ରାୟଗଡ଼ା ଜିଲ୍ଲା ପ୍ରାଣୀ ଚିକିତ୍ସକ ସମୂହଙ୍କ ଇସ୍ତଫା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘର ଆହ୍ବାନ କ୍ରମେ ଆଜି ରାୟଗଡ଼ା ଜିଲ୍ଲା ପ୍ରାଣୀ ଚିକିତ୍ସା ସେବା ସଂଘର ସମସ୍ତ ସଦସ୍ୟ ତଥା ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ ନିଜର ସମୂହ ସର୍ତ୍ତ ମୂଳକ ଇସ୍ତଫା ରାୟଗଡ଼ା ଜିଲ୍ଲାପାଳଙ୍କ ମାଧ୍ୟମରେ ଓଡ଼ିଶା ସରକାରଙ୍କୁ ପ୍ରଦାନ କରିଛନ୍ତି । ସରକାରଙ୍କ ଚରମ ଉଦାସୀନତା ପ୍ରତିବାଦରେ ତଥା ବିଗତ ତିନି ମାସ ମଧ୍ୟରେ ବାରଂବାର ନିଜର ଦଶ ଦଫା ଦାବି ଜଣାଇବା ସତ୍ତ୍ୱେ ପ୍ରାଣୀ ଚିକିତ୍ସକ ମାନେ ବୀତସ୍ପୃହ ଏବଂ ଅତିଷ୍ଠ ହୋଇ ଏହି ଚରମ ପଦକ୍ଷେପ ନେଇଥିବା ଜଣାଇଛନ୍ତି । ଏହା ପୂର୍ବରୁ ଗତ ମଇ ୧ ତାରିଖରୁ ରାଜ୍ୟର ସମସ୍ତ ପ୍ରାଣୀ ଚିକିତ୍ସକ ଡିଜିଟାଲ ବୟକାଟ କରି ପ୍ରାଣୀ ଚିକିତ୍ସା କାର୍ଯ୍ୟ ଜାରି ରଖିଥିଲେ । କିନ୍ତୁ ସରକାର ବିଧିବଦ୍ଧ ଭାବେ ଆଲୋଚନାକୁ ନିମନ୍ତ୍ରଣ ନ କରି ରାଜ୍ୟ ସଂଘର ବରିଷ୍ଠ କର୍ମକର୍ତ୍ତାଙ୍କ ବିରୁଦ୍ଧରେ ଆକ୍ରୋଶ ମୂଳକ ପଦକ୍ଷେପ ନେବାରୁ ରାଜ୍ୟର ସମସ୍ତ ପ୍ରାଣୀ ଚିକିତ୍ସକ ସମୂହ ଇସ୍ତଫା ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ପ୍ରାଣୀ ଚିକିତ୍ସକଙ୍କ କ୍ୟାଡ଼ର ପୁନର୍ଗଠନ, ପ୍ରାଣୀ ଚିକିତ୍ସାଳୟରେ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦେବା, ଯଥେଷ୍ଟ ଔଷଧ ଯୋଗାଣ କରିବା, ବିଭାଗକୁ ଜରୁରୀ କାଳୀନ ସେବା ମଧ୍ୟରେ ଅନ୍ତର୍ଭୁକ୍ତ କରିବା ଓ ପ୍ରାଣୀ ଚିକିତ୍ସାଳୟରେ ନିରାପତ୍ତା ସେବା ପ୍ରଦାନ, କାର୍ଯନିର୍ଘଣ୍ଟ ପ୍ରଦାନ ଇତ୍ୟାଦି ଦଶ ଦଫା ଦାବି ବିଷୟରେ ଆଗରୁ ଓଡ଼ିଶା ସରକାରଙ୍କୁ ଜଣାଇବା ସତ୍ତ୍ୱେ କୌଣସି ସୁଫଳ ନମିଳିବାରୁ ସମସ୍ତ ପ୍ରାଣୀ ଚିକିତ୍ସକ ସମୂହ ସର୍ତ୍ତ ମୂଳକ ଇସ୍ତଫା ପ୍ରଦାନ କରିଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.