କାର୍ଯ୍ୟରେ ଅବହେଳା ଅଭିଯୋଗ ନେଇ ଶିକ୍ଷକ ନିଲମ୍ବିତ

ଓଡ଼ିଆ ବାର୍ତ୍ତା/କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଗୋଛାପଡ଼ା ପଂଚାୟତ ଅନ୍ତର୍ଗତ ପିପଲମାଲ ବିଦ୍ୟାଳୟରେ ଗତ ୧୨ ତାରିଖରେ ଦେଖାଯାଇଥିବା ଅଭାବନିୟ ଘଟଣା ପ୍ରକାରେ ଜିଲା ପ୍ରଶାସନ ପକ୍ଷରୁ ନିଆଯାଇଛି ବିହିତ କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ପାଇଁ ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ଫିରିଙ୍ଗିଆ ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ ମିଶ୍ର। କେବଳ ସେତିକି ନୁହେଁ, ଜନୈକ ଶିକ୍ଷକଙ୍କ ବିରୋଧରେ ବିଭିନ୍ନ ପ୍ରକାର ଅନିୟମିତତା ଅଭିଯୋଗ ଆସିଛି ତାହାର ମଧ୍ୟ ବିଧିବଧ ଭାବେ ତଦନ୍ତ କରାଯିବ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି। ସମ୍ପୃକ୍ତ ଶିକ୍ଷକଙ୍କ ମନୋମୁଖୀ କାର୍ଯ୍ୟକଳାପ ପାଇଁ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନଙ୍କ ସହ ଅଭିଭାବକ ମାନେ ଅତିଷ୍ଟ ହୋଇ ପଡ଼ିଥିଲେ। ପରିଚାଳନା କମିଟି ଓ ଅଭିଭାବକ ମାନଙ୍କ ଅଭିଯୋଗ ପ୍ରକାରେ ସମ୍ପୃକ୍ତ ଶିକ୍ଷକ ଜଣକ ଗତ କୋଭିଡ୍ ସମୟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସିଥିବା ଲକ୍ଷାଧିକ ଟଙ୍କା ଆତ୍ମସାତ୍ କରିବା ସହ ନିମ୍ନମାନର ଖାଦ୍ୟ ଦେଉଥିଲେ। ସ୍କୁଲର ଉନ୍ନତି ପାଇଁ ଆସୁଥିବା ଟଙ୍କାକୁ ମଧ୍ୟ ସେ ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଥିଲା। କିଛି ଦିନ ପୂର୍ବରୁ ଏହି ସ୍କୁଲରେ ବିପିନ କୁମାର ସ୍ୱାଇଁ ନାମକ ଜଣେ ସ୍ଥାୟୀ ପ୍ରଧାନ ଶିକ୍ଷକ ଯୋଗ ଦେଇଥିଲେ ମଧ୍ୟ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରୁ ନ ଥିବା ବି ଅଭିଯୋଗ ହୋଇଥିଲା। ଶେଷରେ ଗତ ୧୨ ତାରିଖରେ ଅଭିଭାବକ ମାନେ ଅତିଷ୍ଠ ହୋଇ ସ୍କୁଲରେ ତାଲା ପକାଇ ଦେଇଥିଲେ। ଖବର ପାଇ ଘଟଣାର ତଦନ୍ତ କରିବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ସ୍କୁଲରେ ପହଞ୍ଚିବା ପୂର୍ବରୁ ସମ୍ପୃକ୍ତ ଶିକ୍ଷକ ଜଣକ ବିଦ୍ୟାଳୟର କାର୍ୟ୍ୟାଳୟରେ ତାଲା ପକାଇ ଚାଲି ଯାଇଥିଲେ। ଏହାପରେ ବିଇଓଙ୍କ ଉପସ୍ଥିତିରେ ସ୍କୁଲର ଛାତ୍ରଛାତ୍ରୀ ସ୍କୁଲ ବାରଣ୍ଡାରେ ପରୀକ୍ଷା ଦେବା ସହ ମଧ୍ୟାହ୍ନ ଭୋଜନ କରିଥିଲେ। ତେବେ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରାଯିବା ପରେ ଏଥିରେ ସତ୍ୟତା ଥିବା ଜଣାପଡିଛି ବୋଲି କହିଛନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ର। ଜିଲାପାଳଙ୍କ ନିର୍ଦେଶ କ୍ରମେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ସେ ପ୍ରକାଶ କରିଛନ୍ତି।
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.