ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରବିନ୍ଦ୍ର ମିଶ୍ର): କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ ବଣପାହାଡ ଘେରା ଅଞ୍ଚଳରେ ସ୍ବାସ୍ଥ୍ୟସେବା ଅପହଞ୍ଚ ହୋଇ ପଡିରହିଛି । ଏହି ବ୍ଲକର ଅନେକ ଅଞ୍ଚଳକୁ ଏବେବି ଗମନାଗମନର କୌଣସି ସୁବିଧା ନଥିବା ବେଳେ ସାଧାରଣ ମୌଳିକ ସୁବିଧା ଅବା ସରକାରୀ ଯୋଜନା ଅପହଞ୍ଚ ହୋଇପଡିଛି । ଏପରି ସ୍ଥଳେ ସ୍ବାସ୍ଥ୍ୟସେବାର ଚିତ୍ର ମଧ୍ୟ ଦୟନୀୟ ଏବଂ ଶୋଚନୀୟ । ସରକାର ଜରୁରୀକାଳୀନ ରୋଗୀସେବା ପାଇଁ ଅମ୍ବୁଲାନ୍ସ ସେବାର ବ୍ୟବସ୍ଥା କରିଛନ୍ତି । କିନ୍ତୁ ବ୍ଲକର ଅନେକ ଅଞ୍ଚଳକୁ ଏହି ସେବା ସାଧ୍ୟ ନଥିବା ବେଳେ ବାଇକ୍ ଅମ୍ବୁଲାନ୍ସ ମାଧ୍ୟମରେ ରୋଗୀସେବା ଯୋଗାଇବାର ବ୍ୟବସ୍ଥା କରିଛନ୍ତି ।କିନ୍ତୁ ଯେଉଁ ଅଞ୍ଚଳକୁ ଗମନାଗମନର କୌଣସି ବ୍ୟବସ୍ଥା ନାହିଁ ସେଠାକୁ ଏହି ସେବା ମଧ୍ୟ ଅପହଞ୍ଚ । ରୋଗୀ ହେଉ ଅବା ଗର୍ଭବତୀ ମହିଳା ଏମାନଙ୍କୁ ଖଟିଆ ସାହାଯ୍ୟରେ ବୋହି ଆଣିବା ଭଳି ଦୃଶ୍ୟ ଅନେକ ଥର ଦେଖିବାକୁ ମିଳିଛି ।ଗମନାଗମନ ନାହିଁ ବୋଲି ଜରୁରୀକାଳୀନ ଅମ୍ବୁଲାନ୍ସ ସେବା ପହଞ୍ଚି ପାରୁନି । ଏପରି ସ୍ଥଳେ ବାଇକ୍ ଅମ୍ବୁଲାନ୍ସ୍ ସେଠାରେ ପହଞ୍ଚିବାକୁ ଉଦ୍ୟମ କରିଥାଏ । ଅନେକାଂଶରେ ସଫଳ ମଧ୍ୟ ହୋଇଥିବା ଦୃଷ୍ଟିକୁ ଆସିଛି । ଯାହା ବାଇକ୍ ଅମ୍ବୁଲାନ୍ସ ଚାଳକର ଉଦ୍ୟମ ଓ ସାହସ ବଳରେ ସମ୍ଭବ ହୋଇଥାଏ । ଯେଉଁଥିପାଇଁ ମାତୃ ଓ ଶିଶୁ ମୃତ୍ୟୁ ହାରକୁ ନିୟନ୍ତ୍ରଣ କରାଯାଇ ପାରୁଛି । ବର୍ତ୍ତମାନ ବ୍ଲକର ବିଭିନ୍ନ ଅଞ୍ଚଳରେ ଅଜଣା ଝାଡାବାନ୍ତି ରୋଗର ପ୍ରଭାବ ଲାଗିରହିଥିବା ବେଳେ ଏସବୁ ଅଞ୍ଚଳକୁ ସ୍ବାସ୍ଥ୍ୟସେବା ଯୋଗାଇବା ସ୍ବାସ୍ଥ୍ୟ ବିଭାଗ ପାଇଁ ଏକ ଚ୍ୟାଲେଞ୍ଜ ଭଳି ସ୍ଥିତି ସୃଷ୍ଟି କରୁଛି । କିନ୍ତୁ ବାଇକ୍ ଆମ୍ବୁଲାନ୍ସ ରୋଗୀଙ୍କ ପାଇଁ ସ୍ବାସ୍ଥ୍ୟ ସେବା ଯୋଗାଇବାରେ ସଫଳ ହେଉଛି । ଅନେକଙ୍କ ଜୀବନ ବଞ୍ଚାଇବାକୁ ସାଧ୍ୟ ହେଉଛି । ଏବେ ବ୍ଲକର ନାକୁରୁଣ୍ଡି ଗ୍ରାମ ପଞ୍ଚାୟତର ଦୁର୍ଗମ ଇଲାକା ଫୁକେରପଦର ଗାଁର କ୍ଷିରେନ୍ଦ୍ର ମାଝୀ ଏହି ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ପଡିଥିଲେ ସୂଚନା ପାଇ ବହୁ କଷ୍ଟରେ ବାଇକ୍ ଅମ୍ବୁଲାନ୍ସ୍ ପହଞ୍ଚି ସେଠାରୁ ଆଣି ନାକୁରୁଣ୍ଡି ଉପସ୍ବାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚାଇଥିଲେ । ବାଇକ୍ ଅମ୍ବୁଲାନ୍ସ୍ ଚାଳକ ଡମ୍ବରୁଧର ଚଣ୍ଡୀଙ୍କ ସାହସ ଓ ଉଦ୍ୟମ ଫଳରେ ଥୁଆମୂଳ ରାମପୁର ବ୍ଲକର ଉପାନ୍ତ ଅଞ୍ଚଳ କର୍ଲାପାଟ, କିଆପଦର, କେରପାଇ ଏବଂ ସିଲେଟ ପଞ୍ଚାୟତର ଅନେକ ଦୁର୍ଗମ ଅଞ୍ଚଳକୁ ରୋଗୀସେବା ସାଧିତ ହେଇପାରିଛି ।
୨୦୧୭ରୁ ଥୁଆମୁଳ ରାମପୁର ଭଳି ଅଗମ୍ୟ ଅଞ୍ଚଳ ରେ ବାଇକ୍ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା। ବିଶେଷ କରି ଦୁର୍ଗମ ଅଂଚଳରେ ମାତୃ ଶିଶୁ ମୃତ୍ୟୁ ହାର ରୋକିବାକୁ ସରକାର ବାଇକ୍ ଆମ୍ବୁଲାନ୍ସ ର ପଦକ୍ଷେପ ନେଇଥିଲେ। ୨୦୧୭ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୩୪୦ ଜଣ ରୋଗୀଙ୍କୁ ସେବା ଯୋଗାଇବାରେ ସଫଳ ହେଇଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୬୦ ଜଣ ସାଧାରଣ ରୋଗୀ ଅନ୍ୟ ସବୁ ଗର୍ଭବତୀ ମହିଳା ବୋଲି ସୁଚନା ଦେଇଛନ୍ତି ବାଇକ୍ ଆମ୍ବୁଲାନ୍ସ ଚାଳକ ଡମ୍ବରୁଧର ଚଣ୍ଡୀ।