● ପ୍ରତିବର୍ଷ ମହାବିଦ୍ୟାଳୟ ଛାଡ଼ୁଛନ୍ତି ୭ ହଜାର ଶିକ୍ଷିତ ଯୁବକ ଯୁବତୀ
● ଆଇଟିଆଇ, ନର୍ସିଙ୍ଗ, ପଲିଟେକ୍ନିକ ଖୋଲାଯାଉ
ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଘନଘନ ଶିକ୍ଷାନୀତିରେ ପରିବର୍ତ୍ତନ ସାଙ୍ଗକୁ ଅନଗ୍ରସର ଓ ପଛୁଆ ଅଂଚଳରେ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ବିଭିନ୍ନ ସରକାରଙ୍କ କ୍ରମାଗତ ଅବହେଳା ଯୋଗୁ ସ୍ୱାଧୀନତା ପରଠାରୁ ଖଲ୍ଲିକୋଟ ସମେତ କବିସୂର୍ଯ୍ୟନଗର ଓ ପୁରୁଷୋତ୍ତମପୁର ପୋଲସରା ବୁଗୁଡ଼ା ଭଳି ପଛୁଆ ବ୍ଲକ ଗୁଡିକରେ କୌଣସି କୃଷି କିମ୍ବା ଅଣ-କୃଷି ଶିଳ୍ପ ପ୍ରତିଷ୍ଠା ହୋଇପାରିନି l ଯାହା ଫଳରେ ଏହି ବ୍ଲକମାନଙ୍କରେ ଶିକ୍ଷିତ ଯୁବକଯୁବତୀମାନେ କୌଣସି କର୍ମସଂସ୍ଥାନ ବିନା ବେକାର ହୋଇ ପରିବାର ଉପରେ ବୋଝ ପାଲଟିବାକୁ ବସିଲେଣି l କେବଳ ଖଲ୍ଲିକୋଟରେ ଥିବା ୪ ଗୋଟି ମହାବିଦ୍ୟାଳୟ ରୁ ପ୍ରତିବର୍ଷ ପ୍ରାୟ ୭ ହଜାର ପିଲା ପାଠ ପଢି ବାହାରୁ ଥିବା ବେଳେ ସେମାନଙ୍କୁ ବୃତ୍ତିଗତ ଭାବେ ଦକ୍ଷ କରିବା ପାଇଁ ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନ ନାହିଁ l ବହୁ ବିତ୍ତଶାଳି ବର୍ଗ ର ପିଲାମାନେ ରାଜ୍ୟ ବାହାରେ ବୃତି ଗତ ପାଠ ପଢିବା ର ସୁଯୋଗ ପାଉଥିବା ବେଳେ ମେଧାବୀ ଗରିବ ଛାତ୍ର ଛାତ୍ରୀ ମାନେ ବୃତ୍ତିଗତ ଉଚ୍ଚ ଶିକ୍ଷାରୁ ବଂଚିତ ହେଉଛନ୍ତି l ତେଣୁ ଖଲ୍ଲିକୋଟ ଠାରେ ଏକ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଓ ନର୍ସିଙ୍ଗ ଓ ପଲିଟେକ୍ନିକ ସମେତ ଖଲ୍ଲିକୋଟ ରେ ଥିବା ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ବି ଏଡ଼ ତାଲିମ ଖୋଲିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି l ସେହିପରି ଗତ ୧୯୧୭ ମସିହାରେ ପ୍ରତିଷ୍ଠା ହୋଇଥିବା ଆର ସି ଏମ କଲେଜ ରେ ଏମ ବି ଏ , ବି ବି ଏଲ ଓ ଅନ୍ୟାନ୍ୟ ବୃତ୍ତିଗତ ପାଠ୍ୟକ୍ରମ ଖୋଲିବା ପାଇଁ ବାରମ୍ବାର ଦାବି ଉଠିଥିଲେ ମଧ୍ୟ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଗୁରୁତ୍ୱ ଦେଉ ନାହାନ୍ତି l ଏଣେ ଖଲ୍ଲିକୋଟ ବ୍ଲକ ର ବହୁ କପଡା କାରିଗର ହୀରା କାରିଗର ସମେତ ବହୁ କୁଶଳୀ ଶ୍ରମିକ ସୁରଟ ,ବାଙ୍ଗାଲୋର ,ଚେନ୍ନାଇ ଓ ତାମିଲନାଡୁ ର ଟିରୁପୂର ରେ କାମ କରି ପେଟ ପୋଷୁଥିବା ବେଳେ ଏଠାରେ ସେହି କୁଶଳୀ କାରିଗର ମାନଙ୍କ ପାଇଁ ଶିଳ୍ପ ଭିତ୍ତିଭୂମି ଓ କଞ୍ଚାମାଲ ବ୍ୟବସ୍ତା ହୋଇପାରିଲେ ବହୁ ଶ୍ରମିକ ଜୀବିକା ନିର୍ବାହ କରିପାରିବେ।