ଶିକ୍ଷା ବିଭାଗର ଅର୍ଥ ଆତ୍ମସାତ ଅଭିଯୋଗରେ ପ୍ରଧାନ ଶିକ୍ଷକଙ୍କ ସମେତ ତିନି ଜଣଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ

ଓଡ଼ିଆ ବାର୍ତ୍ତା/କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଆଜି ଜଣେ ପ୍ରଧାନ ଶିକ୍ଷକଙ୍କ ସମେତ ତିନିଜଣଙ୍କୁ ୪ ବର୍ଷ ଲେଖାଏଁ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ଦୋଷୀ ମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା କରାଯାଇଛି। ଜୋରିମାନା ଅନାଦେୟ ଅଭିଯୁକ୍ତ ମାନଙ୍କୁ ଅଧିକ ୬ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ଅଭିଯୁକ୍ତ ମାନେ ହେଲେ ଖଜୁରୀପଡା ବ୍ଲକ ଘାଟିତଳ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତତ୍କାଳୀନ ପ୍ରଧାନ ଶିକ୍ଷକ କିଶୋର କୁମାର ଦାସ, ସର୍ବଶିକ୍ଷା ଅଭିଯାନର ବୈଷୟିକ ପରାମର୍ଶଦାତା ପୃଥ୍ବୀରାଜ ଲେଙ୍କା ଓ ବିଦ୍ୟାଳୟ କମିଟି ସଭାପତି ସୁବୀନ୍ଦ୍ର କହଁର l ସୂଚନା ଅନୁସାରେ, ୨୦୧୪ ମସିହାରେ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ସର୍ବଶିକ୍ଷା ଅଭିଯାନ ପାଣ୍ଠିରୁ ୯ ଲକ୍ଷ ୯୬ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ଏହି ଅର୍ଥରୁ ୮ ଲକ୍ଷ ୯୬ ହଜାର ଟଙ୍କା ଉଠା ଯାଇଥିଲା। ତେବେ ଗୃହ ନିର୍ମାଣ କାର୍ୟ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିଲା। ଅଭିଯୁକ୍ତ ମାନେ କାମ ନ କରି ଏହି ଅର୍ଥ ହଡପ କରିବା ଅଭିଯୋଗ ହୋଇଥିଲା। ଏ ନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହେବା ପରେ ଡିଏସପି ହରେକୃଷ୍ଣ ବେହେରା ତଦନ୍ତ କରି ଅଭିଯୋଗରେ ସତ୍ୟତା ଥିବା ଜାଣିବା ପରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ୩/୧୪ ରେ ଏକ ମାମଲା ରୁଜୁ କରାଯାଇଥିଲା। ଶୁକ୍ରବାର ଏହି ମାମଲାର ଶୁଣାଣି କରି ଫୁଲବାଣୀ ଭିଜିଲାନ୍ସ ଅଦାଲତ ବିଚାରପତି ସମର ବିଳାସ ବେହେରା ୨୧ ଜଣ ସାକ୍ଷୀଙ୍କ ବୟାନ ଓ ତଥ୍ୟ ପ୍ରମାଣ ଆଧାରରେ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଭି ଭି ରାମଦାସ ପରିଚାଳନା କରୁଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.