ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗର ନୂତନ କାର୍ଯ୍ୟାଳୟ ଗୃହ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ, ଯୋଗ ଦେଇ ନବ ନିର୍ମିତ କାର୍ଯ୍ୟାଳୟ ଗୃହର ଶୁଭ ଉଦଘାଟନ କରିଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟ ତରଫରୁ ବୃକ୍ଷ ଚାରା ଦେଇ ସ୍ୱାଗତ କରାଯାଇଥିଲା । ମୁଖ୍ୟ ଅତିଥିଙ୍କ ସହ ସମ୍ମାନିତ ଅତିଥି ଭାବେ ମୁଖ୍ୟ ବିକାଶ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କଳାହାଣ୍ଡି ପୱାର ସଚିନ ପ୍ରକାଶ, କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର, କଳାହାଣ୍ଡି ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ. ଅଜିତ କୁମାର ବାବୁ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଟେମଲାଲ ଦୁବେ ପ୍ରମୁଖ ଯୋଗ ଦେଇଥିଲେ । ଅତିଥିମାନେ ଫଳକ ଅନାବରଣ ସହ ଫିତା କାଟି ନୂତନ କାର୍ଯ୍ୟାଳୟକୁ ପ୍ରବେଶ କରିଥିଲେ । ସୂଚନାଯୋଗ୍ୟ ଯେ ୧୯୭୫ ମସିହାରୁ କଳାହାଣ୍ଡି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସ୍ଥାପନ ହୋଇଥିବାବେଳେ ଅଦ୍ୟାବଧି ଏହାର ନିଜସ୍ୱ କାର୍ଯ୍ୟାଳୟ ଗୃହ ନଥିଲା । ବଲାଙ୍ଗୀର ଶିକ୍ଷା ମଣ୍ଡଳରୁ ଅଲଗା ହୋଇ ନୂତନ ଭାବେ ସ୍ଥାପିତ ହୋଇଥିବା କଳାହାଣ୍ଡି ଶିକ୍ଷା ମଣ୍ଡଳ ଓ ପରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ କଳାହାଣ୍ଡି ବିଭିନ୍ନ ଭଡ଼ା ଘରେ ତଥା ହାଇସ୍କୁଲର ଅବ୍ୟବହୃତ କୋଠରୀ ମାନଙ୍କରେ ଅତ୍ୟନ୍ତ ଦୟନୀୟ ଭାବେ ଚାଲି ଆସୁଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାରଙ୍କ ନିଜସ୍ୱ ପ୍ରଚେଷ୍ଟା ବଳରେ ବିଭାଗୀୟ ଅନୁମୋଦନ କ୍ରମେ ଭବାନୀପାଟଣା ଜେଲଖାନା ଛକ ନିକଟସ୍ଥ ପୁରାତନ ଡିଆଇ ଅଫିସ ପରିସରରେ ଏକ ଭବ୍ୟ କାର୍ଯ୍ୟାଳୟ ଗୃହ ସ୍ଥାପନ ସମ୍ଭବ ହୋଇପାରିଲା । ଏହି କାର୍ଯ୍ୟାଳୟ ସ୍ଥାପନ ଫଳରେ ସମ୍ପୂର୍ଣ ଭାବରେ ଶିକ୍ଷା ବିଭାଗ ସହ ସମ୍ପୃକ୍ତ ସମସ୍ତ ବ୍ୟକ୍ତିବିଶେଷ ଉପକୃତ ହେବେ । ସମଗ୍ର ଶିକ୍ଷାର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଏହି ଗୃହରେ ପରିଚାଳିତ ହେବ । ଏଥିରେ ଅତ୍ୟାଧୁନିକ ଶୌଚାଳୟ, ପ୍ରତୀକ୍ଷାହଲ, ସମ୍ମିଳନୀ କକ୍ଷ, ପାର୍କିଂ ସହ ଦୁଇ ଅନୁଷ୍ଠାନ ପାଇଁ ଆବଶ୍ୟକ ହେଉଥିବା ପର୍ଯ୍ୟାପ୍ତ କୋଠରୀର ବ୍ୟବସ୍ଥା ରହିଛି । ଏହି କାର୍ଯ୍ୟାଳୟ ଗୃହ ଉନ୍ମୋଚନ ହେବା ଫଳରେ ଶିକ୍ଷା ବିଭାଗର ତଥା କଳାହାଣ୍ଡି ଜନସାଧାରଣ ଓ ଶିକ୍ଷକ ମହଲରେ ଖୁସିର ଲହରୀ ଖେଳିଯାଇଛି । ଏଥିରେ ସମସ୍ତ ଅଫିସ କର୍ମଚାରୀ ତଥା ପୁରାତନ କର୍ମଚାରୀ, ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ ।