ଗିରଫ ହେଲେ ଭଦ୍ରକ ର ପୂର୍ବତନ ଡିଏସ୍‌ଡବ୍ଲୁଓ

ଓଡ଼ିଆ ବାର୍ତ୍ତା/ ଭଦ୍ରକ: ଗିରଫ ହେଲେ ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ (ଡିଏସ୍‌ଡବ୍ଲୁଓ) ଜୟନ୍ତୀ ବେହେରା। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ ବରିଷ୍ଠ ଅଧିକାରୀ ଜୟନ୍ତୀ ବେହେରା I ଗତକାଲି ଚଢ଼ାଉ ପରେ ଶ୍ରୀମତୀ ବେହେରାଙ୍କ ଏକାଧିକ କୋଠା ଓ ଫ୍ଲାଟ୍‌ ଠାବ ହୋଇଛି। ଶ୍ରୀମତୀ ବେହେରାଙ୍କ ସମ୍ପତ୍ତି ୩ କୋଟି ୪୧ ଲକ୍ଷ ୬୮ ହଜାର ବୋଲି ଭିଜିଲାନ୍ସ ଆକଳନ କରିଛି। ସୂଚନା ଅନୁସାରେ, ଗୁରୁବାର ସକାଳେ ଶ୍ରୀମତୀ ବେହେରାଙ୍କ ବାଲେଶ୍ବରସ୍ଥିତ ବାସଭବନ ସମେତ ଭଦ୍ରକ ଓ ଭୁବନେଶ୍ୱରର ୧୧ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଶ୍ରୀମତୀ ବେହେରାଙ୍କର ବାଲେଶ୍ବର ସହଦେବଖୁଣ୍ଟା ଫିରିଙ୍ଗିପାଟଣାଠାରେ ଥିବା ୩ ମହଲା କୋଠା, ଗଣେଶ୍ୱରପୁର ସିଦ୍ଧେଶ୍ୱର କଲୋନିଠାରେ ଥିବା ତିନିମହଲା କୋଠା, ଜାନୁଗଞ୍ଜ ସିଦ୍ଧେଶ୍ୱରପୁରଠାରେ ନିର୍ମାଣାଧୀନ ୨ ମହଲା କୋଠା, ବାଲେଶ୍ବର ଡିଆରଡିଏ କାର୍ଯ୍ୟାଳୟରେ କଲ୍‌ ସେଣ୍ଟର ଏକ୍‌ଜିକ୍ୟୁଟିଭ୍‌ ଚାକିରି କରୁଥିବା ପୁଅ ରୋହିତ କୁମାର ମଣ୍ଡଳଙ୍କ ଅଫିସ୍‌ ପ୍ରକୋଷ୍ଠ, ସୁନହଟରେ ଥିବା ସମ୍ପର୍କୀୟଙ୍କ ଘର, ଚିଡ଼ିଆପୋଲସ୍ଥିତ ତାଙ୍କ ସହଯୋଗୀଙ୍କ ଛତୁଆ ପ୍ରସ୍ତୁତି କେନ୍ଦ୍ର, ଭଦ୍ରକସ୍ଥିତ ଭଡ଼ାଘର ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଅଫିସ୍‌ ପ୍ରକୋଷ୍ଠ, ଭୁବନେଶ୍ୱର ଗୌତମନଗରସ୍ଥିତ ରୟାଲ୍‌ ରେସିଡେନ୍ସି ଆପାର୍ଟମେଣ୍ଟରେ ଥିବା ୩ ବିଏଚ୍‌କେ ଫ୍ଲାଟ୍‌, ଭୁବନେଶ୍ୱର ଓଲଡ୍‌ ଟାଉନ୍‌ସ୍ଥିତ ଷ୍ଟଲୱାର୍ଟ ଆପାର୍ଟମେଣ୍ଟରେ ୩ ବିଏଚ୍‌କେ ଫ୍ଲାଟ୍‌, ଭୁବନେଶ୍ୱରସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗ କାର୍ଯ୍ୟାଳୟରେ ଚଢ଼ଉ କରିଥିଲେ ଭିଜିଲାନ୍ସ ଟିମ୍‌। ଏହା ସହିତ ତାଙ୍କର ଭୁବନେଶ୍ୱରରେ ୨ଟି ଫ୍ଲାଟ୍, ବ୍ୟାଙ୍କ, ବୀମା ଓ ପୋଷ୍ଟାଲ ଜମା ମିଶି ମୋଟ୍‌ ୧ କୋଟି ୬୧ ଲକ୍ଷ ସହିତ ଗୋଟିଏ କାର୍, ୨ଟି ବାଇକ୍‌, ୨ କେଜିରୁ ଊର୍ଦ୍ଧ୍ବ ରୁପା, ୧୦୦ ଗ୍ରାମରୁ ଅଧିକ ସୁନା ସହ ନଗଦ ୨ ଲକ୍ଷ ୭୯ ହଜାର ଟଙ୍କା ଘରୁ ଜବତ ହୋଇଛି। ଏ ନେଇ ଭିଜିଲାନ୍ସ ପକ୍ଷରୁ ୧/୨୩ରେ ଏକ ମାମଲା ରୁଜୁ ହୋଇଛି। ଏହି ଚଢ଼ାଉରେ ଭିଜିଲାନ୍ସ ବିଭାଗର ଅତିରିକ୍ତ ଏସ୍‌ପି ମହେଶ୍ବର ସେଠୀ, ଡିଏସ୍‌ପି ଏସ୍‌କେ ସାମନ୍ତରାୟ, ଏସ୍‌କେ ମାଝୀ, ଦକ୍ଷିଣଚାନ୍ଦ ମୁର୍ମୁ ଓ ସିକନ୍ଦର ହେମ୍ବ୍ରମ୍‌ଙ୍କ ସହିତ ୮ ଜଣ ଇନ୍ସପେକ୍ଟର, ୨ ଜଣ ଏସ୍‌ଆଇ, ୩ ଜଣ ଏଏସ୍‌ଆଇ, ୧୪ ଜଣ କନେଷ୍ଟବଳ ଚଢ଼ାଉରେ ସାମିଲ ହୋଇଥିଲେ। ସୂଚନାଥାଉକି, ଶ୍ରୀମତୀ ଜୟନ୍ତୀ ବେହେରାଙ୍କ ନାଁରେ ପୂର୍ବରୁ ବହୁ ଦୁର୍ନୀତି ମାମଲା ରହିଛି I ଭଦ୍ରକ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ପଦରେ ଥିବାବେଳେ ଛତୁଆ ଦୁର୍ନୀତିରେ ଶ୍ରୀମତୀ ବେହେରା ଲିପ୍ତଥିବା ନେଇ ଭିଜିଲାନ୍ସରେ ଅଭିଯୋଗ ମଧ୍ୟ ହୋଇଥିଲା। ଏହାପରେ ତାଙ୍କୁ ଭଦ୍ରକ ସମାଜ ମଙ୍ଗଳ ଅଧିକାରୀ ପଦରୁ ଭୁବନେଶ୍ୱରକୁ ବଦଳି କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.