ଏକାଦଶ ଅଧ୍ୟାୟ : ବିଶ୍ବରୂପ ଦର୍ଶନ ଯୋଗଃ
ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାରର ବାଲେଶ୍ଵର ପକ୍ଷରୁ ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱରେ ଏବଂ ବୈଜ୍ଞାନିକ ଅରୁଣ କୁମାର ମହାପାତ୍ରଙ୍କ ପୌରୋହିତ୍ୟରେ ଆଭାସୀ ମାଧ୍ୟମରେ ଆୟୋଜିତ ହୋଇଥିଲା ଏହି ସତସଙ୍ଗ। ପ୍ରାରମ୍ଭରେ ଗୀତାଞ୍ଜଳି ପୃଷ୍ଟି ଓମକାର ନାଦଧ୍ବନି ଦେଇ ସମସ୍ତଙ୍କୁ ସୁସ୍ଵାଗତ ଜଣାଇବା ସହ ଶୁଭେଚ୍ଛା ଓ ବିଶ୍ବେଶ୍ବର ମାଝୀ ଅତିଥି ପରିଚୟ ସହ ବିଗତ ଦଶଟି ଅଧ୍ୟାୟ ଉପରେ ସମ୍ୟକ ଆଲୋଚନା ରଖିଥିଲେ।ପବିତ୍ର ଗୀତାମୃତ କାର୍ଯ୍ୟକ୍ରମରେ ସୁରେନ୍ଦ୍ର ମହାପାତ୍ର, ବିଶ୍ବେଶ୍ବର ମାଝୀ, ସଂଯୁକ୍ତା ରାଉତ, ହେମନ୍ତ କୁମାର ସାହୁ, ବିଷ୍ଣୁପ୍ରିୟା ପଣ୍ଡା ଆଦି ୫ଜଣ ସତସଙ୍ଗୀ ବିଶ୍ବରୂପ ଦର୍ଶନ ଯୋଗଃର ୧୦ଟି ଶ୍ଲୋକ ପାଠ କରିଥିଲେ।
ଏକାଦଶ ଅଧ୍ୟାୟ ବିଶ୍ବରୂପ ଦର୍ଶନ ଯୋଗଃର ଏକୋଇଶ ତମ ଶ୍ଲୋକରୁ ତିରିଶ ଶ୍ଲୋକ ପର୍ଯ୍ୟନ୍ତ ଖୁବ ସୁନ୍ଦର ତାତ୍ତ୍ବିକ ଆଲୋଚନା କରିଥିଲେ ପଣ୍ଡିତ ବିଭୁତି ଭୂଷଣ ପାଲ। ଗୀତା, ଭାଗବତ ସିଦ୍ଧାନ୍ତ, ରାମାୟଣ, ମହାଭାରତ, ଭାଗବତ ସହ ମାଳିକା ତଥା ମହାପୁରୁଷଙ୍କ ରଚନାବଳୀ ଉଦାହରଣ ମାଧ୍ୟମରେ ଅନେକ ପ୍ରସଙ୍ଗ ଭିତ୍ତିକ କଥା ଉପରେ ପ୍ରାଞ୍ଜଳ ଭାବରେ ଅନେକ ତତ୍ତ୍ବପୂର୍ଣ୍ଣ ଓ ତଥ୍ୟଭିତ୍ତିକ ପ୍ରସଙ୍ଗ ଉତ୍ଥାପନ କରିଥିଲେ ପଣ୍ଡିତ ପାଲ ମହାଭାଗ।ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୨୮ ରୁ ଉର୍ଦ୍ଧ୍ବ ସତସଙ୍ଗୀ ଗୀତା ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ରୀତା ଅପରାଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ରତିନାରାୟଣ ରାଉତ ଶାନ୍ତିପାଠ କରି ସତସଙ୍ଗ ସାଙ୍ଗ କରିଥିଲେ।






