ସରଳ ବ୍ୟବହାର ପାଇଁ ମୃତ୍ୟୁ ପରେ ପ୍ରାର୍ଥୀଙ୍କୁ ଜିତାଇଲେ ଭୋଟର

ଓଡ଼ିଆ ବାର୍ତ୍ତା/ ବିଜନୌର: ସମସ୍ତେ କହନ୍ତି ରାଜନୀତିରେ କେବଳ ଅର୍ଥ ବଳ ବା ବାହୁବଳ ହିଁ ଜିତେ । ଏଠି ମଣିଷ ପଣିଆର ସ୍ଥାନ ନାହିଁ । ଏଠି ଦୟା, କ୍ଷମା ବା ସଚ୍ଚୋଟପଣିଆ ଜିତି ପାରେନି । ହେଲେ ନା, ମଣିଷ ପଣିଆ ସବୁବେଳେ ସବୁଠି ଜିତିଛି ଏବଂ ଜିତୁଛି ମଧ୍ୟ । ସ୍ନେହ, ଶ୍ରଦ୍ଧା ଆଉ ଦୟାଭାବ ପାଖରେ ବହୁତ ଦୁର୍ବଳ  ବାହୁ ବା ଅର୍ଥ ବଳ । ଯାହା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ନଗରପାଳିକା ନିର୍ବାଚନରେ । ଏଠି ଜନତା ପ୍ରାର୍ଥୀଙ୍କ ସରଳ ଭାବ, ସ୍ନେହ ଏବଂ ଦୟା ଭାବକୁ ଦେଖି ଭୋଟ ଦେଇଛନ୍ତି । ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ପ୍ରାର୍ଥୀଙ୍କ ବ୍ୟବହାରରେ ଏଠାର ଜନତା ଏତେ ପ୍ରଭାବିତ ଯେ, ତାଙ୍କର ମୃତ୍ୟୁ ପରେ ବି ତାଙ୍କୁ ନେତା ଭାବେ ବାଛିଛନ୍ତି । ଏହି ନେତ୍ରୀ ହେଉଛନ୍ତି ୟୁପି ହସନପୁର ମ୍ୟୁନିସିପାଲିଟି ୱାର୍ଡ ମେମ୍ବର ଆସିୟା ବି । କିଛି ଦିନ ତଳେ ୟୁପି ନଗରପାଳିକା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ୨୫ ବର୍ଷୀୟ ଆସିୟା ୧୭ ନମ୍ବର ୱାର୍ଡ ମେମ୍ବର ପ୍ରାର୍ଥୀ ପାଇଁ ଏପ୍ରିଲ ୧୬ ତାରିଖ ନାମାଙ୍କନ ଭରିଥିଲେ । ହେଲେ ନିର୍ବାଚନର ଦିନକ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା । ତଥାପି ଭୋଟର ତାଙ୍କୁ ଭୋଟ ଦେଇଥିଲେ ଓ ଜିତାଇଥିଲେ ମଧ୍ୟ  । କାରଣ ଥିଲା ତାଙ୍କର ଉତ୍ତମ ବ୍ୟବହାର, ଦୟା ଏବଂ ସ୍ନେହସିକ୍ତ ହସ ହସ ମୁହଁ  ।

ସେ ଯେତେବେଳେ ପ୍ରଚାର କରିବାକୁ ଆସୁଥିଲେ ତାଙ୍କର ହସ ହସ ମୁହଁ, ସରଳ ବ୍ୟବହାର ଭୋଟରଙ୍କ ମନ ଜିତିଥିଲା । ଭୋଟରମାନେ ତାଙ୍କୁ କଥା ଦେଇଥିଲେ ଭୋଟ ଦେବେ ବୋଲି । ହେଲେ ଆସିୟା ବି ଫୁସଫୁସ ଜନିତ ରୋଗରେ ଆକ୍ରାନ୍ତ ଥିଲେ । ଏପ୍ରିଲ ୨୦ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା । ମେ’ ୪ରେ ହୋଇଥିଲା ନିର୍ବାଚନ । ଏହି ନିର୍ବାଚନରେ ହସନପୁର ବାସୀ ଆସିୟା ନାହାନ୍ତି ବୋଲି ଜାଣି ମଧ୍ୟ ତାଙ୍କୁ ଭୋଟ ଦେଇଥିଲେ ଓ ଭୋଟ ଗଣତି ପରେ ସେ ଜିତିଥିବା ଜଣାପଡି ଥିଲା । ଆସିୟା ପୂର୍ବରୁ କେବେ ନିର୍ବାଚନ ଲଢି ନ ଥିଲେ । ପ୍ରଥମ ଥର ପାଇଁ ସେ ନିର୍ବାଚନ ଲଢି ଲୋକଙ୍କ ମନକୁ ଜିତି ପାରିଥିଲେ । ଏହି ଭୋଟ ଆସିୟାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ବୋଲି ସ୍ଥାନୀୟ ବାସିନ୍ଦା କହନ୍ତି ।ସ୍ଥାନୀୟ ଜଣେ ଭୋଟର କହନ୍ତି, ‘ଆସିୟା ଆମ ଅଞ୍ଚଳରେ ଏକ ମିଟିଂ କରିଥିଲେ । ନିଜ ପ୍ରାର୍ଥୀତ୍ୱ ନେଇ ଆଲୋଚନା କରିଥିଲେ । ଯଦିଓ ରାଜନୀତିରେ ସେ ନୂଆ ଥିଲେ ତଥାପି ତାଙ୍କର ସରଳ ବ୍ୟବହାର ସମସ୍ତଙ୍କ ମନକୁ ଛୁଇଁ ଯାଇଥିଲା । ସେଥିପାଇଁ ଆମେ ତାଙ୍କୁ ସମର୍ଥନ କରିବୁ ବୋଲି କହିଥିଲୁ । ତାଙ୍କ ମୃତ୍ୟୁ ଖବର ଶୁଣି ଆମେ ଦୁଃଖରେ ଭାଙ୍ଗି ପଡିଥିଲୁ । ହେଲେ ତାଙ୍କର ଉତ୍ତର ବ୍ୟବହାର ପାଇଁ ଆମେ ତାଙ୍କୁ ଭୋଟ ଦେବାକୁ ନିଷ୍ପତ୍ତି ନେଇଥିଲୁ । ଏହି ଭୋଟ ଆମ ପକ୍ଷରୁ ତାଙ୍କର ପବିତ୍ର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି।’

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.