିସ୍ତାରରେ,
ସ୍ଥୁଳ ବାରିଦ ମାୟା ତାର ଢାଳେ,
ଅଟକେଇ ଦେଇ ସୂର୍ଯ୍ୟର କିରଣ,
ଅସ୍ଥାୟୀ ପ୍ରେମର ଆଲୋକ ଜାଳେ ।
ନୀଳ ଶୂନ୍ୟତାର ଅସ୍ତିତ୍ଵ ହରାଇ-
ମୋହିତ ହୁଏ ମେଘ ସମ୍ଭାରରେ ।
ଆକାଶ କୁଆଡ଼େ ଅସରନ୍ତି ଲୁହ,
ଢାଳେ ଶ୍ରାବଣର ବରଷା ଧାରେ !
ଅଭ୍ୟାସ ନୁହଁଇ, ନୁହେଁ ଅଭିପ୍ରାୟ,
ଏହାହିଁ ଲେଖା ତା’ର କପାଳରେ,
ସବୁକିଛି ପାଇ, ତାହାକୁ ହରାଇ,
ନିସ୍ଵ ହୋଇ ପୁଣି ଶୁନ୍ୟ ଆଦରେ !