ନିକଟରେ ଏକ ସଂଗଠନ ପକ୍ଷରୁ ଭବାନୀପାଟଣାରେ ଆୟୋଜିତ ହୋଇଯାଇଛି ଜନସଂସଦ କାର୍ଯ୍ୟକ୍ରମ। ଏଥିପାଇଁ ଏକ ବିଶାଳ ଶୋଭାଯାତ୍ରା କରାଯିବା ସହ ଲାଞ୍ଜିଗଡ଼ ବେଦାନ୍ତକୁ ତୁରନ୍ତ ଖଣି ଯୋଗାଇଦେବା ପାଇଁ ଦାବି କରାଯାଇଛି। ଏହାପରେ ଆଦିବାସୀଙ୍କ ବିରୋଧର ସମ୍ମୁଖୀନ ହୋଇଛି ଉକ୍ତ ସଂଗଠନ। ବେଦାନ୍ତକୁ ଖଣି ଯୋଗାଇଦେବା ଦାବିକୁ ନେଇ ଅନେକ ସଂଗଠନ ଓ ବ୍ୟକ୍ତିବିଶେଷ ନାପସନ୍ଦ କରିଛନ୍ତି। କଳାହାଣ୍ଡିର ସର୍ବାଙ୍ଗୀନ ବିକାଶର ଚିତ୍ର ଦେଖାଇ ୨୦୦୩ ମସିହାରେ କଳାହାଣ୍ଡି ଜିଲ୍ଲାରେ ପାଦ ଦେଇଥିଲା ବହୁରାଷ୍ଟ୍ରୀୟ କମ୍ପାନୀ ବେଦାନ୍ତ। କମ୍ପାନୀ ପ୍ରତିଷ୍ଠା ପାଇଁ ଆବଶ୍ୟକ ଜମିଜମା ରାଜ୍ୟ ସରକାର ଯୋଗାଇ ଦେଲେ। ଆଉ ବିସ୍ଥାପିତ ହେଲା ଅନେକ ଗାଁ। ସେହି ସମୟରେ ବେଦାନ୍ତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ରଘୁନାଥପୁର, ମୋହନଗୁଡା, ହରେକୃଷ୍ଣପୁର, ନଙ୍ଗଲବେଡା, ଗୋପୀନାଥପୁର, ବିଲାଟିପଦର, ଚନ୍ଦନପୁର, ନୂତନ ବାତେରଲିମା, ଖମନଖୁଟି ଭଳି ୯ଟି ଗାଁର ଲୋକେ କମ୍ପାନୀ ପ୍ରତିଷ୍ଠା ପରେ ନିଜ ଆର୍ଥିକ ସ୍ୱଚ୍ଛଳତାକୁ ନେଇ ବିକାଶର ସ୍ବପ୍ନ ଦେଖିଥିଲେ। ଏଭଳି ଆଶା ଅଞ୍ଚଳବାସୀଙ୍କୁ ଦେଖାଇ ଲୋକଙ୍କ ଜମିକୁ ହାତେଇଥିଲା କମ୍ପାନୀ। ହେଲେ ପ୍ରତିଷ୍ଠାର ୨୦ ବର୍ଷ ପରେ ମଧ୍ୟ ଅନେକ ବିସ୍ଥାପିତଙ୍କ ଅବସ୍ଥା ଯଥା ପୂର୍ବଂ ତଥା ପରଂ।
କଳାହାଣ୍ଡିର ଆଦିବାସୀ, ଗିରିଜନଙ୍କ ମାଟି ଉପରେ ଠିଆ ହୋଇଥିବା ବେଦାନ୍ତ ଲିମିଟେଡ୍ ଆଜି ବିଶ୍ବସ୍ତରୀୟ ଆଲୁମିନା ବିଶୋଧନାଗାର ରୂପେ ପ୍ରତିଷ୍ଠା ପାଇପାରିଛି। ଏହାର ଉତ୍ପାଦନ କ୍ଷମତା ହେଉଛି ବାର୍ଷିକ ୨ ନିୟୁତ ଟନ୍। ଏହି ଆଲୁମିନା ବିଶୋଧନାଗାର ସହ ରହିଛି ଏକ ୭୫ ମେଗାୱାଟ୍ର କୋ-ଜେନେରେସନ୍ ପାୱାର୍ ପ୍ଲାଣ୍ଟ୍। ଏପଟେ ଆଜି ବି ବେଦାନ୍ତ ବିସ୍ଥାପିତ ନିଯୁକ୍ତି ଓ ରୋଜଗାର ବେଦନାରେ ଛଟପଟ ହେଉଛନ୍ତି। ବେଦାନ୍ତ ବଦଳାଇ ପାରିନାହିଁ କଳାହାଣ୍ଡିର ଚିତ୍ର। ଏଠାରେ କମ୍ପାନୀ ପ୍ରତିଷ୍ଠା ହେଲେ ସ୍ଥାନୀୟ ନିଯୁକ୍ତିକୁ ଗୁରୁତ୍ବ ଦିଆଯିବ ବୋଲି ପ୍ରଚାର କରାଯାଇଥିଲା। କିନ୍ତୁ କମ୍ପାନୀ ପ୍ରତିଷ୍ଠା ହେବାର ୨୦ ବର୍ଷ ପରେ ମଧ୍ୟ ସ୍ଥାନୀୟ ନିଯୁକ୍ତିକୁ ଉପେକ୍ଷା କରାଯାଇଛି। ଆଜି ବି ଏହି ଅଞ୍ଚଳର ହଜାର ହଜାର ବେକାର ଯୁବକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। କଳାହାଣ୍ଡି କଥା ଛାଡ଼ନ୍ତୁ, ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳର ଜନତାଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ମଧ୍ୟ ଉନ୍ନତି ଆସିପାରିଲା ନାହିଁ।
ନିୟମଗିରି ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଆଦିମ ଆଦିବାସୀ ଡଙ୍ଗରିଆ ଓ କୁଟିଆ କନ୍ଧଙ୍କର ଜୀବନଧାରଣରେ ସ୍ବତନ୍ତ୍ରତା, ଅର୍ଥନୈତିକ ଆତ୍ମନିର୍ଭରଶୀଳତା ଓ ସାମାଜିକ ସଂସ୍କୃତି ବିପଜ୍ଜନକ ପର୍ଯ୍ୟାୟ ମଧ୍ୟଦେଇ ଗତି କରୁଛି। ବିକାଶର ଆବରଣ ତଳେ ଏହି ବିଶାଳ ପର୍ବତମାଳାର ପରିବେଶକୁ ଯେଭଳି ନିଷ୍ଠୁର ଭାବରେ ଧ୍ବଂସ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି, ତାହା ଫଳରେ ଆଗାମୀ ଦିନରେ ଏହି ବିଲୁପ୍ତପ୍ରାୟ ଆଦିମ ଜନଜାତିମାନଙ୍କର ଜୀବନଚର୍ଯ୍ୟା ବିଶେଷ ଭାବରେ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହେଲାଣି। ପୂର୍ବରୁ ନିୟମଗିରିକୁ ନିଜ ଆୟତ୍ତକୁ ଆଣିବା ନିମନ୍ତେ ବହୁ ପ୍ରୟାସ କରି ମଧ୍ୟ ବିଫଳ ହେବାକୁ ଲାଗିଛି ବେଦାନ୍ତ। ଆଦିବାସୀ, ଗିରିଜନ ସମେତ କଳାହାଣ୍ଡି ଓ ରାୟଗଡ଼ାବାସୀ ନିୟମଗିରିକୁ ଦେବତା ଜ୍ଞାନ କରିଥାନ୍ତି। ଏହି ପର୍ବତ ସହ ଧାର୍ମିକ ଭାବନା ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇ ରହିଛି। ହଜାର ହଜାର ଆଦିମ ଅଧିବାସୀ ନିୟମଗିରି ଉପରେ ନିର୍ଭରଶୀଳ। କେବଳ ନିୟମଗିରି ନୁହଁ, ସମସ୍ତ ପାହାଡ଼ ଡଙ୍ଗରକୁ ଦେବତା ରୂପେ କେଉଁ ଏକ ସ୍ମରଣାତୀତ କାଳରୁ ଉପାସନା କରି ଆସୁଛନ୍ତି ଆଦିବାସୀ ଓ ଅନେକ ବର୍ଗର ଲୋକ। ଯଦି ବେଦାନ୍ତକୁ ନିୟମଗିରି ଅଥବା ଅନ୍ୟ କୌଣସି ପାର୍ବତ୍ୟାଞ୍ଚଳର ଖଣି ଲିଜ୍ ଦିଆଯାଏ, ତେବେ ଆଦିବାସୀ ଗିରିଜନଙ୍କ ଧାର୍ମିକ ଭାବନା ଉପରେ କୁଠାରାଘାତ ହେବ। ବେଦାନ୍ତର ନିୟମଗିରି ଖଣି ସ୍ବପ୍ନକୁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ପୂର୍ବରୁ ରୋକ୍ ଲଗାଇ ସାରିଛନ୍ତି।
କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ରେ ସ୍ଥାପନ କରାଯାଇଥିବା ଏହି କାରଖାନା ଦ୍ବାରା ସ୍ଥାନୀୟ ଅଞ୍ଚଳ ସମେତ ଜିଲ୍ଲାର ଯେଉଁଭଳି ଉନ୍ନତି ସାଧନ ହେବା କଥା, ତାହା ହୋଇ ପାରିନାହିଁ। ଏହି ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ସ୍ଥିତି ଯେଉଁ ତିମିରେକୁ ସେହି ତିମିରେ। ଏପଟେ କାରଖାନାର ସମ୍ପ୍ରସାରଣ ଜାରି ରହିଥିବା ବେଳେ ଲାଞ୍ଜିଗଡ଼ ବେଦାନ୍ତ ଲିମଟେଡ୍ ବାର୍ଷିକ ୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସମ୍ପୂର୍ଣ୍ଣ ସମନ୍ବିତ କାରଖାନାରେ ପରିଣତ ହେବାକୁ ଲକ୍ଷ୍ୟ ରଖିଛି। ଏପରି ସମୟରେ ବେଦାନ୍ତକୁ ଖଣି ଯୋଗାଇଦେବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛି ଉକ୍ତ ସଂଗଠନ । ତେବେ କଳାହାଣ୍ଡି ଓ ରାୟଗଡାବାସୀ ଅତି ସଚେତନ ଥିବା ହେତୁ ବେଦାନ୍ତର ଖଣି ସ୍ବପ୍ନ ମରୀଚିକା ପଛେ ଧାବମାନ ପରି କଥା ହେଉଛି।