ଓଡ଼ିଆ ବାର୍ତ୍ତା/ ନୂଆପଡା (ସଂଘମିତ୍ରା ଯାଦବ): ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ମହରାଜୋର ଗାଁର କାହ୍ନୁଚରଣ ମାଝୀ ଗତ ୧୦ ବର୍ଷ ହେଲା ଏକ ରୋଗରେ ପୀଡିତହୋଇ ଦିବ୍ୟାଙ୍ଗ ଜୀବନ ବିତାଉଛନ୍ତି। ତାଙ୍କର ଭିନ୍ନକ୍ଷମ ପ୍ରମାଣ ପତ୍ର ନଥିବାରୁ ଦିବ୍ୟାଙ୍ଗ ଭତ୍ତା ଟିଏ ମଧ୍ୟ ମିଳୁନାହିଁ। ଭତ୍ତା ସହ ରାସନ, ଘର ଖଣ୍ଡିଏ ମଧ୍ୟ ମିଳିନାହିଁ। ସେ ଭିନ୍ନକ୍ଷମ ହେବାରୁ ସ୍ତ୍ରୀ ଛାଡି ଚାଲିଗଲେ। ତାଙ୍କର ଛୋଟ ଛୁଆଟିଏ ଅଛି। ତାଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରିବାପାଇଁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଏହି ସମସ୍ୟା ବିଷୟରେ ବିଭିନ୍ନ ଗଣମାଧ୍ୟମରୁ ଜାଣି କଳାହାଣ୍ଡି ଜିଲ୍ଲାର ସ୍ବେଛାସେବୀ ଯଶୋବନ୍ତ ରଣା ନୂଆପଡା ଜିଲ୍ଲାପାଳ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ଟ୍ୱିଟର ଯୋଗେ ଜଣେଇ ତାଙ୍କୁ ଟ୍ରାଇ ସାଇକଲ, ଦିବ୍ୟାଙ୍ଗ ଭତ୍ତା, ରାସନ ସହ ଇନ୍ଦିରା ଆବାସ ଯୋଜନାରେ ଘରଟିଏ ଦେବାକୁ ଅନୁରୋଧ କରଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଜି କୋମନା ବିଡ଼ିଓ ପହଂଚି ତାଙ୍କର ସମସ୍ୟା ବିଷୟରେ ପଚାରି ବୁଝିବାସହ ଏକ ଟ୍ରାଇ ସାଇକଲ ପ୍ରଦାନ କରିଛନ୍ତି। ଖୁବ ଶୀଘ୍ର ତାଙ୍କୁ ଭତ୍ତା ଓ ଅନ୍ତୋଦୟ କାର୍ଡରେ ରାସନ ମିଳିବ। ସମାଜସେବୀଙ୍କ ଏହିପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।