କେସିଙ୍ଗା,୨୨/୪ : ରାମ ନାମର ମହାତ୍ମ୍ୟ ସଂଚରୀ ଯାଉଛି ଜନ ମାନସର କୋଣ ଅନୁକୋଣକୁ । ଚୈତ୍ର ମାସର ରୌଦ୍ର ତାପ ରାମ ନାମର ମହିମାରେ ଚନ୍ଦନଠୁ ଅଧିକ ଶିତଳତା ପ୍ରଦାନ କରୁଛି । ପୁର ପଲ୍ଲୀ ପରମ ପବିତ୍ର ରାମ ନାମରେ ମୂଖରିତ ହେଉଛି । ଶ୍ରୀରାମ ନବମୀ ସହ କଳାହାଣ୍ଡିର ବିଭିନ୍ନ ପ୍ରାନ୍ତରେ ଆରମ୍ଭ ହୋଇଛି ‘ରାମଲିଳା’ । ସେହି କ୍ରମରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ସାହାଜପାଟି ଠାରେ ଆରମ୍ଭ ହୋଇଛି ରାମଲିଳା ।
କେସିଙ୍ଗା ବ୍ଲକ ବେଲଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ସାହାଜପାଟି ଏକ ସଂସ୍କୃତି ସଂପନ୍ନ ଗ୍ରାମ ଭାବେ ସୁପରିଚିତ । ପ୍ରାଚୀନ କଳା ସଂସ୍କୃତିକୁ ବଞ୍ଚେଇ ରଖିବା ସହ ରାମ ନାମର ପ୍ରଚାର ପ୍ରସାର ଓ ଗ୍ରାମରେ ଆଦ୍ଧ୍ୟାତ୍ମିକତାର ବାତାବରଣ ସୃଷ୍ଟି କରିବା ପାଇଁ ୧୯୭୪ ମସିହାରୁ ଆରମ୍ଭ ହୋଇଥିଲା ରାମଲିଳା । ଏହା ବର୍ତ୍ତମାନ ୪୩ ବର୍ଷରେ ପଦାର୍ପଣ କରିଛି । ଏହି ସମୟ ସୀମା ମଧ୍ୟରେ ଅନେକ କଳାକାର ସାମିଲ ହୋଇଛନ୍ତି ଏହି ପ୍ରସିଦ୍ଧ ଲୋକ ନାଟକରେ ।
ଅପ୍ରେଲ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ନାଟକ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଦ୍ୟ କାଣ୍ଡରେ ରାମ, ଲକ୍ଷ୍ମଣ, ଭରତ, ଶତୃଘ୍ନ ଜନ୍ମ ଓ ବାଲ୍ୟ କାଳ, ସୀତା ବିବାହ, ପର୍ଶୁରାମଙ୍କ ଦର୍ପଦଳନ, ଅଯୋଦ୍ଧ୍ୟା କାଣ୍ଡରେ ରାମ ବନବାସ , ଅାରଣ୍ୟକ କାଣ୍ଡରେ ଦଶରଥଙ୍କ ମୃତ୍ୟୁ ଓ ରାମଙ୍କୁ ଫେରାଇ ଆଣିବାକୁ ଭରତଙ୍କ ଚିତ୍ରକୁଟ ଯାତ୍ରା,ଭେଟ ଓ ରାମଙ୍କ କଠଉ ଆଣି ରାଜ୍ୟ ପରିଚାଳନା ସହ ସୀତା ଚୋରୀ ମଞ୍ଚସ୍ଥ ହୋଇ ଯାଇଛି । ଆଜି (ସୋମବାର) କିସ୍କିନ୍ଦା କାଣ୍ଡ ମଞ୍ଚସ୍ଥ ହେବ ବୋଲି ଆୟୋଜକ କମିଟି ତରଫରୁ ସୂଚନା ରହିଛି ।
ସାହାଜପାଟି ଗ୍ରାମର ଶ୍ରୀରାମ ଲିଳାର ବିଭିନ୍ନ ଭୂମିକାରେ ରାମ : ସୁରଥ ହେର୍ଣ୍ଣା, ଲକ୍ଷ୍ମଣ : ଅର୍ଜୁନ ସାହୁ, ସୀତା : ବିକ୍ରମ ପ୍ରଧାନୀ, ରାବଣ : ଚିତ୍ରସେନ ସାହୁ,ଯତିରାବଣ : ଭୁବନେଶ୍ୱର ଚୌଧୁରୀ, ସୁର୍ପଣକା : ଗୁଣମଣି ହେର୍ଣ୍ଣା, ଖର : ସୁରେନ୍ଦ୍ର ଭୋଇ, ଦୂଷଣ : ଭରତ ସାହୁ, ତ୍ରିଶିର :ଜଗଦିଶ ହେର୍ଣ୍ଣା, ମରିଚ : ଦୟାନିଧି ହେର୍ଣ୍ଣା, ପକ୍ଷୀଜଟା : ଲିଙ୍ଗରାଜ ଚୌଧୁରୀ,
ମୃଗ : ଭୁପିନ୍ଦ୍ର ହେର୍ଣ୍ଣା ପ୍ରମୂଖ ଅଭିନୟ କରୁଛନ୍ତି ।
ଏଥର କମିଟିର ସଭାପତି ଭାବେ ଚିତ୍ରସେନ ସାହୁ,
ଉପସଭାପତି ମହିନ୍ଦ୍ର ହେର୍ଣ୍ଣା, ସମ୍ପାଦକ ପ୍ରଦୀପ କୁମାର ସାହୁ, ସହ ସମ୍ପାଦକ କ୍ଷୀରସିନ୍ଧୁ ଚୌଧୁରୀ, ମୁଖ୍ୟ ସହଯୋଗ ଦେବରାଜ ହେର୍ଣ୍ଣା ଓ ଭୁବନେଶ୍ୱର ଚୌଧୁରୀ ପ୍ରମୂଖ କାର୍ଯ୍ୟଭାର ଗ୍ରହଣ କରିଥିବା ବେଳେ କାଶୀନାଥ ହେର୍ଣ୍ଣା ଏବଂ ତାଙ୍କର ଧର୍ମ ପତ୍ନୀ ପୁତୁନା ହେର୍ଣ୍ଣା କର୍ତ୍ତା ଦାଇତ୍ବ ନିର୍ବାହ କରୁଛନ୍ତି । ୧୪ ଦିନ ବ୍ୟାପି ଏହି ବିଶାଳ କାର୍ଯ୍ୟକ୍ରମକୁ ସୁରଥ ହେର୍ଣ୍ଣା, ଅମିତ ସାହୁ, ଅନିଲ ହେର୍ଣ୍ଣା, ବେଣୁଧର ଚୌଧୁରୀ, ଶ୍ୟାମ ପ୍ରଧାନୀ, ଯୁଗେଶ୍ବର ସାହୁ, ପ୍ରକାଶ ହେର୍ଣ୍ଣା, ବାବୁଲାଲ ସାହୁ, ଅମୁଲ୍ୟ ହେର୍ଣ୍ଣା, ବୁଦ୍ଧେଶ୍ୱର ଚୌଧୁରୀ, ମାର୍କଣ୍ଡ ସାହୁ, ରାଜୁ ସାହୁ ଓ କୁଞ୍ଜବିହାରୀ ହେର୍ଣ୍ଣା ପ୍ରମୂଖ ସହଯୋଗ କରୁଛନ୍ତି ।
ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଲିଳା ଚରିତର ଆଖ୍ୟାନକୁ ନେଇ ଅଭିନିତ ହେଉଥିବା ‘ରାମଲିଳା’ ଓଡିଶାର ଏକ ପ୍ରାଚୀନ ଲୋକକଳା । ତେବେ ଏହା ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ପାରଂପାରିକ ଧାରାରେ ଅଭିନିତ ହୋଇ ଆସୁଛି । ଏହି ଲୋକନାଟକ ରାମାୟଣର ଅନେକ ଆଦର୍ଶ ଚରିତ୍ରର ଚିତ୍ରଣକରି ସମାଜକୁ ସହନଶିଳତା, ପିତୃ ଭକ୍ତି, ମାତୃ ଭକ୍ତି, ଭାତୃ ଭକ୍ତି, ମୈତ୍ର ର କର୍ତ୍ତବ୍ୟ, ପତି ପରାୟଣ ନାରୀର ଗୁଣ, ପ୍ରଜାନୁରଞ୍ଜନ, ରାଜନୀତି ସହ ରାମ ରାଜ୍ୟର ବାର୍ତ୍ତା ପ୍ରଦାନ କରିଥାଏ । ଏହି ଲୋକ ନାଟକ ମୂଖ୍ୟତଃ ଶ୍ରୀରାମଙ୍କ ଉପରେ ଆଧାରିତ ହୋଇଥିବା ବେଳେ ରାବଣ ଏଥିରେ ପ୍ରମୂଖ ଚରିତ୍ର ଭାବେ ଉଭା ହୋଇଥାନ୍ତି । ସାତ କାଣ୍ଡକୁ ନେଇ ଗତିଶିଳ ରାମ ଲିଳା ଦର୍ଶକଙ୍କୁ ଭକ୍ତି ଭାବରେ ବାନ୍ଧି ରଖିବା ସହ ନ୍ୟାୟ ଅନ୍ୟାୟର ରାହା ଦେଖାଇଥାଏ ତେଣୁ ଏହା ଏକ ସର୍ବଶ୍ରେଷ୍ଠ ନାଟକ ଭାବେ ଆଜି ମଧ୍ୟ ଆଦୃତ ଓ ଜନପ୍ରିୟ ହୋଇ ପାରିଛି ।
କେସିଙ୍ଗା ପ୍ରତିନିଧି ଦୂର୍ଯ୍ୟୋଧନ ସାହୁଙ୍କ ରିପୋର୍ଟ odiabarta.in
ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇