ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଯାଦବ ଜାତି ପାଇଁ ପୁରୀ କିମ୍ବା ଭୁବନେଶ୍ବରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଗା ଓ ଅନୁଦାନ ଯୋଗାଇ ଦେବାକୁ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଦାବି କରିଛି । ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରତହ୍ୟ ହଜାର ହଜାର ସଂଖ୍ୟାରେ ଯାଦବ ସଂପ୍ରଦାୟର ଲୋକମାନେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ପୁରୀ ଯାଇଥାନ୍ତି । ପଶ୍ଚିମ ଓଡ଼ିଶାର ଅନ୍ୟତମ ସଂଖ୍ୟା ଗରିଷ୍ଠ ଯାଦବ ଜାତିର ଶ୍ରଦ୍ଧାଳୁମାନେ ଜଗନ୍ନାଥ ଦର୍ଶନ ପାଇଁ ଆସି ରହିବାରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ତେଣୁ ଯାଦବ ଜାତିର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଜାଗା ଓ ଅନୁଦାନ ଯୋଗାଇ ଦେବାକୁ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଦାବି କରିଛି । ନିକଟରେ କୁଲତା ସମାଜ ଓ ଭୁଲିଆ ସମାଜକୁ ପୁରୀ ଏବଂ ଭୁବନେଶ୍ବରରେ ଧର୍ମଶାଳା ଓ ଅତିଥ ଭବନ କରିବା ପାଇଁ ଜମି ଓ ଆର୍ଥିକ ଅନୁଦାନ ଯୋଗାଇ ଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ପଦକ୍ଷେପ ନେଇଛନ୍ତି ତାହାକୁ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସ୍ଵାଗତ କରୁଛି । ତେବେ ଯାଦବ ସମାଜକୁ ରାଜ୍ୟ ସରକାର ସେହିଭଳି ଜମି ଓ ଆର୍ଥିକ ଅନୁଦାନ ଅତିଥି ଭବନ ନିର୍ମାଣ ପାଇଁ ଯୋଗାଇ ଦେବାକୁ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଓ ଯୁବ ଯାଦବ ମହାସଭା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ଏହା ଫଳରେ ରାଜଧାନୀ ଭୁବନେଶ୍ଵର ତଥା ପୁରୀକୁ ଯାଦବ ଜାତିର ଲୋକମାନେ ଆସି ରହିବା ପାଇଁ ସୁବିଧା ହୋଇପାରିବ ବୋଲି କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଜ ଯାଦବ, ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀ, ଉପସଭାପତି ଦୁଲ୍ଲଭ ମାହାର, ନରେନ୍ଦ୍ର ବାଗ, ଅରୁପାନନ୍ଦ ନାଗ, ଜିଲ୍ଲା ମିଡିଆ ସେଲ୍ ଅଧ୍ୟକ୍ଷ ସୁନୀଲ କୁମାର ଧଙ୍ଗଡାମାଝୀ, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା ଓ ବ୍ଲକ ଯାଦବ ସମିତିର ସଭାପତିମାନେ ଆଶାପ୍ରକାଶ କରିଛନ୍ତି । ଏଠାରେ ଉଲ୍ଲେଖ ଥାଉକି, ଅତୀତରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେଡ଼ି ସଂସଦୀୟ ଦଳ ତରଫରୁ ଗତବର୍ଷ ପାର୍ଲାମେଣ୍ଟ ସମୟରେ ମାନ୍ୟବର ସାଂସଦମାନେ ଭେଟି ଜାତି ଜନଗଣନା କରିବା ପାଇଁ ଦାବିପତ୍ର ଦେଇଥିଲେ । କିନ୍ତୁ ଭାରତ ସରକାର ଏପର୍ଯ୍ୟନ୍ତ ଜାତି ଜନଗଣନାକୁ ଏଡ଼ାଇ ଆସୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଜାତି ଜନଗଣନା କରିବା ପାଇଁ ରାଜ୍ୟ ପଛୁଆବର୍ଗ କମିଶନଙ୍କୁ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେଇଥିଲେ । ବିଧାନସଭାରେ ମଧ୍ୟ ସର୍ବସମ୍ମତ ଭାବେ ଜାତି ଜନଗଣନା ପାଇଁ ପ୍ରସ୍ତାବ ଅନୁମୋଦିତ କରାଯାଇଥିଲା । କିନ୍ତୁ ଏହା ସତ୍ତ୍ବେ ଏପର୍ଯ୍ୟନ୍ତ ଜାତି ଜନଗଣନା ଆରମ୍ଭ ହୋଇପାରି ନାହିଁ । ତେଣୁ ରାଜ୍ୟରେ ଯାଦବ ଜାତି ଓ ପଛୁଆବର୍ଗର ସ୍ଵାର୍ଥକୁ ଆଖି ଆଗରେ ରଖି ତୁରନ୍ତ ଜାତି ଜନଗଣନା କରିବା ପାଇଁ ମଧ୍ୟ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଦାବି କରିଛନ୍ତି ।