ଅମିତ ଜାଲ ଓ ଜିତେନ୍ଦ୍ର ବିଶ୍ୱାଳଙ୍କୁ ଦେବଗିରି ଗୁରୁ ସମ୍ମାନ: ଦେବଗିରି କଳା ସମ୍ମାନ ପାଇବେ ଓମପ୍ରକାଶ ମାଝୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଯୁବ ଶିକ୍ଷାବିତ୍ ଅମିତ କୁମାର ଜାଲ ଓ ଜିତେନ୍ଦ୍ର କୁମାର ବିଶ୍ବାଳଙ୍କୁ ଏବର୍ଷର ମର୍ଯ୍ୟାଦାଜନକ ଦେବଗିରି ଗୁରୁ ସମ୍ମାନ-୨୦୨୨ ପ୍ରଦାନ କରାଯିବ। ସେହିପରି ଯୁବ ମିମିକ୍ରି କଳାକାର ତଥା ମଞ୍ଚ ଉପସ୍ଥାପକ ଓମପ୍ରକାଶ ମାଝୀ ପାଇବେ ଦେବଗିରି କଳା ସମ୍ମାନ-୨୦୨୨। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦର ସ୍ଥିତ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୦ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଅବସରରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ଓ ସାଧାରଣ ସଂପାଦକ ସୁନୀଲ ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି। ଗୋଲାମୁଣ୍ଡା ବ୍ଲକ୍ ଘୋଟିଆ ଗ୍ରାମର ଝରଣା ଜାଲ ଓ ଅଶ୍ୱିନ ଜାଲଙ୍କ ସୁପୁତ୍ର ଅମିତ ସଂପ୍ରତି ବଡ଼ଚେରଗାଁ କ୍ଲଷ୍ଟରର ସିଆରସିସି ଭାବେ କାର୍ଯ୍ୟରତ। ଶିକ୍ଷା ବିଭାଗର ଅନେକ ତାଲିମରେ ସେ ସାଧନକର୍ମୀ ଭାବେ କାର୍ଯ୍ୟ କରିଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇ ଜିଲ୍ଲାର ନାଁ ଉଜ୍ଜ୍ବଳ କରିଛନ୍ତି। ଅନ୍ୟତମ ଯୁବ ଶିକ୍ଷାବିତ୍ ଜିତେନ୍ଦ୍ର ବିଶ୍ୱାଳ ମଧ୍ୟ ଜଣେ ସାଧନକର୍ମୀ ଭାବେ ଖ୍ୟାତି ଅର୍ଜନ କରିଥିବା ବେଳେ କୋଭିଡ ମହାମାରୀ ସମୟରେ ୟୁଟ୍ୟୁବ କ୍ଳାସ୍, ଏନ୍ଏଏସ୍ ଆଦି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ଶିକ୍ଷାର ଉନ୍ନତି ଦିଗରେ ଅନେକ କାର୍ଯ୍ୟ କରିଛନ୍ତି। ସଂପ୍ରତି ସେ ନର୍ଲା ବ୍ଲକର ଉଲିକୁପା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। ସେହିପରି ଲାଞ୍ଜିଗଡ଼ ବ୍ଲକ କମର୍ଦ୍ଧାର ଯୁବ ମିମିକ୍ରି କଳାକାର ଓମପ୍ରକାଶ ମାଝୀ ବିଭିନ୍ନ ଅଭିନେତା, ଯାନବାହନ, ପଶୁପକ୍ଷୀ ଆଦିଙ୍କ ସ୍ୱର ଅନୁକରଣ କରି ଦର୍ଶକଙ୍କ ମନୋରଞ୍ଜନ କରିଥାନ୍ତି। ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଓ ଗୀତ ଗାଇବାରେ ମଧ୍ୟ ରୁଚି ରଖନ୍ତି। ଏମାନଙ୍କୁ ଆସନ୍ତା ୨ରୁ ୪ତାରିଖ ଯାଏଁ ହେବାକୁ ଥିବା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବରେ ସମ୍ବର୍ଦ୍ଧିତ କରାଯିବ ବୋଲି ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.