ଶଗଡ଼ା ହାଇସ୍କୁଲର ବାର୍ଷିକ କ୍ରୀଡ଼ା ମହୋତ୍ସବ ଉଦ୍‌ଘାଟିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲି ଖାଁ): ସରକାରୀ ଉଚ୍ଚ ବିଦ୍ୟାଳୟ ଶଗଡ଼ାର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। ୧୬ ଓ ୧୭ ଡିସେମ୍ବର ଦୁଇଦିନ ଧରି ହେବାକୁ ଥିବା ଏହି କ୍ରୀଡ଼ା ମହୋତ୍ସବକୁ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। କାର୍ଯ୍ୟକ୍ରମର ଉଦ୍‌ଘାଟନ କରି ମୁଖ୍ୟ ଅତିଥି ଶ୍ରୀ ଚୋପଦାର କହିଥିଲେ ଯେ, ବିଦ୍ୟାଳୟ କେବଳ ପାଠ ପଢ଼ାଇବା ପାଇଁ ଉଦ୍ଦିଷ୍ଟ ନୁହେଁ; ପ୍ରତ୍ୟେକ ଛାତ୍ରର ସର୍ବାଙ୍ଗୀନ ବିକାଶ ପାଇଁ ଉଦ୍ଦିଷ୍ଟ। ବିଦ୍ୟାଳୟରେ କ୍ରୀଡ଼ା ସହ ଛାତ୍ରର ମାନସିକ ସ୍ତରର ସଂସ୍କାର ବୃଦ୍ଧି କରି ଜଣେ ସଂସ୍କୃତି ସଂପନ୍ନ ସୁନାଗରିକ ତିଆରି କରିବା ପାଇଁ ଉଦ୍ଦିଷ୍ଟ। ଆଜିର ସମାଜରେ ପ୍ରତି ବିଭାଗର ଭଲ ଭଲ ଓ ଦକ୍ଷ କର୍ମଚାରୀ ମିଳୁଛନ୍ତି ସତ, କିନ୍ତୁ ଭଲ ମଣିଷ ମିଳୁ ନାହାନ୍ତି। ତେଣୁ ବିଦ୍ୟାଳୟଗୁଡ଼ିକ ଭଲ ମଣିଷ ତିଆରି କାରଖାନା ହେଉ ବୋଲି ମତ ରଖିଥିଲେ। ଏହି ଉତ୍ସବରେ ସ୍ଥାନୀୟ ସରପଂଚ ଗୋବିନ୍ଦ ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁକାନ୍ତ କୁମାର ସାହୁ ସଭାପତିତ୍ୱ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ସଂସ୍କୃତ ଶିକ୍ଷୟିତ୍ରୀ ଚନ୍ଦନଲତା ବେହେରା। ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ସୁନୀଲ କୁମାର ନାୟକ, କିଆପଦର ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ଶୁଭମ୍ ଜ୍ୟୋତି ରାଉତ ଓ କାମଠଣା ଦୟାନିଧି ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ଅନୁପ କୁମାର ଦାସ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କ ସହଯୋଗରେ ସବ୍ ଜୁନିୟର, ଜୁନିୟର ଓ ସିନୟର ବର୍ଗର ୧୨ଟି ବିଭାଗର କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡ଼ା ଉତ୍ସବରେ ବିଦ୍ୟାଳୟର ପ୍ରାୟ ୨୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.